ଦୁର୍ନୀତି ପ୍ରସଙ୍ଗରେ ଗର୍ଜିଲା କଂଗ୍ରେସ, ପୋଲିସ୍-କଂଗ୍ରେସ କର୍ମୀ ମୁହାଁମୁହିଁ
ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲା କଂଗ୍ରେସ । ବ୍ୟାରିକେଡ୍ ଭାଙ୍ଗିବା ସହ ଲୋକସଭା ଭବନ ଘେରାଉ କରିବାକୁ ମାଡ଼ି ଆସିଲେ କଂଗ୍ରେସ କର୍ମୀ । ପୋଲିସ୍ ସହ ହେଲେ ସାମ୍ନାସାମ୍ନି । ପରିସ୍ଥିତି ଏମିତି ହେଲା କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସ୍ ନାକେଦମ ହୋଇପଡ଼ିଛି ।

ରାଜ୍ୟରେ ଦୁର୍ନୀତି ପ୍ରସଙ୍ଗକୁ ଉଠାଇବା ସହ ଲୋକସଭା ଭବନ ଘେରାଉ କରିବାକୁ ଆସିଥିଲେ କଂଗ୍ରେସ କର୍ମୀ । ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଲୋୟର ପିଏମଜି ଛକକୁ କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ କରିଥିଲା କଂଗ୍ରେସ । ଏହି ରଣହୁଙ୍କାରର ମଙ୍ଗ ଧରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ ନିଜେ ବ୍ୟାରିକେଡ୍ ଡେଇଁ ଲୋକସଭା ଭବନ ଆଡ଼କୁ ଯିବାକୁ ପ୍ରୟାସ କରିଥିଲେ । ଏହା ପରେ ଅନ୍ୟ କର୍ମୀମାନେ କର୍ଡନ ଭାଙ୍ଗିବାକୁ ଚେଷ୍ଟା କରିବାବେଳେ ସୁରକ୍ଷା କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ପିସିସି ପ୍ରଭାରୀ ଅଜୟ କୁମାରଙ୍କ ସମେତ ଦଳର ବିଧାୟକ, ଜିଲ୍ଲା ସଭାପତି ଓ ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ ଭବନରୁ ରାଲିରେ ବାହାରି ଲୋୟର ପିଏମଜିରେ ପହଞ୍ଚିଥିଲେ ।
ଓଡିଶା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଆମେ ଲୋକଙ୍କୁ ଅନୁରୋଧ କରୁଛୁ ଯେ ସରକାର - ଉଭୟ ବିଜେଡି ଏବଂ ଭାଜପା ଦୁର୍ନୀତିରେ ବୁଡି ରହିଛନ୍ତି ଏବଂ ମୁଦ୍ରାସ୍ଫୀତି ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଲୋକମାନଙ୍କୁ ନ୍ୟାୟ ଦେବାକୁ କଂଗ୍ରେସର ସଂଗ୍ରାମ ଜାରି ରହିବ।"
ଦଳିତ ଗରିବ, କୃଷକ ଏବଂ ମହିଳାଙ୍କ ପାଇଁ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି ବୋଲି କହିଛନ୍ତି ଦଳର ବରିଷ୍ଠ ନେତାମାନେ । ବିଧାୟକ ତାର ପ୍ରସାଦ ବାହିନୀପତି କହିଛନ୍ତି, ଯୁବକମାନଙ୍କୁ ଚାକିରି ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ରାଜ୍ୟରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି । କେନ୍ଦ୍ରରେ ଥିବା ଉଭୟ ଭାଜପା ଏବଂ ଏଠାରେ ଥିବା ବିଜେଡି ସରକାର ଲୋକଙ୍କୁ ଶୋଷଣ କରୁଛନ୍ତି । କୃଷକମାନେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାରେ ସକ୍ଷମ ନୁହଁନ୍ତି ଏବଂ 'କଟନୀ ଛଟନି'ର ଶିକାର ହେଉଛନ୍ତି ।
ସେହିଭଳି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, "କୌଣସି ପ୍ରକାରେ ଓଡିଶା ସରକାରଙ୍କ ଏକଛତ୍ରବାଦୀ ଶାସନକୁ ବରଦାସ୍ତ କରାଯିବ ନାହିଁ । ପୋଲିସ ଯେପରି ଯୁବକମାନଙ୍କୁ ଆକ୍ରମଣ କରୁଛି, କଂଗ୍ରେସ ଏହାର ଆନ୍ଦୋଳନକୁ ଆହୁରି ତୀବ୍ର କରିବ ।"












Click it and Unblock the Notifications