ବ୍ରହ୍ମପୁର ଦେଖିବ ବିଗ୍ ଫାଇଟ୍; ଆମଦାନୀ ନେତା ଭରସାରେ ବିଜେଡି-ବିଜେପି, କର୍ମୀ କନପ୍ୟୁଜ୍
Lok Sabha Election 2024: ଲୋକସଭା ନିର୍ବାଚନ 2024 ପାଇଁ ପ୍ରସ୍ତୁତ ମୈଦାନ । ଲଢେଇ ପାଇଁ ବି ସଜାଗ ହେଲେଣି ଦଳ ଓ ନେତା । ଦଳୀୟ କର୍ମୀଙ୍କ ମଧ୍ୟରେ ବଢୁଛି ଉତ୍ସାହ । ଏଥି ମଧ୍ୟରେ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ । ଏଥର ନିର୍ବାଚନ ଗତ ନିର୍ବାଚନ ସବୁ ଅପେକ୍ଷା ବେଶ୍ ରୋଚକ ମୋଡ଼ ନେବ ବୋଲି ଚର୍ଚ୍ଚା ଜୋର୍ ଧରିଛି ।

ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇସାରିଛନ୍ତି । ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେଇଛି । ପ୍ରଦୀପ ପାଣିଗ୍ରାହୀ ବିଜେଡି ଛାଡି କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ ।
ସେହିଭଳି ବିଜେଡି ବ୍ରହ୍ମପୁର ଲୋକସଭା ଆସନରୁ ଭୃଗୁ ବକ୍ସିଙ୍କୁ ପ୍ରାର୍ଥୀ କରିଛି । ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ଦଳ ଟିକେଟ୍ ଦେଇଛି । ଗତ ଲୋକସଭା ନିର୍ବାଚନରେ ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିଲେ । ସେହିଭଳି କଂଗ୍ରେସ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସର ମୁଖ୍ୟ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ।
ଇଏତ ଗଲା ତନି ଦଳର ପ୍ରାର୍ଥୀ ତାଲିକା । ଭୋଟରଙ୍କ ନଜର ଟାଣୁଥିବା କଥା ଟି ହେଲା, ଏଥର ବ୍ରହ୍ମପୁରରେ କାହା ପଲା ଭାରୀ ରହିବ । ବିଜେଡ଼ି-ବିଜେପି ଦୁଇ ଦଳ ଆମଦାନୀ ନେତାଙ୍କ ଉପରେ ଭରସା କରିଛନ୍ତି । ଫଳରେ ଗୋଳମାଳ ହୋଇଛି ବ୍ରହ୍ମପୁର ଲୋକସଭା ଗଣିତ । ଭୋଟର କାହା ଆଡ଼କୁ ଢଳିବେ ନିଜେ ବି ଦ୍ୱନ୍ଦ ଭିତରେ ରହିଛନ୍ତି । ଟିକେଟ୍ ହିସାବ ତ ବରାବର ହୋଇଛି । ଏବେ ରଣନୀତିର ଗଣିତ କଷୁଛନ୍ତି ଦଳ ।
2019ରେ ଥିଲେ ବିଜେଡ଼ି ସେନାପତି...
ବିଜେପି ପ୍ରାର୍ଥୀ କରିଥିବା ପ୍ରଦୀପ ପାଣିଗ୍ରାହୀ ପୂର୍ବରୁ ବିଜେଡ଼ି ଟିକେଟ ରୁ ବିଧାୟକ ହୋଇଥିଲେ । 2019 ନିର୍ବାଚନରେ ସେ ବ୍ରହ୍ମପୁର ପାଇଁ ବିଜେଡ଼ିର ସେନାପତି ପାଲଟିଥିଲେ । ଦଳର ରଣନୀତି ଠାରୁ ଆରମ୍ଭ କରି ଦୋଷ ଦୁର୍ବଳତା ସବୁ ବିଷୟରେ ବେଶ୍ ଅବଗତ ପ୍ରଦୀପ । ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ଥିବା ଗଞ୍ଜାମ ଜିଲ୍ଲାର 5 ଓ ଗଜପତିର 2 ଟି ବିଧାନସଭା ଆସନରେ ପାଣିଗ୍ରାହୀଙ୍କର ଭଲ ଲୋକସଂପର୍କ ଓ ସମର୍ଥନ ରହିଛି ।
2019 ରେ ବିଜେଡିରେ ଥିବା ବେଳେ ସେ ସଂଗଠନ ଦାୟିତ୍ୱ ତୁଲାଇଥିଲେ । ବିଜେଡିର କମ୍ ଜୋରକୁ ପରଖି କେମିତି କ୍ଷମତା ଚକ୍ରବ୍ୟୂହ ଭାଙ୍ଗିବାକୁ ହେବ ତାହା ପ୍ରଦୀପ ପାଣିଗ୍ରାହୀଙ୍କୁ ବେଶ୍ ଭଲ ଜଣା । ଏହା ସହ ପ୍ରଦୀପଙ୍କୁ ଭିକ୍ଟିମ୍ ଦର୍ଶାଇ ଓଡିଆ ଅସ୍ମିତା କାର୍ଡ ଖେଳିଛି ବିଜେପି । ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡ଼ି ପାଇଁ କାମ କରିଛନ୍ତି ପ୍ରଦୀପ । ବିଜେଡିର ଶକ୍ତି ସାଙ୍ଗକୁ ଦୁର୍ବଳତା ବି ଭଲ ଭାବେ ଜାଣିଛନ୍ତି । ଏଥରର ନିର୍ବାଚନ ପ୍ରଦୀପଙ୍କ ପାଇଁ ବି ଅସ୍ଥିତ୍ୱର ଲଢେଇ । ତେଣୁ ସବୁ କୌଶଳ ଲଗାଇବେ ପ୍ରଦୀପ ।

ଆମଦାନୀ ନେତା ଭରସାରେ ବିଜେଡ଼ି
ସେପଟେ ଭୃଗୁ ବକ୍ସିପାତ୍ର ବିଜେଡିର ପ୍ରାର୍ଥୀ । ବିଜେପିର ଗତଥରର ପ୍ରାର୍ଥୀଙ୍କୁ ଏଥର ବିଜେଡି ସାମ୍ନାକୁ ଆଣିଛି । ବିଜେପିରେ ଟିକେଟ୍ ନ ପାଇବା ପରେ ସେ ବିଜେଡ଼ିରେ ସାମିଲ ହୋଇଥିଲେ । ଏହା ପରେ ଦଳ ତାଙ୍କୁ ପ୍ରଦୀପଙ୍କ ବିରୋଧରେ ଫିଲ୍ଡିଂ କରାଇଛି ।
ଗତ ଲୋକସଭା ନିର୍ବାଚନରେ 3 ଲକ୍ଷ 49 ହଜାର ପାଖାପାଖି ଭୋଟ୍ ହାତେଇ ପାରିଥିବା ଭୃଗୁଙ୍କର ମଧ୍ୟ ନିଜର ସଙ୍ଗଠନ ଭଲ ରହିଛି । ବିଜେଡ଼ି ଗଡ଼ କୁହାଯାଉଥିବା ଗଞ୍ଜାମରେ ସେ ଭଲ ଭୋଟ୍ ହାତେଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ହିଞ୍ଜିଳି । ଗତ ନିର୍ବାଚନରେ ଜିଲ୍ଲାର 13 ରୁ 12 ଟି ସିଟ୍ ହାତେଇ ନେଇଥିଲା ବିଜେଡି । ବ୍ରହ୍ମପୁର ଲୋକସଭା ଅଧୀନରେ ଥିବା 7 ବିଧାନସଭା ଆସନ ମଧ୍ୟରୁ ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଚିକିଟି ବିଜେଡି ପାଖରେ ରହିଛି । ମୋହନା କଂଗ୍ରେସ ଓ ପାରଳାଖେମୁଣ୍ଡି ଜିତିଥିଲା ବିଜେପି ।
ଏପରିକି 2009 ରୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନରେ ବାଜିମାତ୍ କରିଆସୁଛି । ଲୋକସଭା ଲଢେଇରେ ବିଜେଡିର ସଂଗଠନ ଭୃଗୁଙ୍କ ପାଇଁ ବଡ ବଳ ହେବ ବୋଲି ମଧ୍ୟ କୁହାଯାଉଛି । ଗତଥର ଚନ୍ଦ୍ରଶେଖର ସାହୁଙ୍କଠାରୁ 94 ହଜାର ଭୋଟରେ ହାରିଥିଲେ ଭୃଗୁ । ହେଲେ ଏଥର ସେ ନିଜେ ବିଜେଡ଼ି ସମର୍ଥନ ପାଇ ଲଢିବେ । ଦଳବଦଳ ସହ ସମୀକରଣ ମଧ୍ୟ ବଦଳିଛି । ତେଣୁ ସେ ଭଲ ଭୋଟ୍ ହାତେଇବେ ବୋଲି ଅନୁମାନ କରାଯାଉଛି ।
କର୍ମୀ କନଫ୍ୟୁଜ୍ !
ଦଳ ତ ନେତା ବାଛି ମୈଦାନକୁ ଛାଡ଼ିଦେଲା । କିନ୍ତୁ ତୃଣମୂଳ ସ୍ତରରେ କାମ କରୁଥିବା କ୍ରମୀଙ୍କ ମୁଣ୍ଡରେ ପଡ଼ିଛି ଭାଳେଣି । କାହାକୁ ସମର୍ଥ କରିବେ ନିଜେ ଜାଣି ପାରୁନାହାଁନ୍ତି । ଭୋଟରଙ୍କୁ କଣ କହି କାହା ପାଇଁ ଭୋଟ୍ ମାଗିବେ ସେ ନେଇ ଚିନ୍ତାରେ କର୍ମୀ । ଦିନେ ଯାହା ବିରୋଧରେ ପ୍ରଚାର କରିଥିଲେ, ଏବେ ତାଙ୍କ ସମର୍ଥନରେ କେମିତି ମାଗିବେ ଭୋଟ୍ । ବ୍ରହ୍ମପୁର ଲୋକସଭାରେ ରାଜନୀତିଠୁ ଅଧିକ ବ୍ୟକ୍ତିଗତ ପ୍ରତିଶୋଧର ଲଢେଇ ହେଉଛି ।
ଅପରପକ୍ଷରେ ପ୍ରଦୀପ ଓ ଭୃଗୁଙ୍କୁ ଗ୍ରାଉଣ୍ଡରେ ଉଭୟ ଦଳର ମୂଳ କର୍ମୀ ଓ ନେତା ଗ୍ରହଣ କରିବା ଏତେ ସହଜ ନୁହେଁ । ବିଦ୍ରୋହ ଉଭୟ ବିଜେଡି ଓ ବିଜେପିରେ ହୋଇପାରେ । ତେଣୁ ପରିବର୍ତ୍ତିତ ସ୍ଥିତିକୁ ନିଜ ସପକ୍ଷରେ ଆଣିବା ସେତେ ସହଜ ହେବନି । ସେପଟେ କଂଗ୍ରେସରୁ ଯୁବ କଂଗ୍ରେସ ମୁଖ୍ୟ ରଶ୍ମିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ତେବେ ମୁଖ୍ୟ ମୁକାବିଲା ପ୍ରଦୀପ ଓ ଭୃଗୁଙ୍କ ମଧ୍ୟରେ ହେବ ବୋଲି କୁହାଯାଉଛି ।












Click it and Unblock the Notifications