‘ଓଡ଼ିଶାର ସ୍ୱାର୍ଥ ଲାଗି ବିଜେଡ଼ି ମେଣ୍ଟ ପାଇଁ ଆଗ୍ରହୀ, କିନ୍ତୁ ନିଷ୍ପତ୍ତି ନେବେ ନବୀନ'
ବିଜେପି-ବିଜେଡ଼ି ମେଣ୍ଚ: ରାଜ୍ୟ ରାଜନୀତିରେ ବର୍ତ୍ତମାନ ବିଜେଡି-ବିଜେପିକୁ ନେଇ ଚର୍ଚ୍ଚା ଲାଗି ରହିଛି । ଦୁଇ ଦଳ ମଧ୍ୟରେ ମେଣ୍ଟକୁ ନେଇ ଆଲୋଚନା ହେଉଥିବା ଚର୍ଚ୍ଚା ଲାଗି ରହିଥିଲେ ସୁଦ୍ଧା କୌଣିସି ଦଳ ଏନେଇ ଖୋଲାଖୋଲି ସ୍ଫଷ୍ଟ କରୁନାହାଁନ୍ତି । ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରି ବିଜେପି ଏକାକୀ ନିର୍ବାଚନ ଲଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏପରିକି ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା ବାରମ୍ବାର କହିଛନ୍ତି ।

ଅପରପକ୍ଷରେ ଆଜି ବିଜେଡି ବିଧାୟକ ନୃସିଂହ ସାହୁ ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି । ନୃସିଂହ କହିଛନ୍ତି ମେଣ୍ଟ ବାବଦରେ ବିଭିନ୍ନ ଚର୍ଚ୍ଚା ହେଉଛି । ମେଣ୍ଟ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ଦଳ ତାହା ମାନିବ । ମେଣ୍ଟ ହେଲେ ବିଦ୍ରୋହୀ ବାହାରିଲା ଭଳି ଲାଗୁନି । ସିଟ କଟିବ କିନ୍ତୁ ବିଦ୍ରୋହୀ ହେବା ଭଳି ଲାଗୁନି । ଯେଉଁ ମାନେ ବିଜେଡ଼ି ପ୍ରତି ବିଶ୍ଵସ୍ତ ସେମାନେ ଦଳରେ ରହିବେ ।
ଏହା ସହ ନୃସିଂହ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡ଼ି ମେଣ୍ଟ କରିବା ପାଇଁ ଆଗ୍ରହୀ ହୋଇଛି ବା ରାଜି ହୋଇଛି । କେନ୍ଦ୍ର ସହ ଭଲ ବୁଝାମଣା ରହିଲେ ରାଜ୍ୟର ବିଭିନ୍ନ ସୁବିଧା ହେବ ବୋଲି ଆଶା ଅଛି । ଲାଭ ପାଇଁ ହିଁ ମେଣ୍ଟ ହୁଏ ।
ନୃସିଂହ ଏହାମଧ୍ୟ କହିଛନ୍ତି, ମେଣ୍ଟ ହେଉ କି ନହେଉ ବିଜେଡି 110 ରୁ ଅଧିକ ଆସନରେ ଜିତିବ । କିନ୍ତୁ ମେଣ୍ଟ ହେଲେ କେତେ ଆସନରେ ବିଜେଡି ଲଢିବ ସେନେଇ ମୁହଁ ଖୋଲିନାହାଁନ୍ତି ନୃସିଂହ । ଏହି ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେବେ ବୋଲି କହିଛନ୍ତି ନୃସିଂହ ।
ଆପଣଙ୍କୁ କହି ରଖୁଛୁ, ଗତ କିଛି ଦିନ ହେବ ବିଜେପି-ବିଜେଡ଼ି ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଆସନ ବୁଝାମଣା ନେଇ ସହମତି ପ୍ରକାଶ ପାଇପାରୁନଥିବା ଜଣାପଡ଼ିଛି । ତେବେ ଆଗାମୀ ଦିନରେ ଦୁଇ ଦଳ ଏକାକୀ ନିର୍ବାଚନ ଲଢିବେ ନା ଗୋଟିଏ ମଞ୍ଚରେ ଆସିବେ ତାହା ଦେଖିବା ବାକି ରହିଲା ।












Click it and Unblock the Notifications