Elections 2024: କାହିଁକି ବ୍ୟାକ୍ ଫୁଟ୍ ରେ ବିଜେଡ଼ି ? ଏ ଯାଏଁ ହୋଇନି ପ୍ରାର୍ଥୀ ଘୋଷଣା
Elections 2024: ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆଉ ଅଳ୍ପ ଦିନ ବାକି ରହିଲା ମତଦାନ । କିନ୍ତୁ ଖାଲି ପଡ଼ିଛି ପ୍ରଚାର ମୈଦାନ । ନେତାଙ୍କ ସହ ଦେଖାଯାଉନାହାଁନ୍ତି ମାଳ ମାଳ ଲୋକ କି ସଭାମିତିରେ ଜମୁନି ନେତାଙ୍କ ଭିଡ଼ । ଏହାର ମୁଖ୍ୟ କାଣ ହେଲା କିଏ ପ୍ରାର୍ଥୀ ହେବ ସେ ନେଇ ନେତା ନିଜେ ଅନ୍ଧାରରେ । ସେଥିଲାଗି ନା କରିପାରୁଛନ୍ତି ପ୍ରଚାର ନା ଜମୁଛି ରାଜନୈତିକ ଭିଡ଼ ।

କେବଳ ବିଜେପି ରାଜ୍ୟରେ 18 ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ବିଜେପି 15 ରୁ ଅଧିକ ଲୋକସଭା ଆସନ ହାତେଇବ ବୋଲି ଦଳ ଦୃଢୋକ୍ତି ପ୍ରକାଶ କରିବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବ ବୋଲି ଜୋର୍ ଦେଉଛନ୍ତି ବିଜେପିର ନେତା ।
କିନ୍ତୁ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେଡ଼ି ଏ ଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ବିଜେଡ଼ି ବ୍ୟାକ୍ ଫୁଟ୍ ରେ ରହି ଖେଳୁଛି ବୋଲି ଲୋକ କହିବା ଆରମ୍ଭ କରିଦେଲେଣି । ଏଥି ମଧ୍ୟରେ ପ୍ରତ୍ୟେକ ଦିନ ନବୀନ ନିବାସରେ ଲୋକସଭା ଆସନ ପାଇଁ ହେଉଛି ସମୀକ୍ଷା ବୈଠକ । ଆଜି ରହିଛି 4 ଲୋକସଭା ଆସନ ପାଇଁ ସମୀକ୍ଷା ବୈଠକ । ବିଜେପିର ପ୍ରାର୍ଥୀଙ୍କୁ କିଭଳି ଟକ୍କର ଦେଇ ହେବ ସେ ନେଇ ଚାଲିଛି ଆଲୋଚନା । ସ୍ଥାନୀୟ ବିଧାୟକ, ନେତା ଓ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରି ପ୍ରାର୍ଥୀ ଚୂଡ଼ାନ୍ତ ହେବ ବୋଲି ଜଣାଯାଉଛି ।
ସେହିପରି କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରସ୍ତୁତ ରଖିଛି ବୋଲି ମଧ୍ୟ ସୂଚନା ରହିଛି । କିନ୍ତୁ ଦଳ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାଁ ଆସିନଥିବାରୁ ନେତା ମାନେ ପ୍ରତାର ମଧ୍ୟ କରିପାରୁନାହାଁନ୍ତି । ଏହି ସମୟରେ ପ୍ରାର୍ଥୀ ଦେଇ ପାଦେ ଆଗରେ ରହିଛି ବିଜେପି । ଦଳର ନେତା ମାନେ ପ୍ରତାର କରିବା ସହ ମାଇଲେଜ୍ ନେବା ଆରମ୍ଭ କଲେଣି ।
ଯଦିଓ ରାଜ୍ୟରେ ବିଜେପି-ବିଜେଡ଼ି ମେଣ୍ଟ ହେବା ନେଇ ଅନେକ ଆଲୋଚନା ହେଉଥିଲା ତେଣୁ କାହାକୁ କେଉଁଠୁ ଟିକେଟ୍ ମିଳିବ ଏବଂ କେଉଁ ଦଳ ଭାଗରେ କେଉଁ ଆସନ ପଡ଼ିବ ସେ ନେଇ ଚିନ୍ତାରେ ଥିଲେ ନେତା ଓ କର୍ମୀ । କିନ୍ତୁ କିଛି ଦିନ ତଳେ ମେଣ୍ଟ ନ ହେବା ନେଇ ସ୍ପଷ୍ଟ ହେବା ପରେ ଦଳ କାହାକୁ କେଉଁଠୁ ପ୍ରାର୍ଥୀ କରିବ ସେ ନେଇ ଆଲୋଚନା କରିବା ସହ ପ୍ରତିପକ୍ଷକୁ ମାତ୍ ଦେବାକୁ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।
ତେବେ ଆଜି ଶେଷ ପର୍ଯ୍ୟାୟରେ ବିଜେଡ଼ି 4 ଲୋକସଭା ଆସନ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଉପରେ ସମୀକ୍ଷା କରିବା ପରେ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ଆଶା କରାଯାଉଛି ।
କନକ ବ୍ୟୁରୋ: ମୟୂରଭଞ୍ଜ ଓ କେନ୍ଦୁଝର ଲୋକସଭା ଆସନ ପାଇଁ ଆଜି ନବୀନ ନିବାସରେ ବୈଠକ ବସିବ । ଉଭୟ ବିଧାନସଭା ଓ ଲୋକସଭା ଆସନରେ କିଭଳି ଦଳ ମାତ୍ ଦେବ ଏ ଦିଗରେ ରଣନୀତି ପ୍ରସ୍ତୁତ ହେବ । ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଛି । ତେଣୁ କିଭଳି କାଉଣ୍ଟର କରିହେବ ସେ ଦିଗରେ ବିଜେଡି ରଣନୀତି ପ୍ରସ୍ତୁତ କରିବ ।
୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନ ବିଜେପି ହାତେଇଥିଲା । କିନ୍ତୁ କେନ୍ଦୁଝର ବିଜେଡି ହାତରେ ରହିଛି । ତେବେ ମୟୂରଭଞ୍ଜ ଉପରେ ବିଜେଡିର ଫୋକସ ରହିଛି । ଆଦିବାସୀ ଭୋଟ୍ ଗୋଟିଏ ବଡ ଭୂମିକା ନେବ । ଏପରି ସ୍ଥିତିରେ ଦଳର ପର୍ଯ୍ୟବେକ୍ଷକ ଏବଂ ନେତାଙ୍କ ଉପସ୍ଥିତିରେ ଆଲୋଚନା ହେବ । ସେହିପରି ଅପରାହ୍ନରେ ବାଲେଶ୍ୱର ଓ ଭଦ୍ରକ ନେତାଙ୍କୁ ନେଇ ବୈଠକ ବସିବ । ଟିକେଟ୍ ଘୋଷଣା ପୂର୍ବରୁ ଆଜି ଶେଷ ବୈଠକ ବୋଲି କୁହାଯାଉଛି ।












Click it and Unblock the Notifications