ପୁଣି ଶାଣିତ ହେବ ମହିଳା ସଂରକ୍ଷଣ ଦାବି, ମୌସୁମୀ ଅଧିବେଶନରେ ପ୍ରସଙ୍ଗ ଉଠାଇବ ବିଜେଡ଼ି
ଭୁବନେଶ୍ୱର : ମହିଳା ସଶକ୍ତିକରଣକୁ ଫୋକସ୍ କରୁଛି ବିଜେଡ଼ି । ରାଜନୀତି ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ମହିଳା ସଂରକ୍ଷଣକୁ ନେଇ ବାରମ୍ବାର ସ୍ୱର ଉଠାଉଛି ବିଜେଡ଼ି । ଏଥର ମୌସୁମୀ ଅଧିବେଶନରେ ସଂସଦରେ ପୁଣି ମହିଳା ଆରକ୍ଷଣ ପ୍ରସଙ୍ଗ ଉଠାଇବ ବିଜେଡ଼ି । ସଂସଦରେ ଶୀଘ୍ର ମହିଳା ସଂରକ୍ଷଣ ବିଲ୍ ପାସ୍ ଦାବିକୁ ଶାଣିତ କରିବ ଦଳ । ଏ ନେଇ କହିଛନ୍ତି ସାଂସଦ ଶର୍ମିଷ୍ଠା ସେଠୀ ।

ରାଜନୀତିର ସବୁ ପ୍ଲାଟଫର୍ମରେ ମହିଳାଙ୍କୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼େଇ ଜାରି ରଖିଥିବା କହିଛନ୍ତି ବିଜେଡି ସାଂସଦ । ଦେଶର ପ୍ରଥମ ରାଜନେତା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷିତ ରଖିବା ପାଇଁ ଦାବି କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଦାବିକୁ 22 ଟି ରାଜନୈତିକ ଦଳର ସମର୍ଥନ ମିଳିଛି । ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ କରିବାକୁ ବିଜେଡି ସାଂସଦମାନେ ବାରମ୍ବାର ସ୍ୱର ଉଠାଉଥିଲେ ମଧ୍ୟ ଏ ନେଇ କର୍ଣ୍ଣପାତ କରୁନାହାଁନ୍ତି କେନ୍ଦ୍ର ସରକାର ।
ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଜେଡି ସବୁବେଳେ କାମ କରୁଛି । ପଞ୍ଚାୟତ ଓ ପୌର ନିର୍ବାଚନରେ 50 ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଇଥିଲା ଦଳ । 30 ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମଧ୍ୟରୁ 21 ଜଣ ମହିଳାଙ୍କୁ ବିଜେଡି ଅଧ୍ୟକ୍ଷ ପଦରେ ବସାଇଛି । ରାଜ୍ୟର 3ଟି ନିର୍ବାଚିତ ମହାନଗର ନିଗମ ମଧ୍ୟରୁ 2 ଟିର ମହିଳା ମେୟର ଅଛନ୍ତି । ଲୋକସଭାରେ 21 ଜଣ ସାଂସଦଙ୍କ ମଧ୍ୟରୁ 7 ଜଣ ଓ ରାଜ୍ୟସଭାରେ 2 ଜଣ ମହିଳା ପ୍ରତିନିଧିତ୍ୱ କରୁଛନ୍ତି ।
ଏପରିକି ବିଧାନସଭା ଓ ଲୋକସଭା ନିର୍ବାଚନରେ 33 ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିଲା ଦଳ । ମିଶନ ଶକ୍ତି ଜରିଆରେ 80 ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରାଯାଇଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷଣ ଲାଗି ଲଢ଼େଇ ଜାରି ରଖିଛି ବିଜେଡ଼ି । ଏପରିକି ବିଜେଡିକୁ ସାଥ୍ ଦେଇଛି କଂଗ୍ରେସ ।












Click it and Unblock the Notifications