ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ମାଣିକ ସାହା, ଆଜି ନେବେ ଶପଥ
ମାଣିକ ସାହା ବୁଧବାର ଦ୍ୱିତୀୟ ଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସୋମବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ମାଣିକ ସାହାଙ୍କ ନାମ ଉପରେ ସହମତି ପ୍ରକାଶ ପାଇଛି ।

ଅରଗତାଲା: ନିକଟରେ ଶେଷ ହୋଇଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିଛି । ମୋଟ 60 ଟି ଆସନ ମଧ୍ୟରୁ 32 ଟି ଆସନ ହାତେଇ ବିଜେପି ପୁଣି ବହୁମତ ପାଇଛି । ଏଭଳି ପରିସ୍ଥିତିରେ ମାଣିକ ସାହା ବୁଧବାର ଦ୍ୱିତୀୟ ଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସୋମବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ମାଣିକ ସାହାଙ୍କ ନାମ ଉପରେ ସହମତି ପ୍ରକାଶ ପାଇଛି ।
ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ମାଣିକ ସାହା ବୁଧବାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡା ଉପସ୍ଥିତି ରହିବେ । ଏହି ଶପଥ ଗ୍ରହଣ ସମାରୋହ ଅଗରତାଲାର ସ୍ୱାମୀ ବିବେକାନନ୍ଦ ମୈଦାନରେ ଅନୁଷ୍ଠିତ ହେବ ।
ଅନ୍ୟପକ୍ଷରେ ମନୋନୀତ ମୁଖ୍ୟମନ୍ତ୍ରୀ ମାଣିକ ସାହା ସୋମବାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିଛନ୍ତି । ଏହାପୂର୍ବରୁ ସୋମବାର ଦିନ ମାଣିକ ସାହାଙ୍କ ନାମ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ସହମତି ପ୍ରକାଶ ପାଇଥିଲା ।
ଦନ୍ତ ଚିକିତ୍ସକ ରୁ ରାଜନେତା ବନିଥିବା ମାଣିକ ସାହା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସାହା ତ୍ରିପୁରାରୁ ରାଜ୍ୟସଭା ସାଂସଦ ତଥା ଦଳର ସଭାପତି ଥିଲେ । ସେ କଂଗ୍ରେସ ଛାଡିବା ପରେ 2016 ରେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ 2020 ରେ ଦଳର ମୁଖ୍ୟ କରାଯାଇଥିଲା ଏବଂ ମାର୍ଚ୍ଚ 2022 ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ, ତ୍ରିପୁରାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ବିଜେପି କ୍ଷମତାକୁ ଫେରିଛି । ନିର୍ବାଚନରେ ମୋଟ 60 ଟି ଆସନ ମଧ୍ୟରୁ ବିଜେପି 32 ଟି ଆସନ ଜିତିଛି । ଅନ୍ୟପକ୍ଷରେ ଟିପ୍ରା ମୋଥା ପାର୍ଟି 13 ଟି ସିଟ୍ ଜିତି ଦ୍ୱିତୀୟ ସ୍ଥାନରେ ରହିଛି । ବାମପନ୍ଥୀ 11 ଟି ଆସନ ପାଇଥିବାବେଳେ କଂଗ୍ରେସ ମାତ୍ର 3 ଟି ସ୍ଥାନ ପାଇଛି । IPFT ଗୋଟିଏ ସିଟ୍ ଜିତିବାରେ ସଫଳ ହୋଇଥିଲା ।












Click it and Unblock the Notifications