କିଏ ହେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଆଜି ଆସିପାରେ ରାୟପୁର ରାୟ...
ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ସରକାର ଗଢିବା ପାଇଁ ବହୁମତ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଚାଲିଛି ମାନସମନ୍ଥନ । ଏ ନେଇ ବିଜେପି ଆଜି ନିଷ୍ପତ୍ତି ନେଇପାରେ । ଆଜି ରାୟପୁରରେ ବସିଛି ବିଜେପି ବିଧାୟକ ଦଳ ବୈଠକ ।
ଏହି ବୈଠକରେ ନବ ନିର୍ବାଚିତ 54 ବିଜେପି ବିଧାୟକ ସାମିଲ ହେବେ । ଏହା ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍ ମଧ୍ୟ ରାୟପୁରେ ପହଞ୍ଚିଛନ୍ତି । ଏହି ଟିମ୍ରେ ବରିଷ୍ଠ ନେତା ସର୍ବାନନ୍ଦ ସୋନୱଲ, ଅର୍ଜୁନ ମୁଣ୍ଡା, ଦୁଷ୍ୟନ୍ତ ଗୌତମ ଅଛନ୍ତି । ସେହିପରି ବିଜେପିର ଛତିଶଗଡ଼ ପ୍ରଭାରୀ ଓମ୍ ମାଥୁର, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବିୟ, ସହ ପ୍ରଭାରୀ ନୀତିନ ନବୀନ ମଧ୍ୟ ରାୟପୁରରେ ଅଛନ୍ତି ।

ଛତିଶଗଡ଼ ରାଜ୍ୟ ବିଜେପି ମୁଖ୍ୟ ଅରୁଣ ରାଓଙ୍କ ସମେତ ନବ ନିର୍ବାଚିତ ବିଜେପି ବିଧାୟକଙ୍କ ସହିତ ପର୍ଯ୍ୟବେକ୍ଷକଙ୍କ ବୈଠକ ଚାଲିଛି । ପର୍ଯ୍ୟବେକ୍ଷକ ଟିମ୍ ସମସ୍ତଙ୍କ ମତାମତ ନେବେ । ତା ପରେ ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ବିଧାୟକ ଦଳ ନେତା ବଛାଯିବ । ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଥିବାରୁ ଓ ଆଦିବାସୀଙ୍କ ସମର୍ଥନ ହାସଲ ପାଇଁ ଜଣେ ଆଦିବାସୀ ନେତାଙ୍କୁ ବିଜେପି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।
ତେବେ ଏଠାରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ 4 ଜଣ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି । ସେମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଅରୁଣ ସାଓ ଏବଂ ବିଷ୍ଣୁଦେବ ସାଏ ।
ରମଣ ସିଂହ 3 ଥର ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପୂର୍ବରୁ ହୋଇ ସାରିଛନ୍ତି । 2003 ରୁ 2018 ପର୍ଯ୍ୟନ୍ତ ସେ ରାଜ୍ୟରେ ଶାସନ କରିଛନ୍ତି । ତାଙ୍କ ସମୟରେ ରାଜ୍ୟରେ ଅନେକ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ମଧ୍ୟ ନିକଟତର । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇ ପାରେ ବୋଲି କୁହାଯାଉଛି । ଏହାବ୍ୟତୀତ ବିଳାସପୁର ସାଂସଦ ଅରୁଣ ସାଓ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା କୁହାଯାଉଛି । ସେ ପଛୁଆ ବର୍ଗର ଜଣେ ଟାଣୁଆ ନେତା । ଓବିସି ବର୍ଗର ଲୋକଙ୍କ ମଧ୍ୟରେ ସାହୁ ସମାଜରର ସଂଖ୍ୟା ସବୁଠୁ ଅଧିକ । ତେଣୁ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କରାଯାଇପାରେ । କେନ୍ଦ୍ରରେ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିବା ରେଣୁକା ସିଂହ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି । ଏହାବ୍ୟତୀତ ଅନ୍ୟଜଣେ ଆଦିବାସୀ ନେତା ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେବ ସାଏ । 59 ବର୍ଷୀୟ ବିଷ୍ଣୁଦେବ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଥିବା କୁହାଯାଉଛି ।












Click it and Unblock the Notifications