କର୍ଣ୍ଣାଟକ ନିର୍ବାଚନ: ବୟାନ ବାଜିକୁ ନେଇ ମୁହାଁମୁହିଁ ବିଜେପି-କଂଗ୍ରେସ, ନିର୍ବାଚନ ଆୟୋଗର ହେଲେ ଦ୍ୱାରସ୍ଥ

ବାଙ୍ଗଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଏଥର ନିର୍ବାଚନରେ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଛି । ପ୍ରଚାର ମୈଦାନରେ ଉଭୟ ଦଳର ବଡ଼ ବଡ଼ ନେତାଙ୍କ ଭିଡ଼ ଜମୁଛି । ଏହି ସମୟରେ ନେତାଙ୍କ ବୟାନ ବାଜି ବି ଲାଗି ରହିଛି । ଯାହାକୁ ନେଇ ଉଭୟ ବିଜେପି-କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ଆପତ୍ତିଜନକ ତଥା ବିଭ୍ରାନ୍ତିକର ମନ୍ତବ୍ୟ ବିରୋଧରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଭି ଅଭିଯୋଗ କରିଛନ୍ତି । ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ଖାଡ଼ଗେଙ୍କୁ ପ୍ରଚାରରୁ ବାରଣ କରାଯାଉ ଏବଂ ତାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଦାବି କରିଛନ୍ତି ।
କଂଗ୍ରେସ ନେତାଙ୍କ ଏକ ପ୍ରତିନିଧି ଦଳ ନିର୍ବାଚନ ଆୟୋଗର ଅଧିକାରୀମାନଙ୍କୁ ଭେଟିଥିଲେ । ଏଥିରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଭି, କଂଗ୍ରେସ ନେତା ପୱନ କୁମାର ବଂଶଲ ମଧ୍ୟ ସାମିଲ ହୋଇଥିଲେ । ଅଭିଷେକ ମନୁ ସିଂଭି କହିଛନ୍ତି ଯେ ବିଜେପିର ଶୀର୍ଷ ନେତୃତ୍ୱ, ବିଶେଷକରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ଆପତ୍ତିଜନକ ତଥା ବିଭ୍ରାନ୍ତିକର ମନ୍ତବ୍ୟ ବିରୋଧରେ ଆମେ ଅଭିଯୋଗ କରିଛୁ ।
ଅନ୍ୟ ପକ୍ଷରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ ଆଜି ଯେତେବେଳେ ଆମେ ଏହି ଘଟଣା ବିଷୟରେ ନିର୍ବାଚନ ଆୟୋଗଙ୍କୁ ଜଣାଇଥିଲୁ, ସେତେବେଳେ ଆମେ ଅନୁଭବ କରିଥିଲୁ ଯେ ନିର୍ବାଚନ ଆୟୋଗ ମଧ୍ୟ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି, କାରଣ ଏହା 'ସ୍ଲିପ ଅଫ୍ ଟଙ୍ଗ' ନୁହେଁ । ଏହିପରି ଶବ୍ଦଗୁଡିକ ଜାଣିଶୁଣି ବ୍ୟବହୃତ ହୋଇଥିଲା ଏବଂ ଏହା କଂଗ୍ରେସର ଘୃଣାର ଏକ ଅଂଶ । ଆମେ ଅନୁରୋଧ କରିଛୁ ଯେ ଖାଡ଼ଗେଙ୍କୁ ପ୍ରଚାର ଅଭିଯାନରୁ ବାରଣ କରାଯାଉ ଏବଂ ତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ କରାଯାଉ ।












Click it and Unblock the Notifications