ବିଜେଡ଼ି-ବିଜେପି ଭିତିରି ବୁଝାମଣା, ବିଜେପିକୁ 15 ଲୋକସଭା ଆସନ ଦେବ ବିଜେଡ଼ି- କଂଗ୍ରେସ ପ୍ରଭାରୀ ଅଜୟ କୁମାର
ଭୁବନେଶ୍ୱର: ଆଗକୁ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ଓଡ଼ିଶା ପ୍ରଦେଶ କମିଟିର ନୂତନ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ରାଜ୍ୟ ଗସ୍ତରେ ଅଛନ୍ତି ଡ଼ ଅଜୟ କୁମାର । ଏହି ସମୟରେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ସହ ଦଳକୁ ମଜବୁତ କରିବା ନେଇ ଚର୍ଚ୍ଚା କରୁଛନ୍ତି ।

ଏହି ସମୟରେ ସେ ରାଜ୍ୟର ଶାସନ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇ ଉଭୟ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ଉପରେ ବର୍ଷିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ବିଜେଡି ଓ ବିଜେପି ଭିତରେ ବୁଝାମଣା ହୋଇଛି ବୋଲି ସେ କହିଛନ୍ତି । ଏପରିକି ବିଜେପିକୁ 15 ଲୋକସଭା ଆସନ ଦେବାକୁ ବିଜେଡି ସହ ବୁଝାମଣା ହୋଇଛି ବୋଲି ଅଭିଯୋଗ କରିଛନ୍ତି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର ।
ଶାସକ ଦଳ ବିରୋଧରେ ଅଭିଯୋଗ ଆଣି କଂଗ୍ରେସ ପ୍ରଭାରୀ କହିଛନ୍ତି, ରାଜ୍ୟରେ ବାହାରି ଶାସନ ଚାଲିଛି । ଅମଲା ଶାସନ ଲୋକଙ୍କ ପାଖରେ ପହଞ୍ଚିପାରୁନି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟର ଏକମାତ୍ର ରାଜନୈତିକ ଦଳ ଭାବେ କଂଗ୍ରେସ ଲୋକଙ୍କ ସହ ରହିଛି ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି, ନେତାଙ୍କ ଅଧୀନରେ ଆଇଏଏସ୍, ଆଇପିଏସ୍ କାମ କରିବା ଉଚିତ । କିନ୍ତୁ ଏଠାରେ ଆଇଏଏସ୍ ଓ ଆଇପିଏସ୍ ସରକାର ଚଳାଉଛନ୍ତି । ଏଠାରେ ମନ୍ତ୍ରୀ, ବିଧାୟକଙ୍କ କୌଣସି ସମ୍ମାନ ନାହିଁ । ସବୁଆଡେ ଇଡି, ସିବିଆଇ ରେଡ୍ କରୁଛି, କିନ୍ତୁ ଓଡିଶାରେ କାହିଁକି ନୁହେଁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ଅଜୟ କୁମାର ।
ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଅଜୟ କୁମାର ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ସମୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରି 2024 ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।












Click it and Unblock the Notifications