ମନି ଲଣ୍ଡରିଂ ମାମଲା : 14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ
ନିକଟରେ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା ହ୍ରାସ ହେବାର ନାମ ନେଉନାହିଁ । ନିକଟରେ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ସମସ୍ତ ଅଭିଯୋଗକୁ ଅସ୍ୱୀକାର କରୁଛି ଏବଂ ସତ୍ୟନ୍ଦ୍ର ଜୈନ ନିର୍ଦ୍ଦୋଷ ବୋଲି କହିଛି । ଏହା ସହିତ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି ।

ବାସ୍ତବରେ, କିଛି ଦିନ ପୂର୍ବେ ଇଡି ଅଙ୍କୁଶ ଜୈନ, ବୈଭବ ଜୈନ, ନବୀନ ଜୈନ ଏବଂ ସିଦ୍ଧାର୍ଥ ଜୈନ (ରାମ ପ୍ରକାଶ ଜୁଏଲର୍ସ ପିଭି ଲିମିଟେଡର ନିର୍ଦ୍ଦେଶକ), ଜିଏସ ମଥାରୁ, ଯୋଗେଶ କୁମାର ଜୈନ (ରାମ ପ୍ରକାଶ ଜୁଏଲର୍ସ ପିଭି ଲିମିଟେଡର ନିର୍ଦ୍ଦେଶକ) ଉପରେ ଚଢାଉ କରିଥିଲା । ଏମାନେ ସତ୍ୟେନ୍ଦ୍ର ଜୈନଙ୍କ ନିକଟତର ବୋଲି କୁହାଯାଏ । ଏହି ଚଢାଉରେ 2.82 କୋଟି ଟଙ୍କା ନଗଦ ଜବତ କରାଯାଇଛି ବୋଲି ଇଡି ଦାବି କରିଛି । ଏହା ବ୍ୟତୀତ 1.80 କିଲୋଗ୍ରାମର 133 ଟି ସୁନା ମୁଦ୍ରା ମଧ୍ୟ ମିଳିଥିଲା । ଏହା ପରେ ସତ୍ୟନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଥିଲା ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀର ବିକାଶକୁ କେନ୍ଦ୍ର ପସନ୍ଦ କରୁନାହିଁ, ଯେଉଁ କାରଣରୁ ମୋଦୀ ସରକାର ଏହାର ନେତାମାନଙ୍କୁ ମିଥ୍ୟା ମାମଲାରେ ଜଡିତ କରୁଛନ୍ତି । ସତ୍ୟେନ୍ଦ୍ର ଜୈନଙ୍କ ଘରୁ କେବଳ ପ୍ରାୟ ଦୁଇ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିଲା, ଯାହାର ସମ୍ପୂର୍ଣ୍ଣ ହିସାବ ରଖାଯାଇଥିଲା । କିଛି ଦିନ ପୂର୍ବରୁ ସେ ଦାବି କରିଥିଲେ ଯେ କେନ୍ଦ୍ର ସରକାର ଖୁବ ଶୀଘ୍ର ମନୀଷ ସିସୋଦିଆଙ୍କୁ ଏକ ମିଥ୍ୟା ମାମଲାରେ ଜଡ଼ିତ କରିବା ନେଇ ଷଡ଼ଯନ୍ତ୍ର କରୁଛନ୍ତି ।












Click it and Unblock the Notifications