ଗୁଜୁରାଟରେ ଆରମ୍ଭ ହେବ ବିଜେପିର ସପ୍ତମ ଚାପ୍ଟର, ସୋମବାର ସିଏମ୍ ଭୁପେନ୍ଦ୍ର ପଟେଲଙ୍କ ସମେତ 20 ଜଣ କ୍ୟାବିନେଟ ମନ୍ତ୍ରୀ ନେବେ ଶପଥ
ଗୁଜୁରାଟରେ ବିଜେପି ଆରମ୍ଭ କରିବ ଏହାର ସପ୍ତମ ଚାପ୍ଟର । ସପ୍ତମ ଥର ପାଇଁ ରାଜ୍ୟରେ ସରକାର ଚଳାଇବ ବିଜେପି । ଯଦିଓ ଏ ନେଇ ଡିସେମ୍ବର 8 ତାରିଖ ନିର୍ବାଚନ ଫଳାଫଳ ପ୍ରକାଶ ପରେ ନିଶ୍ଚିତ ହୋଇଥିଲା, ଦଳର ବିଧାୟକ ବୈଠକ ପରେ ଏ ନେଇ ଆନୁଷ୍ଠାନିକ ନିଷ୍ପତ୍ତି ହୋଇଛି ।
ଗାନ୍ଧୀନଗର: ଗୁଜୁରାଟରେ ବିଜେପି ଆରମ୍ଭ କରିବ ଏହାର ସପ୍ତମ ଚାପ୍ଟର । ସପ୍ତମ ଥର ପାଇଁ ରାଜ୍ୟରେ ସରକାର ଚଳାଇବ ବିଜେପି । ଯଦିଓ ଏ ନେଇ ଡିସେମ୍ବର 8 ତାରିଖ ନିର୍ବାଚନ ଫଳାଫଳ ପ୍ରକାଶ ପରେ ନିଶ୍ଚିତ ହୋଇଥିଲା, କିନ୍ତୁ ବର୍ତ୍ତମାନ ଦଳର ବିଧାୟକ ବୈଠକ ପରେ ଏ ନେଇ ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଜେପିର ନିର୍ବାଚିତ ବିଧାୟକ ମାନେ ଭୁପେନ୍ଦ୍ର ପଟେଲଙ୍କୁ ସେମାନଙ୍କ ନେତା ଭାବେ ମନୋନୀତ କରିଛନ୍ତି । ଏହା ପରେ ବର୍ତ୍ତମାନ ସୋମବାର ଦିନ ଭୁପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହା ସହିତ ଅନ୍ୟ 20 ଜଣ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ନେବେ ।

ଶନିବାର ଗାନ୍ଧୀନଗରର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ବିଧାୟକ ଦଳ ବୈଠକ ହୋଇଥିଲା । ଏହା ପରେ ଦଳର ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଟେଲଙ୍କ ସହ ରାଜ୍ୟ ବିଜେପି ସଭାପତି ସିଆର୍ ପାଟିଲ, ଗୃହମନ୍ତ୍ରୀ ହର୍ଷ ସାଂଘଭି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ହୃଷିକେଶ ପଟେଲ, ଗୁଜୁରାଟ ବିଜେପିର ମୁଖ୍ୟ ସତେଚକ ପଙ୍କଜ ଦେଶାଇ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ ରାଜ ଭବନରେ ପହଞ୍ଚି ସରକାରଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳ ମଧ୍ୟ ଏହା ସ୍ୱୀକାର କରିଛନ୍ତି ।
ସୋମବାର ଭୁପେନ୍ଦ୍ର ପଟେଲ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ନେତୃତ୍ୱାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ । ଏହି ସମୟରେ ପ୍ରାୟ 20 ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଭୁପେନ୍ଦ୍ର ପଟେଲଙ୍କ ସହ ଶପଥ ଗ୍ରହଣ କରିବେ ଏବଂ ପରଦିନ ନିଜ ନିଜ କାର୍ଯ୍ୟାଳୟର ଦାୟିତ୍ୱ ଗ୍ରହଣ କରିବେ ।












Click it and Unblock the Notifications