କର୍ଣ୍ଣାଟକ ନିର୍ବାଚନ : କଂଗ୍ରେସକୁ ଘାରିଲାଣି ‘ଅପରେସନ୍ ଲୋଟସ୍' ଭୟ, ସମସ୍ତ ପ୍ରାର୍ଥୀଙ୍କୁ ବେଙ୍ଗାଲୁରୁ ପହଞ୍ଚିବାକୁ ନିର୍ଦ୍ଦେଶ

ବାଙ୍ଗଲୋର : କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଗୋଟିଏ ଦିନ ବାକି ଥିବା ବେଳେ କଂଗ୍ରେସକୁ ଘାରିଛି ଅପରେସନ୍ ଲୋଟସ୍ ଭୟ । ବିଜେପିର ଅପରେସନ୍ ଲୋଟସ୍ ସହ କୌଣସି ରିସ୍କ ନ ନେଇ କଂଗ୍ରେସ ପ୍ରାର୍ଥୀମାନଙ୍କୁ ବେଙ୍ଗାଲୁରୁରେ ପହଞ୍ଚିବାକୁ କୁହାଯାଇଛି । ଏପରିକି ସରକାର ଗଠନ ନହେବା ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏକଜିଟ୍ ପୋଲରେ ରାଜ୍ୟରେ ଝୁଲା ବିଧାନସଭା ହେବା ନେଇ ଆକଳନ କରାଯାଇଛି । କିନ୍ତୁ ବିଜେପି ଏବଂ କଂଗ୍ରେସ ଉଭୟ ବହୁମତ ପାଇବେ ବୋଲି ଦୃଢୋକ୍ତି କରିଆସୁଛନ୍ତି । ସୂଚନାନୁସାରେ ଉଭୟ ଦଳ କ୍ଷମତା ହାସଲ କରିବାକୁ ଘୋଡ଼ା ବେପାର କରିବାକୁ ପ୍ରସ୍ତୁତ ଅଛନ୍ତି ।
ପୂର୍ବ ରାଜନୀତିକୁ ଦେଖିଲେ ଘୋଡ଼ା ବେପାରରେ ବିଜେପି ମାହିର । ବିଜେପି ରଣନୀତିକୁ ମାତ୍ ଦେବା ପାଇଁ କଂଗ୍ରେସ ଏକ ଓଲଟା ଅପରେସନ୍ ପାଇଁ ପ୍ରସ୍ତୁତ ହୋଇଛି । କଡ଼ା ମୁକାବିଲାକୁ ଏଡ଼ାଇବା ପାଇଁ କଂଗ୍ରେସ ନେତାମାନେ ଦଳର ପ୍ରାର୍ଥୀଙ୍କୁ ସୁରକ୍ଷା ଦେବା ପାଇଁ ସତର୍କତା ଅବଲମ୍ବନ କରିଛନ୍ତି ।
କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର, ରାଜ୍ୟ ଦାୟିତ୍ୱରେ ଥିବା ରଣଦୀପ ସିଂହ ସୁରଜେୱାଲା ଏବଂ ବିରୋଧୀ ଦଳର ନେତା ସିଦ୍ଧରମୈୟା ଗୁରୁବାର ରାତିରେ ସମସ୍ତ ପ୍ରାର୍ଥୀଙ୍କ ସହ ଭର୍ଚୁଆଲ୍ ବୈଠକ କରିଥିଲେ । ସେମାନେ କିପରି 'ଅପରେସନ୍ ଲୋଟସ' ର ଶିକାର ହେବେ ନାହିଁ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
ନେତାମାନେ ପ୍ରାର୍ଥୀଙ୍କୁ କହିଛନ୍ତି ଯେ ଏଥର କଂଗ୍ରେସ ସରକାର ଗଠନ କରିବାର ସୁଯୋଗ ପାଇବାକୁ ଯାଉଛି ଏବଂ ସେମାନେ ଏହି ପ୍ରଲୋଭନରେ ପଡ଼ିବା ଉଚିତ୍ ନୁହେଁ । ପ୍ରାର୍ଥୀମାନେ ଆଗୁଆ ରହିବା ଆରମ୍ଭ ହେବା ମାତ୍ରେ ବେଙ୍ଗାଲୁରୁରେ ପହଞ୍ଚିବାକୁ କୁହାଯାଇଛି । ସରକାର ଗଠନ ନହେବା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବାକୁ କୁହାଯାଇଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି ।












Click it and Unblock the Notifications