କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆପ୍ କୁ ସମର୍ଥନ ଦେବନି କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରରେ ସରକାରୀ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳିକୁ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଦେବନି କଂଗ୍ରେସ । ପଞ୍ଜାବର କଂଗ୍ରେସ ନେତାମାନେ ସୋମବାର ପୃଥକ ବୈଠକରେ ଦଳର ନେତୃତ୍ୱଙ୍କୁ ଭେଟି ଦିଲ୍ଲୀ ସେବା ଅର୍ଡିନାନ୍ସ ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ନକରିବାକୁ ପରାମର୍ଶ ଦେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଉଭୟ ରାଜ୍ୟର ନେତାଙ୍କ ବୈଠକ ଡକାଇ ଏହି ପ୍ରସଙ୍ଗରେ ସେମାନଙ୍କ ମତାମତ ଲୋଡିଛନ୍ତି । ଏହି ବୈୟକରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ ।
ସୂତ୍ରରୁ ପ୍ରକାଶ ଯେ ଅଧିକାଂଶ ନେତା ଅରବିନ୍ଦ କେଜ୍ରିୱାଲଙ୍କ ଦଳକୁ ବିଜେପିର "ବି-ଟିମ୍" ବୋଲି କହିଥିଲେ ଏବଂ ସେ କେବଳ ଦିଲ୍ଲୀ ଏବଂ ପଞ୍ଜାବରେ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସର ସ୍ୱାର୍ଥର କ୍ଷତି କରିଛନ୍ତି ବୋଲି କହିଥିଲେ ।
ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜା ୱାରିଙ୍ଗ ଗଣମାଧ୍ୟମକୁ କହିଛନ୍ତି ଯେ ପାର୍ଟି ହାଇକମାଣ୍ଡଙ୍କ ଆଗରେ ସେମାନେ ନିଜର ମତ ରଖିଛନ୍ତି ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ତାଙ୍କ ଉପରେ ଛାଡିଛନ୍ତି । ଦଳର ପୂର୍ବତନ ମୁଖ୍ୟ ନବଜୋତ ସିଦ୍ଧୁ କହିଛନ୍ତି ଯେ ଏହି ବୈଠକରେ ଯାହା ଘଟିଛି ତାହା ଏକ ରହସ୍ୟ ଏବଂ କେବଳ କଂଗ୍ରେସ ମୁଖ୍ୟ କିମ୍ବା ରାହୁଲ ଗାନ୍ଧୀ ଏହାର ବିବରଣୀ ପ୍ରକାଶ କରିବେ ।
କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରି କେଜ୍ରିଓ୍ୱାଲ କଂଗ୍ରେସ ସମେତ ବିଜେପି ବିରୋଧୀ ଦଳଙ୍କ ସମର୍ଥନ ଲୋଡିଛନ୍ତି । ଏହି ପ୍ରସଙ୍ଗରେ କେଜ୍ରିୱାଲ ରାହୁଲ ଏବଂ ଖଡଗେଙ୍କୁ ଚିଠି ଲେଖି ସମର୍ଥନ ଲୋଡିଥିଲେ ।
ଦିଲ୍ଲୀ ସରକାରଙ୍କୁ ଅମଲାତନ୍ତ୍ର କ୍ଷମତା ସ୍ଥାନାନ୍ତର କରିବାର କ୍ଷମତା ଦେଇଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅକାମି କରିବାକୁ ଯାଇ କେନ୍ଦ୍ର ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି । ଏହି ଅଧ୍ୟାଦେଶକୁ ନେଇ ପ୍ରାରମ୍ଭିକ ଭାବେ କଂଗ୍ରେସ ସମର୍ଥନ କରିବ ବୋଲି ଜଣାପଡୁଥିଲା ପରେ କିନ୍ତୁ ଦିଲ୍ଲୀ କଂଗ୍ରେସର ଅନ୍ୟତମ ଶୀର୍ଷ ନେତା ଅଜୟ ମାକେନ ବିରୋଧ କରିଥିଲେ ।












Click it and Unblock the Notifications