ମୁଁ ଅସୁରକ୍ଷିତ... ମୁଁ ସେଦିନ ଥିଲେ ମୋତେ ହତ୍ୟା କରି ଦେଇଥାନ୍ତେ...
ଭୁବନେଶ୍ୱର: ନିଜରକୁ ଅସୁରକ୍ଷିତ ମନେ କରୁଚନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଘରେ ଓ ଘର ବାହାରେ ବି ଅସୁରକ୍ଷିତ ମନେ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜି ବିଧାନସଭା ମୁଲତବି ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଏମିତି କହିଛନ୍ତି ଜୟନାରାୟଣ ।
ଶ୍ରୀ ମିଶ୍ର କହିଛନ୍ତି, "ନିଜକୁ ଗୃହ ଓ ଗୃହ ବାହାରେ ଅସୁରକ୍ଷିତ ମନେ କରୁଛି । ଆଜି ମୋର ସମ୍ବଲପୁର ଘର ଆଗରେ ବିକ୍ଷୋଭ କରାଯାଉଛି ।ସମ୍ବଲପୁର ସର୍କିଟ ହାଉସରେ ବିଜେଡି କର୍ମୀ ପଶି ଭଙ୍ଗାରୁଜା କରିଥିଲେ । ମୁଁ ଥିବା ସନ୍ଦେହରେ ସର୍କିଟ ହାଉସରେ ଏପରି କରିଥିଲେ । ମୁଁ ସେଦିନ ଥିଲେ ମୋତେ ହତ୍ୟା କରି ଦେଇଥାନ୍ତେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ଏଥିପାଇଁ ସରକାରଙ୍କ ସାହଯ୍ୟ ଲୋଡୁ ନାହିଁ। ଯଦି ମୋର ଓ ପରିବାର ଲୋକଙ୍କର କିଛି କ୍ଷତି ହୁଏ ତାହାହେଲେ ନବୀନ ବାବୁ ଦାୟୀ ହେବେ । "

ଏହା ସହ ବିଧାନସଭା ଚାଲି ନପାରିବା ନେଇ କହିଛନ୍ତି, 'ବାଚସ୍ପତି ଶାସକ ଦଳର କଣ୍ଢେଇ ଭଳି କାମ କରୁଛନ୍ତି । ବାଚସ୍ପତି ଦଳୀୟ ଭାବନାରୁ ଊର୍ଦ୍ଧ୍ୱରେ ରହିବା ଉଚିତ୍ । ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି । ଗୃହ ଚାଲୁ ବୋଲି ଶାସକ ଦଳ ଚାହୁଁନି । ବିଧାନସଭା ନ ଚାଲିବା ପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି । ଶାସକ ଦଳକୁ ସଙ୍କଟ ଆସିଲେ ଗୃହ ମୁଲତବି କରୁଛନ୍ତି । ଶାସକ ଦଳ ଅସଂସଦୀୟ ଶବ୍ଦ ପ୍ରୟୋଗ କଲେ ବାଦ୍ ଦିଆଯାଉନାହିଁ'।
ଅନ୍ୟପକ୍ଷରେ ଗୃହ ନ ଚାଲିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ବିରୋଧୀ ଗୃହରେ ବିରୋଧ କରିବେ । ସରକାର ଗୃହ ଚଳାଇବା କଥା । ଗୃହ ବନ୍ଦ ହେବାରୁ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠି ପାରିଲାନି । ସରକାର ଭୟଭୀତ, ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଉନାହାଁନ୍ତି । ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହେବା କଥା ।
ସୂଚନାଥାଉକି, ଆଜି ବିଧାନସଭା ଆରମ୍ଭରୁ ଦେଖିବାକୁ ମିଳିଥିଲା ପ୍ରବଳ ହଟ୍ଟଗୋଳ । ଯାହାଫଳରେ ଗୃହକୁ 4 ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।












Click it and Unblock the Notifications