କର୍ଣ୍ଣାଟକ ନିର୍ବାଚନରେ ଜେଡିଏସ ପାଇଁ ପ୍ରଚାର କରିବେ ମମତା

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି କ୍ଷେତ୍ର ପ୍ରସ୍ତୁତି । ସମସ୍ତ ଦଳ ନିଜ ନିଜ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଏହି ସମୟରେ ଜନତା ଦଳ ସେକୁଲାର(ଜେଡିଏସ୍) ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ କହିଛନ୍ତି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଦଳ ପାଇଁ ପ୍ରଚାର କରିବେ ।
ଶୁକ୍ରବାର ଦିନ କୋଲକାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ଏଚଡି କୁମାରସ୍ୱାମୀ ଏହା କହିଛନ୍ତି । କୁମାରସ୍ୱାମୀ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ କୋଲକାତାର କାଲିଘାଟ ବାସଭବନରେ ଭେଟିଥିଲେ ।
ଏହି ବୈଠକ ବିଷୟରେ କୁମାରସ୍ୱାମୀ ଟ୍ୱିଟ୍ କରି ଲେଖିଛନ୍ତି, "କୋଲକାତାରେ ମାନ୍ୟବର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ କରି କଥା ହେଲି । ଏହାପୂର୍ବରୁ ସେ ମୋତେ ଖୁସିରେ ସ୍ୱାଗତ କରିଥିଲେ । ଏହି ବୈଠକରେ ଆମେ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ପଞ୍ଚ ରତ୍ନ ଯାତ୍ରାର ସଫଳତା ଏବଂ ଜାତୀୟ ରାଜନୈତିକ ବିକାଶ ବିଷୟରେ ଆଲୋଚନା କରିଛୁ ।''
ଏଚଡି କୁମାରସ୍ୱାମୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ମମତା ବାନାର୍ଜୀ କହିଛନ୍ତି ଯେ ସେ ଜାତୀୟ ରାଜନୀତିରେ ଜେଡିଏସ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ଏବଂ କର୍ଣ୍ଣାଟକ ନିର୍ବାଚନରେ ଜେଡିଏସ ପାଇଁ ପ୍ରଚାର କରିବେ ।
କୁମାରସ୍ୱାମୀ ଆହୁରି କହିଛନ୍ତି, "ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଭୟ ଟିଅମସି ଏବଂ ଜେଡିଏସ ସହିତ ଜାତୀୟ ସ୍ତରରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।''
ଦେଶର ସମସ୍ତ ବିରୋଧୀ ଦଳ ଏକତ୍ରିତ ହୋଇ 2024 ଲୋକସଭା ନିର୍ବାଚନରେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ କଡ଼ା ମୁକାବିଲା କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଅନେକ ବିରୋଧୀ ଦଳର ନେତାମାନେ ପରସ୍ପରକୁ ଭେଟି ଏକ ମିଳିତ ବିରୋଧୀ ଦଳ ଗଠନ କରୁଛନ୍ତି । ଏଭଳି ପରିସ୍ଥିତିରେ କୁମାରସ୍ୱାମୀ ଏବଂ ମମତା ବାନାର୍ଜୀଙ୍କ ସାକ୍ଷାତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
କୁମାରସ୍ୱାମୀଙ୍କୁ ଭେଟିବାର ଗୋଟିଏ ଦିନ ପୂର୍ବରୁ ମମତା ବାନାର୍ଜୀ ଭୁବନେଶ୍ୱରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିଥିଲେ । ଟିଏମସି କହିଛି ଯେ ନବୀନ ପଟ୍ଟନାୟକଙ୍କ ସହ ବୈଠକ ବେଳେ ମମତା ଭାରତର ଫେଡେରାଲ ଗଠନକୁ ମଜବୁତ କରିବା ଏବଂ ସରକାରଙ୍କ ସମସ୍ତ ସ୍ତରରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଉପରେ ଆଲୋଚନା କରିଛନ୍ତି ।












Click it and Unblock the Notifications