ହିମାଚଳ ନିର୍ବାଚନ ପୂର୍ବରୁ AAP କୁ ବଡ ଝଟକା, ବିଜେପିରେ ସାମିଲ ହେଲେ ରାଜ୍ୟ ଅଧ୍ୟକ୍ଷ ସମେତ ଅନେକ ନେତା
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଚି ଏକ ବଡ଼ ଝଟକା । ଶନିବାର ଦିନ ଆମ୍ ଆଦମୀ ପାର୍ଟିର ହିମାଚଳ ପ୍ରଦେଶର ଅଧ୍ୟକ୍ଷ ଅନୁପ କେସରୀଙ୍କ ସମେତ ବହୁ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।
ଶିମଲା : ପଞ୍ଜାବ ବିଧାନସଭା ନିର୍ବାଚନରେ ଏକ ବୃହତ୍ ବିଜୟ ହାସଲ କରିବା ପରେ ହିମାଚଳ ପ୍ରଦେଶ ଏବଂ ଗୁଜୁରାଟ ଉପରେ ନଜର ରଖିଛି ଆମ୍ ଆଦମୀ ପାର୍ଟି । ଏହି ଦୁଇ ରାଜ୍ୟରେ ଆମ୍ ଆଦମୀ ପାର୍ଟି ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି ।

ଏଥିମଧ୍ୟରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଚି ଏକ ବଡ଼ ଝଟକା । ଶନିବାର ଦିନ ଆମ୍ ଆଦମୀ ପାର୍ଟିର ହିମାଚଳ ପ୍ରଦେଶର ଅଧ୍ୟକ୍ଷ ଅନୁପ କେସରୀଙ୍କ ସମେତ ବହୁ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଦଳ ଛାଡ଼ିଥିବା ଏହି ନେତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସଦସ୍ୟତା ଦେଇଛନ୍ତି ।
ହିମାଚଳ ପ୍ରଦେଶରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ଅନୁପ କେସରୀଙ୍କ ବ୍ୟତୀତ ସଂଗଠନର ସାଧାରଣ ସମ୍ପାଦକ ସତୀଶ ଠାକୁର ଏବଂ ଉନା ଜିଲ୍ଲା ସଭାପତି ଇକବାଲ ସିଂହ ମଧ୍ୟ ଭାରତୀୟ ଜନତା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିରେ ଯୋଗଦେବା ପରେ ଅନୁପ କେସରୀ ଅଭିଯୋଗ କରିଛନ୍ତି ଯେ ହିମାଚଳ ପ୍ରଦେଶରେ ଆମ୍ ଆଦମୀ ପାର୍ଟିର ସଂଗଠନ ଗଠନ ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି, କିନ୍ତୁ ନିକଟରେ ଯେତେବେଳେ ମଣ୍ଡି ଜିଲ୍ଲାରେ ଅରବିନ୍ଦ କେଜ୍ରିୱାଲଙ୍କ ରୋଡ୍ ସୋ ଅନୁଷ୍ଠିତ ହୋଇଥିଲା ସେତେବେଳେ ସ୍ଥାନୀୟ ନେତାଙ୍କୁ ସେଠାରେ ଅଣଦେଖା କରାଯାଇଥିଲା । ଅନୁପ କେସରୀ କହିଛନ୍ତି ଯେ ରୋଡ୍ ସୋ ସମୟରେ କେବଳ ଦିଲ୍ଲୀରୁ ଆସିଥିବା ନେତାମାନଙ୍କୁ ଧ୍ୟାନ ଦିଆଯାଇଥିଲା ଏବଂ ହିମାଚଳର ସ୍ଥାନୀୟ ନେତାମାନଙ୍କୁ ଅଣଦେଖା କରାଯାଇଥିଲା ।












Click it and Unblock the Notifications