ଉତ୍ତରପ୍ରଦେଶ : କଂଗ୍ରେସ-ଏସପି କୁ ଝଟକା ଦେଲା ବିଜେପି, ଦୁଇଜଣ ବିଧାୟକ ଜଣେ ପୂର୍ବତନ ବିଧାୟକ ଦଳରେ ହେଲେ ସାମିଲ
ସମାଜବାଦୀ ପାର୍ଟି ଏବଂ କଂଗ୍ରେସର ଦୁଇଜଣ ବିଧାୟକ ଏବଂ ଉତ୍ତରପ୍ରଦେଶର ଜଣେ ପୂର୍ବତନ ବିଧାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ବିଜେପିରେ ସାମିଲ ହୋଇଥିବା ବିଧାୟକଙ୍କ ମଧ୍ୟରେ ଜଣେ କଂଗ୍ରେସ ଏବଂ ଜଣେ ସମାଜବାଦୀ ପାର୍ଟିର ।
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତା ମାନଙ୍କର ଦଳ ଡିଆଁ ବଢିବାରେ ଲାଗିଛି । ସମାଜବାଦୀ ପାର୍ଟି ଏବଂ କଂଗ୍ରେସର ଦୁଇଜଣ ବିଧାୟକ ଏବଂ ଉତ୍ତରପ୍ରଦେଶର ଜଣେ ପୂର୍ବତନ ବିଧାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ବିଜେପିରେ ସାମିଲ ହୋଇଥିବା ବିଧାୟକଙ୍କ ମଧ୍ୟରେ ଜଣେ କଂଗ୍ରେସ ଏବଂ ଜଣେ ସମାଜବାଦୀ ପାର୍ଟିର । ଜଣେ ପୂର୍ବତନ ସମାଜବାଜୀ ପାର୍ଟି ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ସହାରନପୁରର ବେହାଟ ଆସନରୁ କଂଗ୍ରେସ ବିଧାୟକ ନରେଶ ସୈନୀ, ଫିରୋଜାବାଦର ସିରସାଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ହରିଓମ ଯାଦବ ଏବଂ ପୂର୍ବତନ ଏସପି ବିଧାୟକ ଡ.ରାମପାଲ ସିଂ ବିଜେପିରେ ଯୋଗ ଦେଇଛନ୍ତି । ବୁଧବାର ଦିନ ଦିଲ୍ଲୀରେ ଉତ୍ତରପ୍ରଦେଶର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ତିନି ନେତା ଦଳରେ ଯୋଗ ଦେଇଛନ୍ତି । ସମ୍ପ୍ରତି ଅନେକ ବିଜେପି ନେତା ଏସପିରେ ଯୋଗଦେବାକୁ ଘୋଷଣା କରିଛନ୍ତି, ବର୍ତ୍ତମାନ ଏସପି ଏବଂ କଂଗ୍ରେସର ଏହି ନେତାମାନେ ବିଜେପିରେ ଯୋଗ ଦେଇଛନ୍ତି ।
ବିଧାନସଭା ନିର୍ବାଚନ ଘୋଷଣା ହେବା ସହ ଉତ୍ତରପ୍ରଦେଶ ରାଜନୀତି ସରଗରମ ହେବାରେ ଲାଗିଛି । ନେତାଙ୍କ ଦଳବଦଳ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି । ନିକଟରେ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଯୋଗୀ ସରକାରରେ ମନ୍ତ୍ରୀ ପଦ ଓ ବିଜେପି ଛାଡିଛନ୍ତି । ମୌର୍ଯ୍ୟ ସମାଜବାଦା ପାର୍ଟିରେ ସାମିଲ ହୋଇଛନ୍ତି ଏବଂ ଅନ୍ୟ କିଛି ବିଜେପି ବିଧାୟକ ମଧ୍ୟ ଏସପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ସହାରନପୁରର ଅନ୍ୟତମ ପ୍ରସିଦ୍ଧ ନେତା ଇମ୍ରାନ ମାସୁଦ ମଧ୍ୟ କଂଗ୍ରେସ ଛାଡି ଏସପିରେ ଯୋଗଦେବାକୁ ଘୋଷଣା କରିଛନ୍ତି । ଏମାନଙ୍କ ବ୍ୟତୀତ, ଅନେକ ନେତା ଏହି ସମୟରେ ରାଜନୈତିକ ଦଳ ବଦଳାଇଛନ୍ତି ।
ସୂଚନାଯୋଗ୍ୟ, ଅନ୍ୟ ଚାରିଟି ରାଜ୍ୟ ସହିତ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଉତ୍ତରପ୍ରଦେଶର 403 ବିଧାନସଭା ଆସନ ପାଇଁ ଫେବୃଆରୀ 10 ରୁ ମାର୍ଚ୍ଚ 7 ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ଫେବୃଆରୀ 10 ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ । ଏହା ପରେ ଫେବୃଆରୀ 14 ରେ ଦ୍ୱିତୀୟ ପର୍ଯ୍ୟାୟ, ଫେବୃଆରୀ 20 ରେ ତୃତୀୟ, ଫେବୃଆରୀ 23 ରେ ଚତୁର୍ଥ, ଫେବୃଆରୀ 27 ରେ ପଞ୍ଚମ, ମାର୍ଚ୍ଚ 03 ରେ ଷଷ୍ଠ ଏବଂ ମାର୍ଚ୍ଚ 07 ରେ ସପ୍ତମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ଏହା ପରେ ମାର୍ଚ୍ଚ 10 ରେ ଭୋଟ୍ ଗଣନା ହେବ ଏବଂ ଫଳାଫଳ ଘୋଷଣା କରାଯିବ ।












Click it and Unblock the Notifications