2024 ନିର୍ବାଚନରେ ଦକ୍ଷିଣ ଭାରତର 5 ରାଜ୍ୟ ଉପରେ ବିଜେପିର ଧ୍ୟାନ, 129 ଆସନରୁ ଏତିକି ଜିତିବାର ଲକ୍ଷ୍ୟ
ଦଳ କ୍ରମାଗତ ତୃତୀୟ ଥର କ୍ଷମତାକୁ ଆସିବା ପାଇଁ ଦକ୍ଷିଣ ଭାରତରେ ଦଳର ପତିଆରା ହାସଲ କରିବା ଉପରେ ଧ୍ୟାନ ଦେଉଛି । ଦକ୍ଷିଣ ରାଜ୍ୟରେ ଦଳ ନିଜର ସଙ୍ଗଠନକୁ ମଜବୁତ କରି ଅଧିକ ଆସନ ହତେଇବାକୁ କାମ ଆରମ୍ଭ କରିଦେଇଛି ।
ନୂଆଦିଲ୍ଲୀ: 2024 ରେ ହେବ ଲୋକସଭା ନିର୍ବାଚନ । ଗତ ଦୁଇ ଥର ନିର୍ବାଚନରେ ବିଜୟ ହାସଲ କରି ସରକାରରେ ଥିବା ବିଜେପି ଏହାର ତୃତୀୟ ପାଳି ଜାରି ରଖିବାକୁ ଅଣ୍ଟା ଭିଡ଼ିଛି । 2019 ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି 303 ଟି ଆସନ ଜିତିଥିଲା । ଏଥର ଦଳ କ୍ରମାଗତ ତୃତୀୟ ଥର କ୍ଷମତାକୁ ଆସିବା ପାଇଁ ଦକ୍ଷିଣ ଭାରତରେ ଦଳର ପତିଆରା ହାସଲ କରିବା ଉପରେ ଧ୍ୟାନ ଦେଉଛି । ଦକ୍ଷିଣ ରାଜ୍ୟରେ ଦଳ ନିଜର ସଙ୍ଗଠନକୁ ମଜବୁତ କରି ଅଧିକ ଆସନ ହତେଇବାକୁ କାମ ଆରମ୍ଭ କରିଦେଇଛି ।

ଗୋଟିଏ ପଟେ ଦଳ ପାଇଁ କଠିନ ଥିବା ଆସନଗୁଡ଼ିକୁ ଜିତିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବାବେଳେ ଅନ୍ୟ ପଟେ ଦକ୍ଷିଣ ଭାରତର ପାଞ୍ଚଟି ରାଜ୍ୟ ମଧ୍ୟରୁ ବାକି ଚାରିଟିରେ ସର୍ବାଧିକ ସିଟ୍ ଜିତିବାର ଲକ୍ଷ୍ୟ ନେଇ ରଣନୀତି ପ୍ରସ୍ତୁତ କରୁଛି । ଦକ୍ଷିଣ ଭାରତରେ କର୍ଣ୍ଣାଟକରେ ବିଜେପି ସରକାର ଥିବାରୁ ଦଳ ଏହି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ଏହା ବ୍ୟତୀତ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଦଳ କିପରି ଭଲ ପ୍ରଦର୍ଶନ କରି ସର୍ବାଧିକ ଆସନ ଜିତିବ ଏବଂ କର୍ଣ୍ଣାଟକରେ ଆହୁରି ଭଲ ପ୍ରଦର୍ଶନ କରିବ ତାହା ଉପରେ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟିର ସରକାର ରହିଛି । ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଦକ୍ଷିଣ ଭାରତର କର୍ଣ୍ଣାଟକ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ବିଜେପି ବହୁମତ ପାଇବାରେ ସଫଳ ହୋଇଛି । 2019 ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟର 28 ଟି ଆସନ ମଧ୍ୟରୁ 25 ଟିରେ ବିଜୟ ହାସଲ କରିଥିଲା । କିନ୍ତୁ, ଦକ୍ଷିଣ ଭାରତର ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ କେରଳରେ ଆଶା ଅନୁଯାୟୀ ସଫଳତା ପାଇବାରେ ସକ୍ଷମ ହୋଇ ନଥିଲା । ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଭାରତରେ ହେବାକୁ ଥିବା 2024 ଲୋକସଭା ନିର୍ବାଚନ ପାଇଁ ମନୋନୀତ ଆସନରେ ଦଳୀୟ କର୍ମୀଙ୍କୁ ନିୟୋଜିତ କରିବା ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିସାରିଛି । କିଛି ଦିନ ପୂର୍ବରୁ ହାଇଦ୍ରାବାଦରେ ଏଥିପାଇଁ କର୍ମାମାନଙ୍କ ସ୍ୱତନ୍ତ୍ର ତାଲିମ ମଧ୍ୟ ଆୟୋଜନ କରାଯାଇଛି ।
80 ରୁ ଅଧିକ ଆସନ ହାତେଇବାର ଲକ୍ଷ୍ୟ
ସରକାରଙ୍କ କାର୍ଯ୍ୟକୁ ଜନସାଧାରଣଙ୍କ ନିକଟକୁ କିପରି ନିଆଯିବ ସେନେଇ ବିଜେପି କର୍ମୀଙ୍କୁ ତାଲିମ ଦିଆଯାଇଥିଲା । ଦଳର ମୁଖ୍ୟ ଧ୍ୟାନ ହେଉଛି ତେଲେଙ୍ଗାନା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳ । ଦଳ କର୍ଣ୍ଣାଟକର କିଛି ଆସନକୁ ମଧ୍ୟ ମଜବୁତ କରିବ, କିନ୍ତୁ ମୁଖ୍ୟ ଧ୍ୟାନ ଅନ୍ୟ ଚାରୋଟି ରାଜ୍ୟ ଉପରେ, ଯେଉଁଠାରେ ଏହା 60 ଟି ଆସନ ଚିହ୍ନଟ କରିଛି । ଏହିପରି ଭାବରେ କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକର ମୋଟ 129 ଟି ସିଟ୍ ମଧ୍ୟରୁ 85 ରୁ ଅଧିକ ସିଟ୍ ଜିତିବାକୁ ବିଜେପି ଲକ୍ଷ୍ୟ ରଖିଛି ।
ଦକ୍ଷିଣ ଭାରତର ପାଞ୍ଚଟି ରାଜ୍ୟରେ କେରଳରେ 20 ଟି, ଆନ୍ଧ୍ରପ୍ରଦେଶରେ 25 ଟି, ତାମିଲନାଡୁରେ 39 ଟି, ତେଲେଙ୍ଗାନାରେ 17 ଟି ଏବଂ କର୍ଣ୍ଣାଟକରେ 28 ଟି ଲୋକସଭା ଆସନ ରହିଛି । ହାଇଦ୍ରାବାଦରେ ଆୟୋଜିତ ଏକ ପ୍ରଶିକ୍ଷଣ ଶିବିରରେ ବିଜେପି କର୍ମୀଙ୍କୁ ଦକ୍ଷିଣ ଭାରତରେ ଲୋକସଭା ଆସନକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିବାକୁ କୁହାଯାଇଛି । ଫଳରେ 2024 ନିର୍ବାଚନରେ ଦଳ ଏଠାରୁ ଅଧିକାଂଶ ଆସନ ଜିତି କେନ୍ଦ୍ରରେ ସରକାର ଗଠନ କରିପାରିବ । ସୂଚନାନୁସାରେ, 'ବିଜେପି ବିଶ୍ୱାସ କରେ ଯେ, 2024 ରେ 303 ରୁ ଅଧିକ ଆସନ ହାତେଇବାକୁ ହେଲେ ଦକ୍ଷିଣ ଭାରତର ଆସନଗୁଡିକୁ ଯୋଜନାବଦ୍ଧ ଭାବରେ ଟାର୍ଗେଟ କରିବାକୁ ପଡିବ ଏବଂ ବର୍ତ୍ତମାନ ବିଜେପି ମଧ୍ୟ ଏହା ଉପରେ କାମ ଆରମ୍ଭ କରିଛି ।'












Click it and Unblock the Notifications