Flash Back 2022: କିପରି ରହିଥିଲା ଓଡ଼ିଶାରେ ଉପ ନିର୍ବାଚନ, କାହା ପଲା ଥିଲା ଭାରୀ...
ଏପରି ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହୋଇଥିଲା ଯାହାକି ଓଡ଼ିଶାର ରାଜନୈତିକ ମାହୋଲକୁ ସରଗରମ ରଖିଥିଲା । ତେବେ ଆସନ୍ତୁ ଜାଣିବା 2022 ରେ ଓଡ଼ିଶାରେ ହୋଇଥିବା ଉପ ନିର୍ବାଚନ ସମ୍ପର୍କିତ କିଛିଟା ରୋଚକ କଥା ।
ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ରାଜନୀତି ପାଇଁ ଥିଲା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ଯଦିଓ କୌଣସି ସାଧାରଣ ନିର୍ବାଚନ କିମ୍ବା ଲୋକସଭା ନିର୍ବାଚନ ହୋଇନାହିଁ, ତଥାପି 2022 ମସିହାରେ ଓଡ଼ିଶାରେ ହୋଇଥିବା ଉପ ନିର୍ବାଚନର ଖବର ଶିରୋନାମାରେ ରହିଥିଲା । ପାଠକ ଉପ ନିର୍ବାଚନ ଖବର ଜାଣିବାକୁ ଉତ୍କଣ୍ଠାର ସହ ଚାହିଁ ରହୁଥିଲେ । କାରଣ ଏପରି ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହୋଇଥିଲା ଯାହାକି ଓଡ଼ିଶାର ରାଜନୈତିକ ମାହୋଲକୁ ସରଗରମ ରଖିଥିଲା । ତେବେ ଆସନ୍ତୁ ଜାଣିବା 2022 ରେ ଓଡ଼ିଶାରେ ହୋଇଥିବା ଉପ ନିର୍ବାଚନ ସମ୍ପର୍କିତ କିଛିଟା ରୋଚକ କଥା ।

ବ୍ରଜରାଜନଗର ଉପ ନିର୍ବାଚନ:
2022 ରେ ରାଜ୍ୟର ପ୍ରଥମ ଉପ ନିର୍ବାଚନ ଥିଲା ବ୍ରଜରାଜନଗର ଉପ ନିର୍ବାଚନ । 2021 ବର୍ଷ ଶେଷ ତଥା ଡିସେମ୍ବର 30 ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ଏହି ଆସନ ଖାଲି ପଡ଼ିଥିଲା । ଏହି ଆସନରେ ମେ' 31 ରେ ଉପ ନିର୍ବାଚନ କରିବାକୁ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ଏହା ପରେ ଏହି ଆସନକୁ ହାତେଇବାକୁ ରାଜନୈତିକ ଦଳ ମଧ୍ୟରେ ହୋଇଥିଲା ଅଙ୍କ କଷା । ଶାସକ ବିଜେଡ଼ି ଆସନକୁ ନିଜ ଦଖଲରେ ରଖିବାକୁ ଜୋରଦାର ପ୍ରୟାସ କରିବା ବେଳେ ବିଜେପି ହାତରୁ ଖସିଯାଇଥିବା ଏହି ଆସନକୁ ପୁଣି ଫେରିପାଇବାକୁ କରିଥିଲା ସମ୍ପୂର୍ଣ୍ଣ ପ୍ରଚେଷ୍ଟା । ଏହା ବ୍ୟତୀତ ଅତୀତରେ କଂଗ୍ରେସର ଗଡ଼ କୁହାଯାଉଥିବା ଏହି ଆସନକୁ ଅକ୍ତିଆର କରି ନିଜର ସଙ୍ଗଠନକୁ ଶସକ୍ତ କରିବାକୁ ଅଣ୍ଟା ଭିଡ଼ିଥିଲା କଂଗ୍ରେସ ।
ରାଜ୍ୟବାସୀଙ୍କ ନଜର ଥିଲା ଏହି ଆସନର ଫଳାଫଳ ଉପରେ । 1961 ମସିହାରୁ ସିପିଆଇ ଏବଂ କଂଗ୍ରେସର ଗଡ଼ ଭାବେ ପରିଚିତ ଥିବା ଏହି ଆସନ 2014 ମସିହାରେ ବିଜେପି ଦଖଲକୁ ଆସିଥିଲା । ବିଜେପିର ରାଧାରାଣୀ ପଣ୍ଡା ଏହି ଆସନକୁ କଂଗ୍ରେସ ହାତରୁ ଛଡ଼ାଇ ନେଇଥିଲେ । କିନ୍ତୁ ଏହି ଧାରା ବଜାୟ ରଖିବାରେ ସଫଳ ହୋଇନଥିଲା ବିଜେପି । 2019 ସାଧାରଣ ନିର୍ବାଚନରେ ଶାସକ ବିଜେଡ଼ି ନେତା କିଶୋର ମହାନ୍ତି ଏହି ଆସନରୁ ବିଜୟୀ ହୁଅନ୍ତି । କିନ୍ତୁ ତାଙ୍କ ଦେହାନ୍ତ ପରେ ଏହି ଆସନରେ ହୋଇଥିଲା ଉପ ନିର୍ବାଚନ ।

କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡ଼ି ଟିକେଟ୍ ଦେଇ ଖେଳିଥିଲା ଅନୁକମ୍ପା ଭୋଟ୍ ରାଜନୀତି । ଅନ୍ୟପକ୍ଷରେ ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ମୈଦାନରେ ଓହ୍ଲାଇଥିଲା । ସେହିପରି କଂଗ୍ରେସ ଏହାର ଟାଣୁଆ ନେତା କିଶୋର ପଟେଲଙ୍କୁ ଟିକେଟ୍ ଦେଇଥିଲା । ଉଭୟ ବିଜେପି ଓ କଂଗ୍ରେସ ନିଜ ପୁରୁଣା ଆସନ ହାତେଇବାରେ ଲାଗିପଡ଼ିଥିବା ବେଳେ ବିଜେଡ଼ି ପାଇଁ ଥିଲା ଏହା ସମ୍ମାନର ପ୍ରଶ୍ନ । ବିଜେଡ଼ି ତୃଣମୂଳସ୍ତରରେ ସଙ୍ଗଠନକୁ ଆହୁରି ମଜବୁତ କରିବା ସହ ଭୋଟ୍ ପ୍ରତିଶତ ବଢାଇବାକୁ କରିଥିଲା ଯଥେଷ୍ଟ ପ୍ରୟାସ ।
ଜୁନ୍ 3 ତାରିଖରେ ପ୍ରକାଶ ପାଇଥିଲା ଫଳାଫଳ । ଫଳାଫଳ ଏପରି ଥିଲା ଯେ ଉଭୟ ବିଜେପି ଓ କଂଗ୍ରେସ ପାଦ ତଳୁ ମାଟି ଖସିଯାଇଥିଲା । 2019 ନିର୍ବାଚନରେ ସ୍ୱର୍ଗତ କିଶୋର ମହାନ୍ତି ପାଇଥିବା ଭୋଟ୍ ଠାରୁ 12.55 ପ୍ରତିଶତ ଅଧିକ ଭୋଟ୍ ପାଇ ବିପୁଳ ବିଜୟ ହାସଲ କରିଥିଲେ ତାଙ୍କ ପତ୍ନୀ ଅଳକା ମହାନ୍ତି । ସେ 93 ହଜାର 953 ଖଣ୍ଡ ଭୋଟ୍ ପାଇ ତାଙ୍କ ପ୍ରତିଦ୍ୱନ୍ଦୀଙ୍କ ଠାରୁ ବହୁ ଆଗରେ ଥିଲେ । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ 27 ହଜାର 831 ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଅପରପକ୍ଷରେ 2014 ରେ ବିଜେପି କୁ ବିଜୟ ଦେଇଥିବା ରାଧାରାଣୀ ପଣ୍ଡା ମାତ୍ର 22 ହଜାର 630 ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନକୁ ଖସି ଆସିଥିଲେ । ସିପିଆଇ, କଂଗ୍ରେସ ଏବଂ ପରେ ବିଜେପି ଅକ୍ତିଆରରେ ଥିବା ବ୍ରଜରାଜନଗର ଆସନ ପୁଣି ବିଜେଡ଼ି ଖାତାରେ ରହିଛି ।
ଧାମନଗର ଉପ-ନିର୍ବାଚନ
ଚଳିତ ବର୍ଷର ତିନୋଟି ଉପ ନିର୍ବାଚନ ମଧ୍ୟରୁ ଧାମନଗର ଉପ ନିର୍ବାଚନ ଥିଲା ସବୁଠାରୁ ରୋଚକ । ଧାମନଗର ଏପରି ଏକ ଆସନ ଯେଉଁଠି କୌଣସି ଏକ ଦଳର ପତିଆରା ଲାଗି ରହିନାହିଁ । ଧାମନଗର ଭୋଟର କିଛି ବ୍ୟବଧାନରେ ନେତା ଚୟନରେ ଦେଖାଇଥାନ୍ତି ଚତୁରତା । ଯାହାକି ଓଡ଼ିଶା ରାଜନୀତିକୁ ଆହୁରି ଉତ୍ସାହଜନକ କରିଦିଏ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିଥିବା ଏହି ଆସନରେ କେବେ କଂଗ୍ରେସ ତ କେବେ ଜନତା ଦଳ ଏବଂ ଉତ୍କଳ କଂଗ୍ରେସକୁ ସୁଯୋଗ ଦେଇଛନ୍ତି ଧାମନଗରବାସୀ । କିନ୍ତୁ 2004 ସାଧାରଣ ନିର୍ବାଚନ ପର ଠାରୁ ଏହି ଆସନରେ ବିଜେଡ଼ି ଓ ବିଜେପି ମଧ୍ୟରେ ଛକାପଞ୍ଝା ଲାଗି ରହିଛି । କିନ୍ତୁ 2019 ନିର୍ବାଚନରେ ବିଜେପି ଟିକେଟରୁ ବିଜେୟୀ ହୋଇଥିବା ବିଷ୍ଣୁ ସେଠୀଙ୍କର ସେପ୍ଟେମ୍ବର 19 ରେ ଦେହାନ୍ତ ପରେ ହୋଇଥିଲା ଉପ ନିର୍ବାଚନ ।

ଏହି ଆସନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଥିବାବେଳେ ବିଜେଡ଼ି ପାଇଁ ଆସନ ହାତେଇବାର ଥିଲା ଏକ ସୁଯୋଗ । ଏହି ଧାରାରେ ଲାଗି ରହିଥିଲା ନିର୍ବାଚନୀ ପ୍ରଚାର । ନଭେମ୍ବର 3 ତାରିଖରେ ଉପ ନିର୍ବାଚନ ନେଇ ଘୋଷଣା ହେବା ପରେ ସାରା ଓଡ଼ିଶାର ରାଜନୈତିକ ମାହୋଲ ପୁରା ସରଗରମ ହୋଇ ଉଠିଥିଲା । ବିଜେପି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ କରିଥିଲା ପ୍ରାର୍ଥୀ । କିନ୍ତୁ ବିଜେଡ଼ି ପାଇଁ ଏହି ଆସନରେ ପ୍ରାର୍ଥୀ ଚୟନ ନେଇ ଆରମ୍ଭ ହୋଇଥିଲା କନ୍ଦଳ । ବହୁ କଳ୍ପନାଜଳ୍ପନା ଓ ବାଦବିବାଦ ପରେ ବିଜେଡ଼ି ଅବନ୍ତି ଦାସଙ୍କୁ ଟିକେଟ୍ ଦେଇ ଖେଳିଥିଲା ମହିଳା କାର୍ଡ଼ । ଏହା ପରେ ବିଜେଡ଼ିର ସମସ୍ୟା ଥମିବା ବଦଳରେ ବଢିଥିଲା ମୁଣ୍ଡବିନ୍ଧା ।
ସେଠାକାର ପୂର୍ବତନ ବିଧାୟକ ତଥା ଦଳର ଟାଣୁଆ ନେତା ରାଜେନ୍ଦ୍ର ଦାସ ଆରମ୍ଭ କରିଥିଲେ ବିଦ୍ରୋହ । ସେ ଦଳ ହାଇକମାଣ୍ଡଙ୍କ ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ଘୋଷଣା କରିଥିଲେ । ଯାହାକି ବିଜେଡ଼ି ପାଇଁ ଭାରୀ ପଡ଼ିଥିଲା । ଅନ୍ୟପକ୍ଷରେ କଂଗ୍ରେସ ହରେକୃଷ୍ଣ ସେଠୀଙ୍କୁ କରିଥିଲା ପ୍ରାର୍ଥୀ ।
ବହୁ ପ୍ରତୀକ୍ଷା ପରେ ନଭେମ୍ବର 6 ତାରିଖରେ ଖୋଲିଥିଲା ନେତାଙ୍କ ଭାଗ୍ୟପେଡ଼ି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୂ ସୁରଜ 80 ହଜାର 351 ଖଣ୍ଡ ଭୋଟ୍ ପାଇ ବାପାଙ୍କ ଆସନ ବଜାୟ ରଖିଲେ । 70 ହଜାର 470 ଖଣ୍ଡ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ବିଜେଡ଼ି ପ୍ରାର୍ଥିନୀ ଅବନ୍ତି ଦାସ । ବିଦ୍ରୋହ କରି ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ରାଜେନ୍ଦ୍ର ଦାସଙ୍କୁ ମିଳିଥିଲା ମାତ୍ର 8153 ଭୋଟ୍ । ସେହିପରି କଂଗ୍ରେସ ଖାତାରେ ପଡ଼ିଥିଲା ମାତ୍ର 3533 ଭୋଟ୍ ।
ପଦ୍ମପୁର ଉପ ନିର୍ବାଚନ
ଚଳିତ ବର୍ଷର ଶେଷ ଉପ ନିର୍ବାଚନ ଥିଲା ପଶ୍ଚିମ ଓଡ଼ିଶାର ପଦ୍ମପୁର ଆସନ । ଏହି ଆସନରୁ ବିଧାୟକ ଥିବା ବିଜୟ ରଞ୍ଜନ ସିଂହ ବରିହାଙ୍କ ଅକ୍ଟୋବର 3 ତାରିଖରେ ଦେହାନ୍ତ ହେବା ପରେ ଡିସେମ୍ବର 5 ତାରିଖରେ ଉପ ନିର୍ବାଚନ କରିବାକୁ ଘୋଷଣା କରିଥିଲେ ନିର୍ବାଚନ କମିଶନ ।
ପଦ୍ମପୁର ମଧ୍ୟ ଏପରି ଏକ ଆସନ ଯେଉଁଠାରେ ଭୋଟର କୌଣସି ଜଣେ ନିର୍ଦ୍ଦିଷ୍ଟ ନେତାଙ୍କୁ ଆସନ ଅକ୍ତିଆର କରିବାକୁ ଦେଇନାହାଁନ୍ତି । କେବେ କଂଗ୍ରେସ ତ କେବେ ବିଜେଡ଼ି କିମ୍ବା ବିଜେପି ଏହିପରି କ୍ରମାଗତ ଭାବେ ନେତା ବଦଳାଇଛନ୍ତି ଭୋଟର । ଏଥର ମଧ୍ୟ ଏହି ଆସନ ପାଇଁ ନିର୍ବାଚନରେ ଦେଖିବାକୁ ମିଳିଥିଲା ରାଜନୈତିକ ହାଇଡ୍ରାମା । ଧାମନଗର ଆସନ ହାରିବା ପରେ ବିଜେଡ଼ି ପାଇଁ ଥିଲା ଏକ ଆହ୍ୱାନ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନିର୍ବାଚନୀ ପ୍ରଚାରକୁ ଯାଇଥିଲେ । କୃଷକ ଆନ୍ଦୋଳନ ସାଜିଥିଲା ମୁଖ୍ୟ ପ୍ରସଙ୍ଗ । ବିଜେପି ଚାଷୀ ପ୍ରସଙ୍ଗ ଓ ରେଳ ଚଳାଚଳକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ବିଜେଡ଼ିକୁ ଟାର୍ଗେଟ୍ କରିଥିବା ବେଳେ ବିଜେଡ଼ି ଖେଳିଥିଲା ଜିଲ୍ଲା ମାନ୍ୟତା କାର୍ଡ, ଯାହାକି ଦୀର୍ଘ ଦିନ ଧରି ଥିଲା ଏକ ପ୍ରମୁଖ ପ୍ରସଙ୍ଗ ।

ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଶାସକ ବିଜେଡ଼ି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଥିଲା ଛକାପଞ୍ଝା । ବିଜେଡ଼ି ପ୍ରଥମେ ପ୍ରାର୍ଥୀ ଚୟନକୁ ନେଇ ବ୍ୟାକ୍ ଫୁଟ୍ ରେ ଥିବା ବେଳେ ବିଜେପି ପ୍ରଦୀପ ପୁରୋହିତଙ୍କୁ ଦେଇଥିଲା ଟିକେଟ୍ । କିଛି ଦିନର କଳ୍ପନାଜଳ୍ପନା ପରେ ବିଜେଡ଼ି ସ୍ୱର୍ଗତଃ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷା ସିଂହ ବରିହାଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । ଅପରପକ୍ଷରେ କଂଗ୍ରେସ ସେଠାକାର ଟାଣୁଆ ନେତା ତଥା ତିନି ଥର ବିଧାୟକ ରହିଥିବା ସତ୍ୟଭୂଷଣ ସାହୁଙ୍କ ଉପରେ ଭରଷା କରିଥିଲା ।
ଏହା ପରେ ନାମାଙ୍କନ ଦାଖଲକୁ ନେଇ ଦେଖିବାକୁ ମିଳିଲା ରାଜନୈତିକ ଡ୍ରାମା । ପ୍ରଥମେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଭରିବାକୁ ଯାଇ ମଧ୍ୟ ସେ ଫେରିଆସିଥିଲେ । ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେ କରିନଥିଲେ ନାମାଙ୍କନ ଦାଖଲ । ଏପରିକି ସେ ନିଜେ ଚାଷୀଙ୍କ ଆନ୍ଦୋଳରେ ସାମିଲ ହୋଇଥିଲେ । କିନ୍ତୁ ନାମାଙ୍କନ ଦାଖଲର ଶେଷ ଦିନରେ ସମସ୍ତ ପ୍ରାର୍ଥୀ ନାମାଙ୍କନ ଭରିଥିଲେ ।
ଏହି ସମୟରେ ଧାମନଗର ନିର୍ବାଚନରେ ବଳ ଗୋଟାଇଥିବା ବିଜେପି ଏହି ଆସନକୁ ହାତେଇବାକୁ ହୋଇଥିଲା ପ୍ରସ୍ତୁତ । ପ୍ରଚାର ମୈଦାନକୁ ବିଜେପିର 4 ଜଣ କେନ୍ଦ୍ରମନ୍ତ୍ରୀ ଓହ୍ଲାଇଥିଲେ । ଚାଷୀ ପ୍ରସଙ୍ଗ, ରେଳ ଚଲାଚଳ ପ୍ରସଙ୍ଗ, ଜମିକୁ ପାଣି ଯୋଗାଣ ଆଦି ପ୍ରସଙ୍ଗ ଆଣି ଶାସକ ବିଜେଡ଼ିକୁ ସମାଲୋଚନା କରିଥିଲା ବିଜେପି । ଏପରିକି ବିଜେଡ଼ିର ମହିଳା କାର୍ଡକୁ ନେଇ ତାତ୍ସଲ୍ୟ କରିଥିଲା ବିଜେପି ।
ସେହିପରି ବିଜେପିକୁ ମାତ୍ ଦେଇ ବିଧାନସଭାରେ ନିଜ ବିଧାୟକ ସଂଖ୍ୟା ବଜାୟ ରଖିବାକୁ ବଳ କଷିଥିଲା ବିଜେଡ଼ି । ମାଳ ମାଳ ନେତା, ମନ୍ତ୍ରୀଙ୍କୁ ନେଇ ପ୍ରସ୍ତୁତ ହେଲା ରଣନୀତି । ପ୍ରଚାର ମୈଦାନକୁ ଆସିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ଦିନର ଦାବି ଜିଲ୍ଲା ମାନ୍ୟତାକୁ ନେଇ କରିଥିଲେ ଘୋଷଣା । ବହୁ ଶୀଘ୍ର ଜିଲ୍ଲା ମାନ୍ୟତା ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏପରିକି କୌଣସି ବ୍ୟକ୍ତିଗତ ଆକ୍ଷେପ ଠାରୁ ଦୂରେଇ ରହୁଥିବା ନବୀନ ପଟ୍ଟନାୟକ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଲୋକଙ୍କୁ ମିଛ କହି ଭୂଆଁ ବୁଲାଉଥିବା କହି ବିଜେପିକୁ ଜବାବ ଦେଇଥିଲେ ।
ଡିସେମ୍ବର 5 ରେ ମତଦାନ ପରେ 8 ତାରିଖରେ ପ୍ରକାଶ ପାଇଥିଲା ଫଳାଫଳ । ବିଜେଡ଼ିର ବିଧାୟକ ସଂଖ୍ୟା ଅପରିବର୍ତ୍ତିତ ରହିଲା । ପ୍ରାର୍ଥିନୀ ବର୍ଷା ସିଂହ ବରିହା 1 ଲକ୍ଷ 20 ହଜାର 807 ଭୋଟ୍ ପାଇ ସ୍ୱର୍ଗତଃ ବାପାଙ୍କ ଆସନ ବଜାୟ ରଖିଲେ । ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଦୀପ ପୁରୋହିତ 78 ହଜାର 128 ଭୋଟ୍ ପାଇଥିଲେ । କିନ୍ତୁ ନିରାଶ ହୋଇଥିଲା କଂଗ୍ରେସ । କଂଗ୍ରେସକୁ ମିଳିଥିଲା ମାତ୍ର 3594 ଖଣ୍ଡ ଭୋଟ୍ ।
ଏପରି ଥିଲା ଓଡ଼ିଶାରେ ତିନି ଉପ ନିର୍ବାଚନ । ନିର୍ବାଚନ ସମ୍ପର୍କିତ ଖବର ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications