ଦିନକ ପୂର୍ବରୁ ମୌସୁମୀ ଅଧିବେଶନ ସରିବା ପ୍ରସଙ୍ଗ, ପରସ୍ପର ଉପରେ ଲଦିଲେ ଦୋଷ
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟର ଗୋଟିଅ ପୂର୍ବରୁ ସରିଯାଇଛି । ଏହାକୁ ନେଇ ଏବେ ତେଜିଛି ରାଜନୀତି । ବିରୋଧୀ ଶାସକ ଦଳକୁ ଏଥିପାଇଁ ଦାୟୀ କରୁଥିବା ବେଳେ ଶାସକ ବିରୋଧୀ ଉପରେ ବର୍ଷିଛି । ବିରୋଧୀ ବିଜେପି ଓ କଂଗ୍ରେସ ଏବଂ ଶାସକ ବିଜେଡ଼ି ପରସ୍ପର ଉପରେଦୋଷ ଲଦୁଛନ୍ତି ।

ଗୋଟିଏ ଦିନ ଆଗରୁ ବିଧାନସଭା ସରିବାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, 8 ଦିନର ବିଧାନସଭାକୁ 7 ଦିନରେ ସାରିଦିଆଗଲା । 7 ଦିନରେ 7 ମିନିଟ୍ ବି ଗୃହ ଚାଲିପାରିଲା ନାହିଁ । ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । ହେଲେ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ଦିଆଗଲା ନାହିଁ ।
ଏହି ମୌସୁମୀ ଅଧିବେଶନରେ ମୋଟ୍ 7ଟି କାର୍ଯ୍ୟ ଦିବସ ରହିଥିଲା । 770 ଟି ତାରକା ଓ 1403 ଟି ଅଣତାରକା ପ୍ରଶ୍ନର ଉତ୍ତର ଗୃହରେ ଉପସ୍ଥାପିତ ହୋଇଥିଲା । ଗୃହରେ ବିଲ୍ ଯେଉଁପରି ଭାବେ ପାରିତ କରାଗଲା ତାହା ଠିକ୍ ନୁହେଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ବିରୋଧୀ ଦଳ ଆଲୋଚନାରେ ଭାଗ ନେଇନାହାଁନ୍ତି । ବିଲକୁ ତରବରିଆ ଭାବେ ପାରିତ ନକରି ଏଥିରେ ଆଲୋଚନା ହେବାର ଆବଶ୍ୟକତା ଥିବା ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ।
ସେହିପରି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । 8 ଦିନିଆ ବିଧାନସଭା ଅଧିବେଶନରେ ହଜାର ହଜାର ଲୋକ ରାଜରାସ୍ତାରେ ଥିଲେ । ବିରୋଧୀ ଦଳ ତାଙ୍କ ସମସ୍ୟା ଗୃହରେ ଉଠାଇ ସରକାରଙ୍କୁ ଦାବି ପୂରଣ ପାଇଁ ବାଧ୍ୟ କରିବେ ବୋଲି ଆଶା ଥିଲା କିନ୍ତୁ ତାହା ହେଲା ନାହିଁ ।
ବିଜେପି ଓ ବିଜେଡି ମିଶି ଗୃହକୁ ଚଳାଇ ଦେଲେ ନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର । ଗୃହ ଚଳାଇବା ଇଚ୍ଛା ନାହିଁ ତେଣୁ ଗୃହକୁ ବନ୍ଦ କରିଦେଲେ । ଏବଂ ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି ଅତିରିକ୍ତ ବଜେଟ କାହିଁକି ଆଣୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।
ବିରୋଧୀଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର । ଗୃହ ନଚାଲିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛି ବିଜେଡି । ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ସମ୍ପୂର୍ଣ୍ଣ ଅବାନ୍ତର । ବାହାରେ କହୁଛନ୍ତି ହେଲେ ବିରୋଧୀ ଗୃହ ଭିତରେ ଆଲୋଚନା ପାଇଁ ଆଗ୍ରହ ଦେଖାଉ ନାହାଁନ୍ତି । ତେବେ ପରିଧି ନିୟମାବଳୀ ଅନୁଯାୟୀ ନିଷ୍ପତ୍ତି ନେଇ ଗୃହକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିବା କହିଛନ୍ତି ଦେବୀ ମିଶ୍ର । ବିଧାନସଭା ସଠିକ ଭାବେ ନଚାଲିବା ପାଇଁ ବିରୋଧୀ ଦାୟୀ ବୋଲି କହିଛନ୍ତି ଦେବୀ ମିଶ୍ର ।












Click it and Unblock the Notifications