କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ କୃଷକ ଏବଂ କରୋନା ଟିକା ନେଇ ପାରିତ ହେଲା ପ୍ରସ୍ତାବ, ହ୍ୱାଟସଆପ୍ ଚାଟ୍ ଲିକ ମାମଲାରେ JPC ଦାବି
କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି । କଂଗ୍ରେସ କାର୍ଯ୍ୟକାରିଣୀ କମିଟି କୃଷକଙ୍କ ସମର୍ଥନରେ ଏକ ସଂକଳ୍ପ ପାରିତ କରି ସେମାନଙ୍କ ଦାବିକୁ ଗ୍ରହଣ କରିବାକୁ ସରକାରଙ୍କୁ ନିବେଦନ କରିଛି ।
ନୂଆଦିଲ୍ଲୀ : କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି । କଂଗ୍ରେସ କାର୍ଯ୍ୟକାରିଣୀ କମିଟି କୃଷକଙ୍କ ସମର୍ଥନରେ ଏକ ସଂକଳ୍ପ ପାରିତ କରି ସେମାନଙ୍କ ଦାବିକୁ ଗ୍ରହଣ କରିବାକୁ ସରକାରଙ୍କୁ ନିବେଦନ କରିଛି । କରୋନା ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଏବଂ ଡାକ୍ତରମାନଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ଏହାବ୍ୟତୀତ ସମସ୍ତେ ଟିକା ନେବାକୁ ନିବେଦନ କରାଯାଇଛି । ଏହା ସହିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ରିପବ୍ଲିକ୍ ଟିଭି ମାଲିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ହ୍ୱାଟସ୍ ଆପ୍ ଚାଟ୍ ଲିକ୍ ମାମଲାରେ ପ୍ରସ୍ତାବ ପାରିତ କରି ମିଳିତ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରିଛି । ଶୁକ୍ରବାର ଅନୁଷ୍ଠିତ ଏହି ସଭାରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

କୃଷକ ଆନ୍ଦୋଳନ, କରୋନା ଭାଇରସ୍, ଅର୍ଣ୍ଣବ ଗୋସ୍ୱାମୀ ହ୍ୱାଟସ୍ ଆପ୍ ଚାଟ୍ ଲିକ୍ ବ୍ୟତୀତ ଦେଶର 5ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ କଂଗ୍ରେସର ଅନ୍ୟ ପଦବୀ ପାଇଁ ନିର୍ବାଚନ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । କଂଗ୍ରେସ ସାଧାରଣ ସଚିବ କେ.ସି ଭେନୁଗୋପାଲ କହିଛନ୍ତି ଯେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଆନ୍ଦୋଳନରତ ଚାଷୀଙ୍କ ସହ ଦୃଢ ଭାବରେ ଠିଆ ହେବାକୁ ନିଷ୍ପତ୍ତି ନେଇଛି । ଆମେ ଏହି ବିଷୟରେ ପ୍ରସ୍ତାବ ପାସ୍ କରିଛୁ । କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ କାର୍ଯ୍ୟକାରିଣୀ କମିଟି ସମସ୍ତ ପର୍ଯ୍ୟାୟରେ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି ।
ଭେନୁଗୋପାଲ ପ୍ରକାଶ କରିଛନ୍ତି ଯେ, କଂଗ୍ରେସ କାର୍ଯ୍ୟ କମିଟି ନିଷ୍ପତ୍ତି ନେଇଛି ଯେ ଜୁନ୍ 2021 ସୁଦ୍ଧା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବେ । ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପରେ ମେ ମାସରେ କଂଗ୍ରେସ ଅଧ୍ୟକ୍ଷ ତଥା ସଂଗଠନର ଅନ୍ୟାନ୍ୟ ପଦବୀ ପାଇଁ ନିର୍ବାଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ମେ'ରେ ଅଧିବେଶନ ହେବାର ମଧ୍ୟ ଆଲୋଚନା ହେଉଛି ।

କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଦଳର ସଭାପତି ସୋନିଆ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଅହଂକାର ସହ କାର୍ଯ୍ୟ କରୁଛନ୍ତି । ସରକାର ବିନା ଆଲୋଚନାରେ କୃଷକମାନଙ୍କ ସହ ଜଡିତ ଆଇନ ପ୍ରଣୟନ କରିଦେଲେ । ବର୍ତ୍ତମାନ ଏନେଇ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଧରି ଆଲୋଚନା ଚାଲିଛି ।
ଅର୍ଣ୍ଣବ ଗୋସ୍ୱାମୀଙ୍କ ଲିକ୍ ହୋଇଥିବା ହ୍ୱାଟସ୍ ଆପ୍ ଚାଟ୍ ଏବଂ ଏଥିରେ ଥିବା ବାଲାକୋଟ ବିଷୟରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଜାତୀୟ ସୁରକ୍ଷା ଏକ ଗୁରୁତର ବିଷୟ । ଗୋପନୀୟ ତଥ୍ୟ ଲିକ୍ ହୋଇଛି । ଏ ସମ୍ପର୍କରେ ସରକାର ନୀରବ ରହିବା ଉଚିତ୍ ନୁହେଁ । କରୋନା ମହାମାରୀ ଉପରେ ସୋନିଆ ଗାନ୍ଧୀ କହିଛନ୍ତି ଯେ ଟୀକାକରଣ ପ୍ରକ୍ରିୟା ସଠିକ୍ ଭାବରେ ଶେଷ ହେବ ବୋଲି ଆମେ ଆଶା କରୁଛୁ । କିନ୍ତୁ କରୋନା ସଙ୍କଟ ସମୟରେ ସରକାରଙ୍କ କେତେକ ଭୁଲ ନୀତି ବହୁ କ୍ଷତି କରିସାରିଛି ବୋଲି ଅଭିଯୋଗ କରିଛନ୍ତି ।












Click it and Unblock the Notifications