ନିର୍ବାଚନୀ ବିଗୁଲ୍ ପରେ ରାଜନୈତିକ ଦଳର ଶକ୍ତି ପ୍ରଦର୍ଶନ, ମିଶନ ଦକ୍ଷିଣରେ ମୋଦୀ
Lok Sabha Election 2024: ଦେଶରେ ବାଜି ସାରିଛି ନିର୍ବାଚନୀ ବିଗୁଲ୍ । ଏହା ପରେ ନିଜ ନିଜର ଦମ୍ ଦେଖାଇବାରେ ଲାଗିପଡ଼ିଛନ୍ତି ରାଜନୈତିକ ଦଳ । ମେଗା ରାଲି, ରୋଡ୍ ସୋ ସହ ଜନସଭା କରି ଶକ୍ତି ପ୍ରଦର୍ଶନ କରୁଛନ୍ତି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ 400 ପାର୍ ଆସନ ଲକ୍ଷ୍ୟ ରଖି ସରକାର ଗଢିବାକୁ ପ୍ରସ୍ତୁତ ହେଉଥିବା ବେଳେ ସରକାରକୁ ମାତ୍ ଦେଇ ଶାସନ ଗାଦି ହାତେଇବାକୁ ପ୍ରସ୍ତୁତି ଜାରି ରଖିଛନ୍ତି ବିରୋଧୀ ।

ଏଥି ମଧ୍ୟରେ ଏନଡିଏର ମିଶନ ଦକ୍ଷିଣରେ ଲାଗି ପଡ଼ିଛି । ପ୍ରଧାନମନ୍ତ୍ରୀ ଦକ୍ଷିଣ ରାଜ୍ୟରେ ରାଲି କରିବା ସହ ଜନସଭାକୁ ସମ୍ବୋଧିତ କରିବେ । ମୋଦୀ ଆଜି ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାମିଲନାଡୁ ଗସ୍ତରେ ରହିବେ । ପୂର୍ବାହ୍ନ 11:30 ରେ ତେଲେଙ୍ଗାନାର ଜାଗଟିଆଲରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିବେ । ଏହା ପରେ ପିଏମ ମୋଦୀ କର୍ଣ୍ଣାଟକରେ ଅପରାହ୍ନ 3 ଟା ସମୟରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକର ଶିଭାମୋଗାରେ ଏକ ରୋଡ୍ ସୋ କରିବେ । ସେହିପରି ଅପରାହ୍ନ 5: 45 ରେ ତାମିଲନାଡୁର କୋଏମ୍ବାଟୁର ଠାରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିବେ ।
ଏହି କାର୍ଯ୍ୟକ୍ରମରେ ପାଖାପାଖି 2.5 ଲକ୍ଷ ଲୋକ ଯୋଗଦେବେ ବୋଲି ବିଜେପି ନେତାମାନେ କହିଛନ୍ତି । ତଥାପି କର୍ଣ୍ଣାଟକରେ ବିଜେପି ପାଇଁ ଏକ ବଡ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୈଠକରେ କେ.ଏସ୍ .ଇଶ୍ୱରପ୍ପା ସାମିଲ ହେବେ ନାହିଁ ।
ପୁଅ କେ କେ କନ୍ତେଶଙ୍କୁ ଟିକେଟ୍ ନ ଦେଇ ବିଜେପି ଉପରେ ଅସନ୍ତୋଷ ଥିବା ଇଶ୍ୱରପ୍ପା କହିଛନ୍ତି ଯେ ସେ ଶିବାମୋଗା ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ଆସନରୁ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପାଙ୍କ ବଡ ପୁଅ ରାଘବେନ୍ଦ୍ରଙ୍କୁ ଫିଲ୍ଡିଂ କରିଛି ।
ଏହା ପୂର୍ବରୁ ଗତକାଲି ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ପାଲନାଡୁରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । NDAରେ ସାମିଲ ହୋଇଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ମୁଖ୍ୟ ପୱନ କଲ୍ୟାଣ ମୋଦୀଙ୍କ ସହ ମେଗା ରାଲିରେ ସାମିଲ ହୋଇଥିଲେ ।
ସେହିପରି ମୁମ୍ବାଇରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ । ମୁମ୍ବାଇ ଶିବାଜୀ ପାର୍କରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ସମାପନ ଅବସରରେ ଆୟୋଜିତ ମେଗା ରାଲିରେ ସାମିଲ ହୋଇଛନ୍ତି ଦଳର ତୁଙ୍ଗ ନେତା । ନିର୍ବାଚନ ତାରିଖ ଘୋଷଣା ପରେ ଏକାଠି ହୋଇଛନ୍ତି କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ସହଯୋଗୀ ଦଳ ପିଡିପି, ଶିବସେନା ଉଦ୍ଧବ ଗୋଷ୍ଠୀ, ଆରଜେଡି, ନ୍ୟାସନାଲ କନଫରେନ୍ସ, ଆମ ଆଦମୀ ପାର୍ଟି ଏବଂ ଡିଏମକେ ।
ଏଥର ନିର୍ବାଚନରେ ଇଣ୍ଡି ମେଣ୍ଟର ବିଜୟ ସୁନିଶ୍ଚିତ ବୋଲି କହିଛି କଂଗ୍ରେସ । ତେବେ ଏହି ବୈଠକରେ ସାମିଲ ହୋଇନି ସମାଜବାଦୀ ପାର୍ଟି । ନିର୍ବାଚନ କମିଶନ ଦ୍ୱାରା ୟୁପିରେ ମାର୍ଚ୍ଚ 20 ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ସେ ରାଲିରେ ଯୋଗ ଦେଇପାରୁ ନାହାଁନ୍ତି ବୋଲି ଅଖିଳେଶ ଯାଦବ ସ୍ପଷ୍ଟୀକରଣ ରଖିଛନ୍ତି ।












Click it and Unblock the Notifications