ପଦ୍ମ ଧରିବେ ବିଜେଡଡିରୁ ବହିଷ୍କୃତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଭୁବନେଶ୍ୱର: ବିଜେପିରେ ସାମିଲ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜି ସନ୍ଧ୍ୟାରେ ବିଜେପି ଦଳରେ ସାମିଲ ହେବା ନେଇ ଖବର ଜଣାଯାଇଛି । ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇପାରନ୍ତି ।
ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାର ଜଣେ ବାହୁବଳୀ ନେତା । ସେ ବିଜେଡ଼ିରୁ ଚିଲିକାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ବଡ଼ପୋଖରିଆ ଅଞ୍ଚଳରେ ହୋଇଥିବାରୁ ସମଗ୍ର ଜିଲ୍ଲାରେ ତାଙ୍କର ଭଲ ଦବଦବା ରହିଛି ।

ମାତ୍ର କିଛି ବର୍ଷ ପୂର୍ବରୁ ଚିଲିକା ବ୍ଲକ କାର୍ଯ୍ୟାଳୟରେ ସେ କିଛି ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ଏହି ଘଟଣାରେ ବିଜେଡ଼ି ତାଙ୍କୁ ବହିଷ୍କାର କରିଥିଲା । 2021 ମସିହା ସେପ୍ଟେମ୍ବର 9 ରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ ।
ପ୍ରଶାନ୍ତ ବିଜେପିରେ ମିଶିବା ନେଇ ପୂର୍ବରୁ ଇଙ୍ଗିତ କରିଥିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା ଅବସରରେ ପ୍ରଶାନ୍ତଙ୍କ କଥା ଉଠାଇ ସସ୍ମିତ ପାତ୍ର କହିଥିଲେ ବିଜେପି ନେତାଙ୍କୁ ଆକ୍ରମଣ ଅଭିଯୋଗରେ ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଥିଲେ । ଏହାପରେ ପ୍ରଶାନ୍ତ ଜବଦ୍ଦେବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିଷ୍କାର ମଧ୍ୟ କରିଥିଲେ । ଏବେ ସେହି ପ୍ରଶାନ୍ତ ବିଜେପିର ଗେହ୍ଲାପୁଅ ସାଜିଛନ୍ତି, ସଭାସମିତି କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ଏବେ ସେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରକାଶ କରିଥିଲେ ।
ପ୍ରଶାନ୍ତ ଜଗଦ୍ଦେବଙ୍କର ଖୋର୍ଦ୍ଧାରେ, ବେଗୁନିଆରେ ତଥା ଚିଲିକାରେ ଭଲ ସଙ୍ଗଠନ ଅଛି । ମାତ୍ର ସେ ବିଜେପି ତରଫରୁ ଖୋର୍ଦ୍ଧାରୁ କିମ୍ବା ବେଗୁନିଆରୁ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିଛି ମାସ ହେବ ଖୋର୍ଦ୍ଧାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ତେବେ ଏପରି ଉଶୃଙ୍ଖଳ ଆଚରଣ ପାଇଁ ଦିନେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟାର୍ଗେଟ କରୁଥିବା ବିଜେପି ଏବେ ତାଙ୍କୁ ଦଳରେ ସାମିଲ କରି କ'ଣ ନିର୍ବାଚନୀ ଫାଇଦା ହାସଲ କରି ପାରୁଛି ତାହା ଉପରେ ସମସ୍ତଙ୍କ ନଜର ।
2000 ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ସହ ଜନତା ଦଳ ତରଫରୁ ମୁକାବିଲା କରି ହାରିଥିଲେ ପ୍ରଶାନ୍ତ ଜଗଦ୍ଦେବ । ଏହାପରେ ବିଜେଡି ତରଫରୁ ଛିଡ଼ା ହୋଇ ସେ ବେଗୁନିଆ ବିଧାୟକ ହୋଇଥିଲେ । 2014 ରୁ 2019 ମସିହା ପର୍ଯ୍ୟନ୍ତ ଦୁଇ ଦୁଇ ଥର ସେ ବେଗୁନିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ 2019 ମସିହାରୁ ଚିଲିକାରୁ ବିଜେଡି ତରଫରୁ ସେ ମଇଦାନକୁ ଓହ୍ଲାଇ ବିଜୟୀ ହୋଇଥିଲେ ।












Click it and Unblock the Notifications