ଆଜି ସନ୍ଧ୍ୟା 6 ଟାରେ ସମ୍ପ୍ରସାରଣ ହେବ ମୋଦୀ କ୍ୟାବିନେଟ୍, ଦିଲ୍ଲୀ ମୁହାଁ ହେଉଛନ୍ତି ନେତା
ଆଜି ସନ୍ଧ୍ୟା 6 ଟାରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ହେବ । ବହୁ ପ୍ରତୀକ୍ଷିତ କ୍ୟାବିନେଟ ପୁନଃନିର୍ମାଣ ପୂର୍ବରୁ ଅନେକ ବିଜେପି ନେତା ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।
ନୂଆଦିଲ୍ଲୀ : ଆଜି ସନ୍ଧ୍ୟା 6 ଟାରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ହେବ । ବହୁ ପ୍ରତୀକ୍ଷିତ କ୍ୟାବିନେଟ ପୁନଃନିର୍ମାଣ ପୂର୍ବରୁ ଅନେକ ବିଜେପି ନେତା ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ନୂଆ କ୍ୟାବିନେଟ ତାଲିକା ନେଇ ନେଇ କୌଣସି ସରକାରୀ ନିଶ୍ଚିତତା ନଥିବାବେଳେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ ଏହି ସମ୍ପ୍ରସାରଣରେ କିଛି ବଡ ପରିବର୍ତ୍ତନ ହୋଇପାରେ ବୋଲି ଆଲୋଚନା ଜୋର୍ ହେଉଛି । ଏହି ନୂଆ ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ଭାବେ 13 ନେତାଙ୍କ ନାମ ଆଲୋଚନା ହେଉଥିବା ବେଳେ ଅନେକେ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ସେମାନେ ମୋଦୀ ସରକାରର ଏହି କ୍ୟାବିନେଟରେ ଏକ ପଦ ପାଇପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଛି ।

କଂଗ୍ରେସର ଛାଡ଼ି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ସର୍ବାନନ୍ଦ ସୋନୋୱାଲ, ବିହାରର ପଶୁପତି ପାରସଙ୍କ ସମେତ ଅନୁପ୍ରିୟା ପଟେଲ, ପଙ୍କଜ ଚୌଧୁରୀ, ରୀତା ବାହୁଗୁଣା ଯୋଶୀ, ବରୁଣ ଗାନ୍ଧୀ, ଆର ସି ପି ସିଂ, ରାହୁଲ କାସୱାନ ଏବଂ ସି ପି ଯୋଶୀ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ନାରାୟଣ ରାଣେ ଏବଂ ରାମଶଙ୍କର କ୍ୟାଥେରିଆ ଏପର୍ଯ୍ୟନ୍ତ ଦିଲ୍ଲୀରେ ପହଞ୍ଚି ନାହାଁନ୍ତି ।
ମନ୍ତ୍ରୀ ପଦ ପାଇବାକୁ ଥିବା ନେତା ଓ ସାଂସଦମାନେ ଦିଲ୍ଲୀ ଆସିବାରେ ଲାଗିଛନ୍ତି । ଏହି ବହୁପ୍ରତିକ୍ଷୀତ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ଓବିସି, ମହିଳା ଓ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ୱ ମିଳିବ ବୋଲି କୁହାଯାଉଛି । ନୂଆ ମନ୍ତ୍ରୀମଣ୍ଡଳର ହାରାହାରି ବୟସ ହ୍ରାସ କରାଯିବ । ଏହାର ଅର୍ଥ ନୂଆ କ୍ୟାବିନେଟରେ ଯୁବଗୋଷ୍ଠୀଙ୍କୁ ଫୋକସ୍ ରହିବ ।
ଅନ୍ୟପଟେ ମନ୍ତ୍ରୀମଣ୍ଡଳରେ 20 ନୂଆ ଚେହେରାଙ୍କୁ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏଥିସହ ଓଡ଼ିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିପାରେ । ଏବେ ଓଡ଼ିଶାରୁ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଥିବା ବେଳେ ଏହି ସଂଖ୍ୟା ବଢାଇବାକୁ ବିଜେପି ଯୋଜନା କରୁଛି । ମନ୍ତ୍ରୀମଣ୍ଡଳରେ ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗର ନେତାଙ୍କୁ ସାମିଲ ହୋଇପାରନ୍ତି ।2024 ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନୂଆ ଟିମ୍ ସହ ମଇଦାନକୁ ଓହ୍ଲାଇବେ ବୋଲି ବିଶେଷଜ୍ଞ କହିଛନ୍ତି ।












Click it and Unblock the Notifications