ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା : 5 ଦିନ ବଢିଲା ମନୀଷଙ୍କ ରିମାଣ୍ଡ
ଶୁକ୍ରବାର ଦିନ ଇଡି ପୁଣି 7 ଦିନ ରିମାଣ୍ଡ ବୃଦ୍ଧି ପାଇଁ ଦାବି କରିଥିଲା । ଏହା ପରେ 5 ଦିନ ରିମାଣ୍ଡକୁ ଅନୁମୋଦନ କରିଛନ୍ତି କୋର୍ଟ ।

ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଇଡି ମନି ଲଣ୍ଡରିଂ ଦିଗକୁ ନେଇ ଯାଞ୍ଚ କରୁଛି । କିଛି ଦିନ ପୂର୍ବରୁ ମନୀଷ ସିସୋଡିଆଙ୍କୁ ଗିରଫ କରି ଇଡି ହେପାଜତକୁ ନେଇଥିଲା । ଶୁକ୍ରବାର ଦିନ ଇଡି ପୁଣି 7 ଦିନ ରିମାଣ୍ଡ ବୃଦ୍ଧି ପାଇଁ ଦାବି କରିଥିଲା । ଏହା ପରେ 5 ଦିନ ରିମାଣ୍ଡକୁ ଅନୁମୋଦନ କରିଛନ୍ତି କୋର୍ଟ ।
କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଡ୍ଡା ସାମ୍ବାଦିକ ସମ୍ମିଳନୀ କରି ମୋଦୀ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଇଡି ଏବଂ ସିବିଆଇ ନିକଟେରେ କୌଣସି ପ୍ରମାଣ ନାହିଁ ବୋଲି ମଧ୍ୟ ଦାବି କରିଛନ୍ତି ।
ରାଘବ କହିଛନ୍ତି ଯେ ବିଜେପିର ଲକ୍ଷ୍ୟ ହେଉଛି AAP କୁ ଶେଷ କରିବା । ତେଣୁ ମିଥ୍ୟା ମାମଲା ପ୍ରସ୍ତୁତ କରୁଛନ୍ତି, ଯାହାଫଳରେ ଆପ୍ ନେତାମାନଙ୍କୁ ଜେଲରେ ରଖାଯାଇପାରିବ । ସିବିଆଇ-ଇଡି ନିକଟରେ କେବଳ କାହାଣୀ ବ୍ୟତୀତ ମନୀଷ ସିସୋଦିଆଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । କିମ୍ବା ତାଙ୍କଠାରୁ କିଛି ମିଳିନାହିଁ । ଦେଶକୁ ବୁଝିବାକୁ ପଡିବ - କୋର୍ଟ ସିସୋଦିଆଙ୍କୁ ଦୋଷୀ ମାନି ନାହାଁନ୍ତି । କିନ୍ତୁ ସିବିଆଇ-ଇଡି ତଦନ୍ତ ବାହାନା କରି ତାଙ୍କୁ ଜେଲରେ ରଖିଛନ୍ତି । ଇନ୍ଦିରା ଗାନ୍ଧୀ ଭାବୁଥିଲେ ଯେ ସେ କ୍ଷମତାରୁ ଯିବେ ନାହିଁ, ଆଜି ମଧ୍ୟ ଶାସକ ଦଳର ଏହି ଭୁଲ ଧାରଣା ରହିଛି । ଆସନ୍ତାକାଲି କୌଣସି ବିରୋଧୀ ଦଳର ହାତକୁ ସିବିଆଇ-ଇଡି ଆସିଲେ କ'ଣ ହେବ ? ବୋଲି କହିଛନ୍ତି ରାଘବ ।
ସିବିଆଇର ପଚରାଉଚରା ପରେ କୋର୍ଟ ସିସୋଡିଆକୁ ଜାମିନ ପ୍ରଦାନ କରିଥାନ୍ତେ, କିନ୍ତୁ ଇଡି ତାଙ୍କୁ ଗିରଫ କରିଛି ବୋଲି କହିଛନ୍ତି ଆପ୍ ନେତା । ସେ କୋର୍ଟକୁ 10 ଦିନ ମାଗିଥିଲେ ମଧ୍ୟ ମାତ୍ର 7 ଦିନ ପାଇଥିଲେ । 7 ଦିନରେ କେବଳ 15 ଘଣ୍ଟା ପଚରାଉଚୁରା କରିଥିଲେ । ଏହି ସମୟ ମଧ୍ୟରେ କେବଳ 3 ଜଣଙ୍କୁ ମୁହାଁମୁହିଁ କରାଯାଇଥିଲା । ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି କୌଣସି ପ୍ରକାରେ ମନୀଷଙ୍କୁ ଜେଲରେ ରଖିବା । ଆଜି ପୁଣି ସେହି 3 ଜଣଙ୍କୁ ସାମ୍ନାସାମ୍ନି କରିବାକୁ ରିମାଣ୍ଡ ମଗାଯାଇଥିଲା ।
ଚଡ୍ଡା ବିଜେପି ସରକାରକୁ ଟାର୍ଗେଟ୍ କରି ଆହୁରି କହିଛନ୍ତି, ବିଜେପିର "ମନୋହର କାହାଣୀ" ର ଏପରି ଅବସ୍ଥା ହେଉଛି ଯେ 2014 ରୁ 2022 ପର୍ଯ୍ୟନ୍ତ 8 ବର୍ଷ ମଧ୍ୟରେ ଇଡି 3555 ମାମଲା ପଞ୍ଜିକୃତ କରିଛି । ଏଥିମଧ୍ୟରୁ କୋର୍ଟ ମୋଟ 23 ଜଣଙ୍କୁ ଦଣ୍ଡିତ କରିଛନ୍ତି । ନକଲି ମାମଲା ଦାଖଲ କରିବା ଏବଂ AAP ନେତାଙ୍କୁ ଜେଲରେ ରଖିବା ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ।












Click it and Unblock the Notifications