ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ପୋରକ ବୟାନ, ଓଡ଼ିଶାକୁ ଲୁଟୁଛନ୍ତି ‘ଗ୍ୟାଙ୍ଗ ଅଫ୍ ଫାଇଭ୍'
ଭୁବନେଶ୍ୱର: ଦୀପାବଳି ପର ଦିନ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି ଗୋପାଳପୁର ବିଧାୟକଙ୍କ ବିସ୍ପୋରକ ବୟାନ । ଦିନେ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର ଥିବା ଗୋପାଳପୁର ବିଧାୟକ ପ୍ରଦୀ ପାଣିଗ୍ରାହୀ ଏବେ ସିଧା ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆଙ୍ଗୁଠି ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଦୁର୍ନୀତିର ଅନ୍ତୁଡିଶାଳ ପାଲଟିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ । ଏହା ସହ ନିଜ ବୟାନରେ କହିଛନ୍ତି ଓଡ଼ିଶାକୁ ଲୁଟୁଛନ୍ତି 'ଗ୍ୟାଙ୍ଗ ଅଫ୍ ଫାଇଭ୍' । ଏମିତି କିଛି ସାଂଘାତିକ ଅଭିଯୋଗ ଆଣି ବର୍ଷିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

ଏହା ସହ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ପ୍ରଦୀପ । ଗଞ୍ଜାମ ବିଜେଡି ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀକୁ କାଉଣ୍ଟର କରିଛନ୍ତି ସେ । ଅନ୍ୟପକ୍ଷରେ ତାଙ୍କ ନାଁରେ ବିଜେଡିର ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଜବାବ ରଖି ପ୍ରଦୀପ ଚାଲେଞ୍ଜ କରିଛନ୍ତି, ମୁଖ୍ୟମନ୍ତ୍ରୀ ଟିମ୍ କରନ୍ତୁ, ଖୋଲା ବିତର୍କ କରିବି ।
ସେ ଆଜି ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ କହୁଥିବା ଏକ ଧାଡିକୁ କାଉଣ୍ଟର କରିଛନ୍ତି । ସେ କହିଛନ୍ତି, ରାଜ୍ୟର ଆଇନ ତା ବାଟରେ ଚାଲିନାହିଁ ବରଂ ଏକ ଉଦ୍ଦେଶ୍ୟ ରଖି ଚାଲିଛି । ଗୋପାଳପୁର ବିଧାୟକ କହିଛନ୍ତି, ରାଜ୍ୟକୁ ପାଞ୍ଚ ଜଣିଆ ଗ୍ୟାଙ୍ଗ ଲୁଟୁଛନ୍ତି । ସିଏମଓ ଅଫିସ ଦୁର୍ନୀତିର ଗନ୍ତାଘର ପାଲଟିଛି । ସିଏମଓରେ ନିୟୋଜିତ ଥିବା ଅଧିକାରୀ ଦୁର୍ନୀତିରେ ଲିପ୍ତ ରହିଛନ୍ତି । ଓପିଏସସି, ଏସଏସସି ଅଧ୍ୟକ୍ଷ ଏବଂ ସଦସ୍ୟ ଦୁର୍ନୀତିରେ ସାମିଲ ଥିବା ସେ କହିଛନ୍ତି ।
ଏହା ସହ ବିଜେଡି ପାଣ୍ଠିକୁ କେଉଁଠୁ ଏତେ ଟଙ୍କା ଆସୁଛି ତାହାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । 2017-2022 ଯାଏଁ ବିଜେଡିର ଦଳୀୟ ପାଣ୍ଠି ଭାବେ 622 କୋଟି ଟଙ୍କା ଜମା ହୋଇଛି । ଓଡ଼ିଶା ଏକ ଗରିବ ରାଜ୍ୟ ହୋଇଥିଲେ ମଧ୍ୟ ବିଜେଡିକୁ ଦ୍ୱିତୀୟ ସର୍ବାଧିକ ପାଣ୍ଠି ମିଳିଛି । ଏତେ ଟଙ୍କା କେଉଁଠୁ ଆସୁଛି ? ଆଗରୁ ଏମିତି ହେଉ ନ ଥିଲା । ଏହା ପଛର ରହସ୍ୟ କ'ଣ ? ଏହି ଅର୍ଥ କେଉଁଠୁ ଆସୁଛି ତାହା ଜାଣିଲେ ଓଡ଼ିଶାର ସାଧାରଣ ଜନତା ବେଶ୍ ଉପକୃତ ହେବେ । ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ରାଜ୍ୟରେ ଦାରିଦ୍ର୍ୟ ଦୂର କରିବା ପାଇଁ ଆପଣ କହୁଛନ୍ତି । ତେବେ ତୁମର ସବୁ ଯୋଜନା ଘୋଟାଲାରେ ପରିଣତ ହୋଇଛି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।
ବିଜେପିରେ ଯୋଗ ଦେବାର ସମ୍ଭାବନା ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ, ଏ ସମ୍ପର୍କରେ ସେ ଏଯାଏ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ସେ କହିଛନ୍ତି, ମୁଁ ଦିଲ୍ଲୀ ଯାଇ ବିଜେପି ନେତାଙ୍କୁ ଭେଟିଥିଲି ବୋଲି ବିଜେଡି ଖବର କେଉଁଠୁ ପାଇଲା କେମିତି ?
ସୂଚନାଥାଉକି, ଗତ ଅକ୍ଟୋବର 31 ତାରିଖରେ ରାଜଭବନଠାରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ବସିବା ନେଇ ପ୍ରଦୀପ ବିଜେପି ଯିବା ଚର୍ଚ୍ଚା ଜୋର ଧରିଥିଲା । ଆଉ ଏହି ଚର୍ଚ୍ଚାକୁ ନେଇ ଗତ ଶନିବାର ଦିନ ସାମ୍ବାଦିକ ସମ୍ମିଳନୀ କରି ଗଞ୍ଜାମ ବିଜେଡି ପ୍ରଦୀପ ଏବଂ ବିଜେପିକୁ ଟାର୍ଗେଟ କରିଥିଲା । ପ୍ରଦୀପଙ୍କ ବିରୋଧରେ ନିଯୁକ୍ତି ଦୁର୍ନୀତି, ମଦ ଏବଂ ବାଲି ମାଫିଆଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗ ଥିବା ବେଳେ ବିଜେପି ତାଙ୍କୁ କାହିଁକି ଗ୍ରହଣ କରୁଛି ସେ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ନେତା ରମେଶ ଚ୍ୟାଉପଟନାୟକ ଓ ବିଧାୟକ ବିକ୍ରମ ପଣ୍ଡା । ଆଜି ସେ ସଂପର୍କରେ ବି ପ୍ରତିକ୍ରିୟା ରଖି ଖୁଲାସା କରିଛନ୍ତି ପ୍ରଦୀପ । ଏମିତି କି ଅନେକ ରାଜନୈତିକ ଦଳରୁ ତାଙ୍କୁ ଯୋଗାଯୋଗ କରାଯାଇଛି ହେଲେ ସେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି । ବିଜେଡି ଭୟଭୀତ ହୋଇ ଆଗୁଆ ସାମ୍ବାଦିକ ସମ୍ମିଳନୀ କରିଥିବା ପ୍ରଦୀପ କହିଛନ୍ତି ।
ସେପଟେ ପ୍ରଦୀପଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ କହିଛନ୍ତି, ପ୍ରଦୀପ ପାଣିଗ୍ରାହୀ କେଉଁ ଦଳରେ ଯୋଗଦେବେ, ସେନେଇ ବିଜେଡି ଆଦୌ ଭୟଭୀତ ନୁହେଁ । ପ୍ରଦୀପ, ବିଜେପି ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଆଲୋଚନା କରୁଛନ୍ତି । ପୂର୍ବରୁ ତାଙ୍କ ବିରୋଧରେ ଯେତେବେଳେ ଅଭିଯୋଗ ଆସିଥିଲା, ସେତେବେଳେ ଉଭୟ ବିଜେପି ଓ କଂଗ୍ରେସ ସମାଲୋଚନା କରିଥିଲେ । ତେଣୁ ଏଭଳି ନେତାଙ୍କୁ ନେବା ପୂର୍ବରୁ କୌଣସି ଦଳ ସତର୍କ ହେବା ଦରକାର । କାରଣ ପ୍ରଦୀପ ପାଣିଗ୍ରାହୀ କେବେବି ଲୋକଙ୍କ ପାଇଁ ନୁହେଁ ବରଂ ସମାଜର କ୍ଷତି ପାଇଁ କରନ୍ତି ବୋଲି ରମେଶ ଚ୍ୟାଉ ପଟ୍ଟନାୟକ କହିଛନ୍ତି ।












Click it and Unblock the Notifications