ଆଉ ନରମ ଆଭିମୁଖ୍ୟ ନୁହଁ, ଜୋରଦାର ହେବ ଲଢେଇ- ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏହାର ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିଶେଷ କରି ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପିର ବିଜୟ ପରେ ରାଜ୍ୟ ବିଜେପିର ମନୋବଳ ଦୃଢ ହୋଇଛି । ଏହା ପରେ ରାଜ୍ୟରେ ବିଜେଡ଼ି ସରକାରକୁ ଗାଦିଚ୍ୟତୁ କରିବାକୁ ଏକ ପ୍ରକାର ପଣ ବାନ୍ଧିଛନ୍ତି ବିଜେପି ନେତା ।

ଓଡ଼ିଶାର ବିଜେପି ବିଧାୟକ ଓ ସାଂସଦଙ୍କ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ କେନ୍ଦ୍ରୀୟ ନେତାମାନଙ୍କୁ ଭେଟି ରାଜ୍ୟରେ ଦଳର ସ୍ଥିତି ବାବଦରେ ଅବଗତ କରାଇଛନ୍ତି । ଏହା ପରେ ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ଲାଗି ଦିଲ୍ଲୀରୁ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ୍ । ତୃଣମୂଳ ସ୍ତରରେ ଲୋକଙ୍କୁ ଭେଟିବା ସହ ଦଳକୁ ଆହୁରି ମଜବୁତ କରିବା ନେଇ ଆଲୋଚନା କରିଥିଲେ ।
ଦିଲ୍ଲୀରୁ ଫେରିବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ଭୋଟରଙ୍କ ସହ ଯୋଡ଼ି ହେବାକୁ ପ୍ରୟାସ କରିବେ । ଓଡ଼ିଶାର ଏକ କୋଟି ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଗୁରୁତ୍ୱରୋପ କରି ଜୟନାରାୟଣ ମିଶ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆମର ଫଳପ୍ରଦ ବୈଠକ ହୋଇଛି । ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ଲଢ଼େଇ କରିବାକୁ ପ୍ରତିଶ୍ରୁତି ଦେଇ ବିଜେପି ଆଉ ଓଡ଼ିଶା ସରକାରଙ୍କ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିବ ନାହିଁ ବୋଲି ବିରୋଧୀ ଦଳ ନେତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । 2024 ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ କର୍ମୀଙ୍କ ଉପରେ ଆସ୍ଥା ପ୍ରକଟ କରି ସମ୍ବଲପୁର ବିଧାୟକ କହିଛନ୍ତି, ନରମ ହେବାର ପ୍ରଶ୍ନ ଉଠୁନାହିଁ ଏବଂ ଲଢ଼େଇ ଜୋରଦାର ହେବ ।
ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାରେ ଦଳର ସମ୍ଭାବନାକୁ ନେଇ ଆଶାବାଦୀ ଥିବା ବେଳେ କହିଛନ୍ତି, ଓଡ଼ିଶାବାସୀ ସରକାର ବଦଳାଇବେ । ଗତ ନିର୍ବାଚନ ତୁଳନାରେ 2019 ରେ ଆମେ 15 ପ୍ରତିଶତ ଅଧିକ ଭୋଟ୍ ପାଇଥିଲୁ । ବିଜେଡି ସରକାର ଉପରେ ଲୋକମାନେ ଅସନ୍ତୁଷ୍ଟ ଥିବାରୁ ସେମାନେ ପରିବର୍ତ୍ତନ ପାଇଁ ଭୋଟ୍ ଦେବେ । ଏଥର ଆମର ଭୋଟ୍ ପ୍ରତିଶତ 50 ପ୍ରତିଶତ ରହିବ ।












Click it and Unblock the Notifications