କର୍ଣ୍ଣାଟକ ଶପଥ ଗ୍ରହଣ ସମାରୋହ : ଜି ପରମେଶ୍ୱର, ଏମବି ପାଟିଲଙ୍କ ସମେତ ଏହି ବିଧାୟକ ହେବେ ମନ୍ତ୍ରୀ
କର୍ଣ୍ଣାଟକ ଶପଥ ସମାରୋହ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ ହେବା ପରେ ଆଜି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ସିଦ୍ଧରମୈୟା ଏବଂ ଡି.କେ ଶିବକୁମାରଙ୍କ ସମେତ ଅନେକ ବିଧାୟକ ଆଜି ନୂତନ କ୍ୟାବିନେଟ ପାଇଁ ଶପଥ ଗ୍ରହଣ କରିବେ । ଏହି ବିଧାୟକମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଡ ଜି ପରମେଶ୍ୱର, କେ.ଏଚ୍ ମୁନିୟାପ୍ପା, କେଜେ ଜର୍ଜ, ଏମବି ପାଟିଲ, ସତୀଶ ଜାର୍କିହୋଲି, ପ୍ରିୟଙ୍କା ଖାର୍ଗ, ରାମଲିଙ୍ଗା ରେଡ୍ଡୀ ଏବଂ ବିଜେ ଜାମିର ଅହମ୍ମଦ ଖାନ ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

କର୍ଣ୍ଣାଟକରେ ବିଜୟ ପରେ ଶପଥ ଗ୍ରହଣ ସମାରୋହ ମାଧ୍ୟମରେ କଂଗ୍ରେସ ବିରୋଧୀ ଏକତା ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି । ତେଣୁ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ କଂଗ୍ରେସ ଅନେକ ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ ପଠାଇଛି । ସେମାନଙ୍କ ମଧ୍ୟରେ ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନ, ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ବିହାର ସିଏମ ନୀତୀଶ କୁମାର ଏବଂ ଡେପୁଟି ସିଏମ ତେଜସ୍ୱୀ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ନିମନ୍ତ୍ରଣ କରାଯାଇଛି ।
ଏହା ବ୍ୟତୀତ ଝାଡଖଣ୍ଡର ସିଏମ ହେମନ୍ତ ସୋରେନ, ସିପିଆଇ ସାଧାରଣ ସମ୍ପାଦକ ଡି ରାଜା, ସିପିଆଇ-ଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଡକାଯାଇଛି । ଏହା ବ୍ୟତୀତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ, ରାଜସ୍ଥାନ ମୁଖ୍ୟ ଅଶୋକ ଗେହଲୋଟ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ କଂଗ୍ରେସ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ, ତେଲେଙ୍ଗାନା ସିଏମ କେସିଆର, କେରଳ ସି ପି ବିଜୟ, ଆନ୍ଧ୍ରପ୍ରଦେଶର ସିଏମ ଜଗନମୋହନ ରେଡ୍ଡୀ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରି ନାହି ।
ଶପଥ ଗ୍ରହଣ ସମାରୋହ ମଧ୍ୟାହ୍ନ 12:30 ରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର କାଣ୍ଟେରାଭା ଷ୍ଟାଡିୟମରେ ଅନୁଷ୍ଠିତ ହେବ । 13 ମେ ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । କଂଗ୍ରେସ 135 ଟି ସିଟ୍, ବିଜେପି 66 ଟି ସିଟ୍ ଏବଂ ଜେଡିଏସ୍ 19 ଟି ସିଟ୍ ଜିତିଛନ୍ତି ।












Click it and Unblock the Notifications