ବିଜେପିର 27 ବର୍ଷ ପୁରୁଣା ଦୁର୍ଗକୁ ଭାଙ୍ଗିବାରେ ସକ୍ଷମ ହେବ କି AAP, ବିଜେପି ପାଇଁ ପ୍ରତିଷ୍ଠାର ସମ୍ମାନ...
ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ ଦଳ ପରସ୍ପରକୁ ମାତ୍ ଦେବା ପାଇଁ ଅଣ୍ଟା ଭିଡ଼ିଲେଣି । ଗତ ନିର୍ବାଚନ ତୁଳନାରେ ଗୁଜୁରାଟରେ ନିର୍ବାଚନ ସମୀକରଣ ଏଥର ସମ୍ପୂର୍ଣ୍ଣ ଭିନ୍ନ ରହିଛି ।
ଗୁଜୁରାଟ ନିର୍ବାଚନ 2022 : ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଖୁବ୍ ଶୀଘ୍ର ତାରିଖ ଘୋଷଣା କରିପାରନ୍ତି । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ ଦଳ ପରସ୍ପରକୁ ମାତ୍ ଦେବା ପାଇଁ ଅଣ୍ଟା ଭିଡ଼ିଲେଣି । ଗତ ନିର୍ବାଚନ ତୁଳନାରେ ଗୁଜୁରାଟରେ ନିର୍ବାଚନ ସମୀକରଣ ଏଥର ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏଥର ମୁଖ୍ୟ ରାଜନୈତିକ ଦଳ ଭାବେ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ବ୍ୟତୀତ ଆମ୍ ଆଦମୀ ପାର୍ଟି ମଧ୍ୟ ପ୍ରବେଶ କରିଛି ।

ବଡ଼ ପ୍ରତିଦ୍ୱନ୍ଦୀରେ AAP ର ଏଣ୍ଟ୍ରି
ଦିଲ୍ଲୀ ଏବଂ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରାକର ଗଠନ କରିବା ପରେ ଏହାର ଆତ୍ମବଳ ବଢିଛି । ଏପରିକି ବର୍ତ୍ତମାନ ଆମ୍ ଆଦମୀ ପାର୍ଟିର ନଜର ଗୁଜୁରାଟ ଉପରେ ରହିଛି । ଦଳ ତୃଣମୂଳ ସ୍ତରରୁ ନିଜର ସଙ୍ଗଠନକୁ ସୁଦୃଢ କରିବାକୁ ଜୋରଦାର ପ୍ରୟାସ କରୁଛି । ଗୁଜୁରାଟ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଉଭୟ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସର ଅସୁବିଧାକୁ ବଢାଇ ପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଗୁଜୁରାଟ ପାଇଁ ଆମ୍ ଆଦମୀ ପାର୍ଟି ନିଜ ପ୍ରସ୍ତୁତିକୁ ଜୋରଦାର କରିଛି । ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ରାଘବ ଚଡ୍ଡାଙ୍କ ସମେତ ଅନେକ ନେତା ଏଠାରେ ସମାବେଶ କରୁଛନ୍ତି ।
ଭାରତୀୟ ଜନତା ପାର୍ଟି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଗୁଜରାଟରେ କ୍ଷମତାରେ ଅଛି । ଗୋଟିଏ ପରେ ଗୋଟିଏ କ୍ରମାଗତ ନିର୍ବାଚନରେ ବିଜୟୀ ହୋଇ ଭାରତୀୟ ଜନତା ପାର୍ଟି ନିଜର ସର୍ବୋଚ୍ଚତା ପ୍ରଦର୍ଶନ କରିଛି । ରାଜ୍ୟରେ ସମୁଦାୟ ବିଧାନସଭା ଆସନ ବିଷୟରେ କହିବାକୁ ଗଲେ ଏହାର ସଂଖ୍ୟା 182 । ସେଥିମଧ୍ୟରୁ ଭାରତୀୟ ଜନତା ପାର୍ଟି ନିକଟରେ 111 ଟି ଆସନ, କଂଗ୍ରେସର 62 ଟି ଆସନ ରହିଛି । ଏଠାରେ ସରକାର ଗଠନ ପାଇଁ କୌଣସି ଦଳକୁ 92 ଆସନ ଆବଶ୍ୟକ । ତେବେ ରାଜ୍ୟରେ ଆମ୍ ଆଦମୀ ପାର୍ଟିର ପ୍ରବେଶ ନିର୍ବାଚନକୁ ଆହୁରି ଆକର୍ଷଣୀୟ କରିଛି । ଦେଖିବାକୁ ବାକି ରହିଲା ଆମ୍ ଆଦମୀ ପାର୍ଟି କେବଳ କଂଗ୍ରେସ ଏବଂ ବିଜେପିର ଭୋଟ୍ ହ୍ରାସ କରିବାରେ ସଫଳ ହେଉଛି ନା କିଛି ବଡ ପରିବର୍ତ୍ତନ ଆଣୁଛି ।
ଗୁଜୁରାଟରେ ପଟେଲ୍ ଭୋଟ୍ ନିର୍ଣ୍ଣାୟକ
ଗୁଜୁରାଟ ନିର୍ବାଚନରେ ପଟେଲ ଭୋଟରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ପ୍ରତ୍ୟେକ ଦଳ ପଟେଲ ଭୋଟରଙ୍କୁ ନିଜ ପକ୍ଷରେ ଆଣିବାକୁ ଚେଷ୍ଟା କରନ୍ତି । ଆମ୍ ଆଦମୀ ପାର୍ଟି ମଧ୍ୟ ଏହାକୁ ଧ୍ୟାନରେ ରଖି ଗୋପାଳ ଇଟାଲୀୟା ଙ୍କୁ ଏହାର ରାଜ୍ୟ ସଂଯୋଜକ କରିଛି । ରାଜ୍ୟରେ ପଟେଲ ଭୋଟ୍ ବିଷୟରେ କହିବାକୁ ଗଲେ ସେମାନଙ୍କର ମୋଟ ଜନସଂଖ୍ୟା ପ୍ରାୟ 15 ପ୍ରତିଶତ, ଆସନ ଦୃଷ୍ଟିରୁ ମୋଟ 70 ଟି ସିଟ୍ ଉପରେ ପଟେଲଙ୍କର ପ୍ରଭାବ ରହିଛି । ଏଥିରୁ ସ୍ପଷ୍ଟ ଯେ ରାଜ୍ୟରେ ସରକାର ଗଠନ ପାଇଁ ପଟେଲ ଭୋଟରଙ୍କର ଭୂମିକା କେତେ ଗୁରତ୍ୱପୂର୍ଣ୍ଣ । ଏପରିକି ପଟେଲ ଭୋଟରଙ୍କୁ ମନାଇବା ପାଇଁ ବିଜେପି ଗୁଜରାଟ ମୁଖ୍ୟମନ୍ତ୍ରୀ ମଧ୍ୟ ବଦଳାଇଛି । ବିଜୟ ରୂପାନୀ ଇସ୍ତଫା ଦେବା ପରେ ବର୍ତ୍ତମାନ ଭୁପେନ୍ଦ୍ର ଭାଇ ପଟେଲ ଏଠାରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି, ଅନେକ ପାଟିଦାର ବିଧାୟକଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯାଇଥିଲା ।
ପଟେଲ ଭୋଟର ମହତ୍ତ୍ୱ ବୁଝନ୍ତି ଦଳ
1995 ପରଠାରୁ ରାଜ୍ୟରେ ବିଜେପି କ୍ରମାଗତ ଭାବରେ କ୍ଷମତାରେ ଅଛି । ଯଦିଓ 2017 ରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଆସନର ପାର୍ଥକ୍ୟ ଯଥେଷ୍ଟ ହ୍ରାସ ପାଇଥିଲା, ଏହାର କାରଣ ଥିଲା ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେବା । କିନ୍ତୁ ହାର୍ଦ୍ଦିକ ପଟେଲ ବର୍ତ୍ତମାନ ଯେଉଁଭଳି ଭାବେ ବିଜେପି ସହିତ ଆସିଛନ୍ତି, ବିଶ୍ୱାସ କରାଯାଏ ଯେ ଏହି ସମୟରେ ସମୀକରଣ ବଦଳି ଯାଇପାରେ । ବର୍ତ୍ତମାନର କ୍ୟାବିନେଟରେ ପଟେଲ ସମାଜର 7 ଜଣ ମନ୍ତ୍ରୀ ଅଛନ୍ତି । ଆମ୍ ଆଦମୀ ପାର୍ଟି ମଧ୍ୟ ପଟେଲ ଭୋଟରଙ୍କ ମହତ୍ତ୍ୱ ବୁଝି ଏହାର ନିର୍ବାଚନ ପ୍ରଚାର, ଅଭିଯାନରେ ପଟେଲ ସମ୍ପ୍ରଦାୟ ବିଷୟରେ ନିରନ୍ତର ଆଲୋଚନା କରୁଛି । ଏହି ସମୀକରଣକୁ ପୂରଣ କରିବା ପାଇଁ, AAP ମ୍ୟୁନିସିପାଲଟି ନିର୍ବାଚନରେ ପଟେଲଙ୍କୁ ଟିକେଟ୍ ଦେଇଥିଲା, ସୁରଟରେ 27 ଟି ଆସନ ଜିତିଥିଲା ଏବଂ ଗୋପାଳ ଇଟାଲୀୟା ଙ୍କୁ ରାଜ୍ୟ ସଭାପତି କରିଥିଲା ।

ଦୌଡ଼ରେ ପଛରେ ପଡ଼ିଛି କଂଗ୍ରେସ
ରାଜ୍ୟରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇବା ସତ୍ତ୍ୱେ ଗୁଜରାଟରେ ଏପର୍ଯ୍ୟନ୍ତ କଂଗ୍ରେସ କୌଣସି ଅଗ୍ରଗତି ହାସଲ କରିଥିବା ନଜର ଆସୁନାହିଁ । ଗୁଜୁରାଟରେ ଦଳର କୌଣସି ବଡ ନେତା ଦେଖିବାକୁ ମିଳୁ ନାହାଁନ୍ତି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ମଧ୍ୟ ଗୁଜୁରାଟ ସାମିଲ ନାହିଁ । ରିପୋର୍ଟ ଅନୁଯାୟୀ, ପଟେଲ ଭୋଟରଙ୍କୁ ନିଜ ପକ୍ଷରେ କରିବା ପାଇଁ ଖୋଡଲଧାମ ଟ୍ରଷ୍ଟର ଚେୟାରମ୍ୟାନ୍ ନରେଶ ପଟେଲଙ୍କୁ ନିଜ ସହିତ ଆଣିବାକୁ କଂଗ୍ରେସ ଚେଷ୍ଟା କରୁଛି । ତେବେ ସେ ରାଜନୀତିରେ ଯୋଗଦେବାକୁ ମନା କରି ଦେଇଛନ୍ତି । ଏଭଳି ପରିସ୍ଥିତିରେ କଂଗ୍ରେସ ଯେପରି ରାଜ୍ୟରେ ନିଷ୍କ୍ରିୟ ମନେ ହେଉଛି, ଏହା ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିପାରେ ବୋଲି ରାଜନୈତିକର ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ।
ବିଜେପିର ପ୍ରତିଷ୍ଠାର ସମ୍ମାନ
ଗୁଜୁରାଟ ସର୍ବଦା ଭାରତୀୟ ଜନତା ପାର୍ଟି ପାଇଁ ସମ୍ମାନର ପ୍ରଶ୍ନ ହୋଇଆସିଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ରାଜ୍ୟ । ଏହି କାରଣରୁ ଦଳର ସମସ୍ତ ବରିଷ୍ଠ ନେତାମାନେ ପ୍ରଚାର ପାଇଁ ଏଠାକୁ ଆସନ୍ତି । ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ଏଠାରେ ପ୍ରଚାର ଦାୟିତ୍ୱ ନେଇଛନ୍ତି । ଉଭୟ ନେତା ବିଜେପିର 27 ବର୍ଷ ପୁରୁଣା ଶାସନକୁ ରାଜ୍ୟରେ ହାତଛଡ଼ା କରିବାକୁ ଚାହୁଁନାହାଁନ୍ତି ।
ପ୍ରକାଶ ଥାଉକି, ଯେଉଁଭଳି ଭାବରେ ଆମ୍ ଆଦମୀ ପାର୍ଟି ଏଠାରେ ନିଜର ପ୍ରସ୍ତୁତି ଆରମ୍ଭ କରିଛି, ଏହା ପରେ ଭାରତୀୟ ଜନତା ପାର୍ଟି ଏଥର ଟିକିଏ ଅଧିକ ସକ୍ରିୟ ଏବଂ ସଚେତନ ଥିବା ଜଣାପଡୁଛି । ତେବେ ଦେଖିବାକୁ ବାକି ରହିଲା ଆମ୍ ଆଦମୀ ପାର୍ଟି ବିଜେପିର ପ୍ରାୟ ତିନି ଦଶନ୍ଧିର ବିଜୟ ଦୁର୍ଗରେ ପ୍ରବେଶ କରିପାରିବ ନା କେବଳ ଭୋଟ୍ କଟ୍ ଭାବରେ ରହିବ ।












Click it and Unblock the Notifications