ମୋଦୀଙ୍କ ନାଁରେ ମାନହାନୀ ମାମଲା କରିବେ କଂଗ୍ରେସ ନେତ୍ରୀ ରେଣୁକା, ସଂସଦରେ ‘ସୂର୍ପଣଖା' କହିଥିଲେ ମୋଦୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବିରୋଧରେ ମୋଦୀ ସରନେମ୍ ମାମଲାରେ କୋର୍ଟଙ୍କ ରାୟ ଆସିବା ପରେ ଆଜି ସଂସଦରେ ତାଙ୍କ ସଦସ୍ୟତା ପଦ ରଦ୍ଦ ହୋଇଛି । ଏହା ପରେ ବର୍ତ୍ତମାନ ଏହି ମାମଲାକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ -ବିଜେପି । ଏହି ମାମଲାକୁ ଶାସକ ବିଜେପି ଆଇନର କାର୍ଯ୍ୟ କହିଥିବା ବେଳେ ପ୍ରତିଶୋଧ ମୂଳକ ରାଜନୀତି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।
ଏପରିକି ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମାନହାନୀ ମାମଲା କରିବା ନେଇ କହିଛନ୍ତି କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ । 2018 ରେ ପାର୍ଲାମେଣ୍ଟ୍ରେ ଦେଇଥିବା 'ସୁର୍ପଣଖା' ମନ୍ତବ୍ୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ମାନହାନି ମାମଲା ଦାଏର କରିବେ କହିଛନ୍ତି ରେଣୁକା ।
ଏହା ସହିତ ନରେନ୍ଦ୍ର ମୋଦୀ 'ସୁର୍ପଣଖା' କଥା କହୁଥିବା ସଂସଦୀୟ ଅଧିବେଶନର ଗୋଟାଏ ପୁରୁଣା ଭିଡିଓ କ୍ଲିପ୍ ଟ୍ୱିଟ୍ କରି ରେଣୁକା ଲେଖିଛନ୍ତି, ଦେଖିବା, ଅଦାଲତ ଏବେ କେତେ ତତ୍ପରତା ପ୍ରକାଶ କରୁଛି...।
This classless megalonaniac referred to me as Surpanakha on the floor of the house.
I will file a defamation case against him. Let's see how fast courts will act now.. pic.twitter.com/6T0hLdS4YW
— Renuka Chowdhury (@RenukaCCongress) March 23, 2023
ସଂସଦୀୟ ଅଧିବେଶନର ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ରେଣୁକାଙ୍କ ନାଁ ନ ନେଇ ତାଙ୍କ ହସକୁ ଧାରାବାହିକ 'ରାମାୟଣ'ର ଚରିତ୍ର 'ସୁର୍ପଣଖା'ର କୁଖ୍ୟାତ ହସ ସହିତ ତୁଳନା କରିଥିଲେ । ଧାରାବାହିକ 'ରାମାୟଣ' ପ୍ରସାରଣ କରାଯିବାର ବହୁବର୍ଷ ଅତିକ୍ରାନ୍ତ ହେବା ପରେ ଏ ପ୍ରକାରର ହସ ଶୁଣିବାକୁ ମିଳିଲା କହି ରେଣୁକା ଚୌଧୁରୀଙ୍କୁ ହସିବାକୁ ଅନୁମତି ଦିଆଯାଉ ବୋଲି ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କହୁଥିବା ଦେଖିବାକୁ ମିଳିଛି ।
ରେଣୁକା କହିଛନ୍ତି, ଗୃହରେ ମୋତେ ହିଁ ସୁର୍ପଣଖା ବୋଲି ଦର୍ଶାଇ ଉକ୍ତ କଦର୍ଯ୍ୟ ଅହମିକାଭରା ମନ୍ତବ୍ୟ ଦିଆଯାଇଥିଲା । ମୁଁ ତାଙ୍କ ନାଁରେ ମାନହାନି ମୋକଦ୍ଦମା କରିବି । ଦେଖିବା, ଏହି ମାମଲାରେ ଅଦାଲତ କେତେ ତତ୍ପରତା ପ୍ରକାଶ କରୁଛି ।












Click it and Unblock the Notifications