ବିଜେପି-ବିଜେଡ଼ି ର ବାହାଘର କଲା କଂଗ୍ରେସ...
ଭୁବନେଶ୍ୱର: ଓଡ଼ିଶାରେ ରାଜନୈତିକ ବିବାହ । ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବିଜେଡି ବର କୁ ବିଜେପି କନିଆ । ସାହାନାଇ ବାଜିଛି । ଅତିଥି ହୋଇଛନ୍ତି ଜନତା । ଭୋଜିଭାତର ବି ଆୟୋଜନ ହୋଇଛି ।
ରାଜଧାନୀ ଭୁବନେଶ୍ୱରରେ ହୋଇଛି ଏଭଳି ବିଜେପି-ବିଜେଡ଼ି ବାହାଘର । କର୍ତ୍ତା ସାଜିଛି କଂଗ୍ରେସ । ଏଭଳି ନିଆରା ବାହାଘର ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ।

ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ଅଭିଯୋଗ କରି ଏଭଳି କଟାକ୍ଷ ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ । ବିଜେପି-ବିଜେଡ଼ି ବାହାଘର ନେଇ ନିମନ୍ତ୍ରଣ କାର୍ଡ ମଧ୍ୟ ବଣ୍ଟାଯାଇଛି । ଏମିତି ଏକ ନିଆରା ରଣନୀତି ଆପଣାଇଛି କଂଗ୍ରେସ ।
କଂଗ୍ରେସ ଅଭିଯୋଗ ଅନୁସାରେ, 25 ବର୍ଷ ହେଲା ଏକାଠି ରହୁଛନ୍ତି ବିଜେପି ଓ ବିଜେଡି । ତେଣୁ ଏବେ ବାହାଘରର ସମୟ ଆସିଛି । ତେଣୁ ଉଭୟଙ୍କ ବାହାଘର କରାଯାଉଛି । 2019 ପରଠାରୁ ରାଜ୍ୟରେ କ୍ଷମତାରେ ଥିବା ବିଜେଡି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରି ଆସିଛି ।ଯେତେବେଳେ ବିରୋଧୀ କେନ୍ଦ୍ର ସରକାରକୁ ଅଡୁଆରେ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି, ସେତେବେଳେ ବିଜେଡି, ପାଖରେ ଛିଡା ହୋଇଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।
କେବଳ ଏତିକି ନୁହେଁ ଉଭୟ ଦଳର ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି । ଯାହାକୁ ନେଇ ଦୁଇ ଦଳର ନେତା, କର୍ମୀଙ୍କଠାରୁ ଆରମ୍ଭ କରି ଜନତା, ସମସ୍ତେ ଦ୍ୱନ୍ଦ୍ୱରେ ପଡିଛନ୍ତି । ଆଉ ଏହାକୁ ନେଇ ବିରୋଧୀ କଂଗ୍ରେସ ବିଜେଡି-ବିଜେପିକୁ ଘେରି ଆସିଛି । ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ଥିବା ଅଭିଯୋଗ କରି ଆସୁଛି ।
ପୂର୍ବରୁ ମଧ୍ୟ ଅନେକ ଥର କଂଗ୍ରେସ ନେତାମାନେ କେନ୍ଦ୍ରରେ ବିଜେଡି-ବିଜେପିର ମଧୁର ସମ୍ପର୍କ ନେଇ ଅଭିଯୋଗ କରିଛନ୍ତି । ନିକଟରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର କେନ୍ଦ୍ରରେ କୋଳାକୋଳି ସ୍ଥିତି ନେଇ କଟାକ୍ଷ କରିଥିଲେ । କିନ୍ତୁ ଆଜି କଂଗ୍ରେସ ଏକ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି ।












Click it and Unblock the Notifications