ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଜେପିର କହିବା ‘ସୈତାନର ବେଦ ପାଠ' - ଲେଲିନ୍ ମହାନ୍ତି
ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ପୋଲିସ୍ ର କାମ ପ୍ରଶଂସନୀୟ । ଏହି ଘଟଣାରେ ଏକ ଆନ୍ତଃରାଜ୍ୟ ଦଲାଲ ରାକେଟ୍ ଧରାପଡ଼ିବା ପରେ ଓଡ଼ିଶା ବିଜେପି ଏହାକୁ ନେଇ ହୀନ ରାଜନୀତି କରୁଛି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ ।
କିଛିଦିନ ତଳେ ଓଡ଼ିଶା ପୋଲିସ ତତ୍ପରତା ପ୍ରକାଶ କରି ଏକ ଆନ୍ତଃରାଜ୍ୟ ରାକେଟ୍ ଧରିବାରେ ସକ୍ଷମ ହୋଇଛି । ଏହି ରାକେଟରେ ଥିବା ବାହାର ରାଜ୍ୟର ଦଲାଲମାନେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ ପରୀକ୍ଷା ସମେତ ବିଭିନ୍ନ ରାଜ୍ୟରେ କେନ୍ଦ୍ରୀୟ ଷ୍ଟାଫ୍ ସିଲେକସନ୍ କମିସନ ଦ୍ୱାରା ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ସଂପୃକ୍ତ ଅଛନ୍ତି । ଏଭଳି ଏକ ଆନ୍ତଃରାଜ୍ୟ ରାକେଟର ପର୍ଦ୍ଦାଫାସ୍ କରିଥିବା ଓଡ଼ିଶା ପୁଲିସର ପଦକ୍ଷେପ ବାସ୍ତବିକ ପ୍ରଶଂସନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି ।

ସେ କହିଛନ୍ତି ବିଜେପି ନେତା ନିଯୁକ୍ତି କି ଅନ୍ୟ ପ୍ରସଙ୍ଗରେ କହିବା ସୈତାନର ବେଦ ପାଠ ପରି । ଦୁର୍ଭାଗ୍ୟର ବିଷୟ ହେଲା, ଯେତେବେଳେ ଓଡ଼ିଶା ପୋଲିସ ପ୍ରଶାସନ କୌଣସି ଏକ ଅନିୟମିତତାର ପର୍ଦ୍ଦାଫାସ୍ କରୁଛି କିମ୍ୱା ଭିଜିଲାନ୍ସ ହାତରେ ଧରା ପଡ଼ିଥିବା କୌଣସି ଦୁର୍ନୀତିଗ୍ରସ୍ତ ଅଫିସର ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି; ଓଡ଼ିଶା ବିଜେପି ଏହାକୁ ନେଇ ନିମ୍ନ ମାନର ରାଜନୀତି କରିବା ଆରମ୍ଭ କରିଦେଉଛି ।
ଡ. ମହାନ୍ତି ଆହୁରି କହିଛନ୍ତି ଯେ ଅତୀତରେ ଗୁଜରାଟ, ୟୁପି, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ଷ୍ଟାଫ୍ ସିଲେକସନ୍ କମିଶନ ପରୀକ୍ଷା ଏପରିକି କେତେକ ସ୍ଥାନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଛି । ଏସବୁ ମାମଲାରେ ମଧ୍ୟ ଏହିଭଳି କିଛି ଦଲାଲଙ୍କ ରାକେଟ୍ ସଂପୃକ୍ତ ଥିବା ଜଣାପଡ଼ିଛି । କାହିଁ ସେତେବେଳେ ତ ବିଜେପି ନେତାମାନେ ଏହାକୁ ନେଇ ରାଜନୀତି କରୁ ନ ଥିଲେ ? ସେଗୁଡ଼ିକ ବିଜେପି ଶାସିତ ରାଜ୍ୟ ଥିଲା ବୋଲି ସେମାନେ ନିଜ ମୁହଁରେ ତୁଣ୍ଡି ବାନ୍ଧି ଦେଇଥିଲେ କି ? ଏବେ ଓଡ଼ିଶାରେ ସମାନ ଧରଣର ରାକେଟ୍ ଧରାପଡ଼ି କାର୍ଯ୍ୟାନୁଷ୍ଠାନ ନେଲାବେଳେକୁ ଏମାନେ ଏମିତି ବାଉଳିଚାଉଳି ହେଉଛନ୍ତି କାହିଁକି ?
ଡ. ମହାନ୍ତି ଆହୁରି କହିଛନ୍ତି ଯେ ଷ୍ଟାଫ୍ ସିଲେକସନ୍ କମିଶନ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ଚାଲିଛି । ଆଗକୁ ତଦନ୍ତରୁ ଯେଉଁମାନଙ୍କ ସଂପୃକ୍ତି ପଦାକୁ ଆସିବ, ସେମାନଙ୍କ ବିରୋଧରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ତଦନ୍ତ ସରି ନଥିବାବେଳେ ଓଡ଼ିଶା ବିଜେପି ନେତାମାନେ ଏବେଠାରୁ ଅଧୈର୍ଯ୍ୟ ହେଉଛନ୍ତି କାହିଁକି ? ସତ କଥା ହେଲା, ଓଡ଼ିଶା ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ । ସେମାନେ କେବେବି ଓଡ଼ିଶାର ସ୍ୱାର୍ଥ କଥା ଉଠାନ୍ତି ନାହିଁ । ଓଡ଼ିଶାର ହିତ ବା ଉନ୍ନତି ସଂପର୍କରେ ଚିନ୍ତା କରନ୍ତି ନାହିଁ । ସେମାନେ କେବଳ ବିଭିନ୍ନ ସ୍ପର୍ଶକାତର ମାମଲାରେ ନିମ୍ନ ମାନର ରାଜନୀତି କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରୁଛନ୍ତି । ତେଣୁ ସଚେତନ ଓଡ଼ିଶାବାସୀ ଓଡ଼ିଶା ବିଜେପି ନେତାଙ୍କ ଏଭଳି ନକାରାତ୍ମକ ରାଜନୀତିକୁ ଘୃଣା କରୁଛନ୍ତି ଏବଂ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଡ. ମହାନ୍ତି ପ୍ରକାଶ କରିଛନ୍ତି ।
ପ୍ରଶ୍ନପତ୍ର ଲିକ୍ ମାମଲାରେ ଶାସକ ଦଳ ଉପରେ ବର୍ଷିଛି ବିଜେପି । ଓଡ଼ିଶାରେ ସରକାରୀ ଚାକିରି ବିକ୍ରି ହେଉଛି । ଟଙ୍କା ନେଇ ଚାକିରି ଦିଆଯାଉଛି । ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଧରା ପଡ଼ିଥିବା ଅଭିଯୁକ୍ତ ସମସ୍ତେ ବିହାରର । ତେବେ ବିହାର ଓ ଆନ୍ଧ୍ର ଦଲାଲଙ୍କ ହାତକୁ ପ୍ରଶ୍ନ ପତ୍ର ଗଲା କେମିତି ? ତାହାର ତଦନ୍ତ କାହିଁକି ହେଉନାହିଁ ? ଏମିତି କହି ବିଜେଡି ଉପରେ ବର୍ଷିଛି ବିଜେପି ।












Click it and Unblock the Notifications