Get Updates
Get notified of breaking news, exclusive insights, and must-see stories!

BJD@27: ଯୁବ ଅବସ୍ଥାରେ ବିଜେଡ଼ି, ଅପରିଚିତ ରୁ ଅପରାଜେୟ

BJD Foundation Day: ଯୁବ ଅବସ୍ଥାରେ ପାଦ ଥାପିଛି ବିଜେଡ଼ି । ଆଞ୍ଚଳିକ ଦଳ ବିଜେଡିକୁ 26 ପୁରି 27 ଛୁଇଁଛି । ବିଜୁବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ଆଜି ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବିକାଶର ଆଭିମୁଖ୍ୟ ନେଇ କାମ କରୁଥିବା ଦଳ ଗଠନ ପରଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଜନ ଆର୍ଶୀବାଦ ଲାଭ କରିଆସିଛି ।

ଲୋକସଭା, ବିଧାନସଭା ଓ ପଞ୍ଚାୟତ ନିର୍ବାଚନ, ସବୁଥିରେ ବିଜେଡିକୁ ମିଳିଛି ଅପୂର୍ବ ସଫଳତା । ଏଥି ମଧ୍ୟରେ 2024 ନିର୍ବାଚନର ବି ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ମିଶନ 130 କୁ ନେଇ କାମ କରୁଛି ବିଜେଡି ।

BJD

ଆଜି ବିଜେଡିର 27 ତମ ପ୍ରତିଷ୍ଠା ସମାରୋହ । ସମସ୍ତ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ଏହା ପାଳନ କରାଯିବ । ଏହି ଦିବସରେ ଗଣଦୌଡ଼ ସହ ସାଇକେଲ ରାଲି ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସକାଳ 8ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା କରାଯାଉଛି । ସେହିପରି ଶଂଖ ଭବନ ସମେତ ବିଭିନ୍ନ ସ୍ଥାନରେ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଉଛି ।

ଅପରାଜେୟ ବିଜେଡ଼ି

1997 ମସିହା ଡିସେମ୍ବର 26 ରେ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବିଜୁବାବୁଙ୍କ ଆଦର୍ଶରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ଏଥି ମଧ୍ୟରେ ଦଳକୁ 27 ବର୍ଷ ହେଲାଣି । ଦଳ ଗଠନ ପରଠାରୁ ଆଜି ଯାଏଁ କେବେ ପରାଜୟର ସ୍ୱାଦ ଚାଖିନି ବିଜେଡ଼ି । ବୟସ ବଢିବା ସହ ଜନ ଆଶୀର୍ବାଦ ଲାଭ କରିବାରେ ସଫଳ ହେଉଛି ।

ରାଜ୍ୟ ରାଜନୀତିର ଇତିହାସକୁ ଦେଖିଲେ ଓଡ଼ିଶାରେ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ଆଞ୍ଚଳିକ ଦଳ ତୁଳନାରେ ବିଜେଡି ହିଁ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି । ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଗଢ଼ାଯାଇଥିବା ଏହି ଆଞ୍ଚଳିକ ଦଳ 27 ବର୍ଷ ଭିତରେ ଅନେକ ରେକର୍ଡ ସୃଷ୍ଟି କରିଛି । ଦଳର ବୟସ ଯେତେ ବଢ଼ୁଛି, ନିର୍ବାଚନୀ ରାଜନୀତିରେ ସେତିକି ଅଧିକ ସଫଳତା ସାଉଁଟି ଚାଲିଛି । ଦେଶରେ ଯେ କୌଣସି ଆଞ୍ଚଳିକ ଦଳ ପାଇଁ ଏହା ଏକ ବଡ଼ ଉପଲବ୍ଧି । ତେବେ ଏହି ସଫଳତା କେବଳ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୁର୍ତ୍ତୀ ବା ବ୍ରାଣ୍ଡ ନବୀନ ପାଇଁ ସମ୍ଭବ ହୋଇପାରିଛି ବୋଲି ଚର୍ଚ୍ଚା ହୁଏ ।

କାହିଁକି ଅପରାଜେୟ ବିଜେଡ଼ି ?

ରାଜ୍ୟ ତଥା ଦେଶରେ ବିଜେଡି କେବଳ ଆଞ୍ଚଳିକ ଦଳ ନୁହଁ ଜାତୀୟ ଦଳମାନଙ୍କ ପାଇଁ ପାଲଟିଛି ଉଦାହରଣ । ବିଗତ 23 ବର୍ଷ ଧରି ରାଜ୍ୟ ରାଜନୀତିରେ ନିଜର ଦବଦବା ବଜାୟ ରଖିଥିବା ବିଜେଡ଼ି ଆଜି ଏକ ସଫଳ ଆଞ୍ଚଳିକ ଦଳରେ ପରିଣତ ହୋଇଛି । 1997 ରେ ଅପରିଚିତ ଥିବା ବିଜେଡ଼ି ଆଜି ରାଜନୀତିରେ ନିଜର ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି । କେବଳ ବିପର୍ଯ୍ୟୟ ପରିଚାଳନାରେ ନୁହେଁ ବରଂ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରି ସଫଳ ହୋଇଛି ବିଜେଡ଼ି । ଏହା ସହ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଦଳକୁ ଅପରାଜେୟ ରଖିବାରେ ବେଶ୍ ସହାୟକ ହୋଇଛି ।

ବିଶେଷକରି ମହିଳା ସଶକ୍ତୀକରଣ କ୍ଷେତ୍ରରେ ନବୀନଙ୍କ ବିଭିନ୍ନ ଯୋଜନା ଫଳପ୍ରଦ ହେବା ସହ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ରାଜ୍ୟରେ ସୁଶାସନ, ଜନକଲ୍ୟାଣ, ରୋଜଗାର ଯୋଗାଣ, ସ୍ବାସ୍ଥ୍ୟସେବା, ଅର୍ଥନୈତିକ ବିକାଶ, ସାମାଜିକ କଲ୍ୟାଣ ଏବଂ ସମୟୋଚିତ ସେବା ଯୋଗାଣ ସହିତ ବିଶେଷକରି ଗରିବ, ଦଳିତ, କୃଷକ, ମହିଳା ଓ ଯୁବଗୋଷ୍ଠୀର କଲ୍ୟାଣ ସାଧନ ତାଙ୍କ ଶାସନର ମୁଖ୍ୟ ଉଦ୍ଦେଶ୍ୟ ଏବଂ ସେ ଏହାର ମାର୍ଗଦର୍ଶକ ସାଜିଛନ୍ତି ।

ନବୀନ ବାବୁଙ୍କ ଶାସନର ଉପଲବ୍ଧିର ଆକଳନ ମାତ୍ର କେତୋଟି ଶାସନ ନୀତି ଓ ପ୍ରଶାସନ ରଣନୀତିକୁ ଲକ୍ଷ୍ୟ କଲେ ସ୍ପଷ୍ଟ ହୁଏ । 'ଓଡ଼ିଶା ମୋ ପରିବାର', 'ମାଆଙ୍କୁ ସମ୍ମାନ ଗାଁକୁ କାମ', 'ପ୍ରତ୍ୟେକଟି ଜୀବନ ମୂଲ୍ୟବାନ', 'ବିପର୍ଯ୍ୟୟ ନିୟନ୍ତ୍ରଣରେ ଶୂନ୍ୟ ଜୀବନ ହାନି', 'କୃଷି ଓ କୃଷକ ସଶକ୍ତୀକରଣ ପାଇଁ କାଳିଆ' ଓ 'ମିଲେଟ୍‌‌ ମିଶନ୍‌‌', ଗରିବଙ୍କୁ ସହାୟତା 'ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା', 'ମୋ ସରକାର', ଲୋକମୁଖୀ ଶାସନ ନୀତି -'5-ଟି', 'ଶ୍ରୀମନ୍ଦିର ପରିକ୍ରମା', 'ଅଭଡ଼ା ପ୍ରକଳ୍ପ' ଓ 'ଏକାମ୍ର ବିକାଶ ଯୋଜନା' ଆଦି ।

ଅପରିଚିତ ରୁ ଅପରାଜେୟ...

1997 ମସିହାରେ ପଡ଼ିଥିଲା ବିଜେଡିର ମୂଳଦୁଆ । ଏହା ପରେ 2000 ମସିହାରେ ବିଜେଡି ପ୍ରଥମ ଥର ନବୀନଙ୍କ ନେତୃତ୍ୱରେ ସାଧାରଣ ନିର୍ବାଚନକୁ ସାମ୍ନା କରିଥିଲା । ସେତେବେଳେ ବିଜେପି ସହ ମେଣ୍ଟ କରି ବିଜେଡି ନିର୍ବାଚନକୁ ଓହ୍ଲାଇଥିଲେ ମଧ୍ୟ ଦଳର ପ୍ରଦର୍ଶନ ବେଶ୍ ଉତ୍ସାହଜନକ ଥିଲା । 72 ଆସନ ଦଖଲ କରି ବିଜେଡି ସମସ୍ତ ରାଜନୈତିକ ଦଳକୁ ଚକ୍କିତ କରିଦେଇଥିଲା । ଏହା ପରେ ଓଡିଶା ଦେଖିଲା ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟର ମଙ୍ଗ ଧରିଲେ ନବୀନ ପଟ୍ଟନାୟକ । ଏହା ପରେ ଆଉ ପଛକୁ ପେରି ଦେଖିନାହିଁ ବିଜେଡି । 2004, 2009, 2014, 2019 ସମସ୍ତ ନିର୍ବାଚନରେ ଅପ୍ରତିଦ୍ୱନ୍ଦୀ ହୋଇ ରାଜ୍ୟରେ ଶାସନ ଭାର ହାତକୁ ନେଇଆସିଛି ।

2004 ନିର୍ବାଚନରେ ପୁଣି ବିଜେଡି-ବିଜେପି ମେଣ୍ଟ କ୍ଷମତା ଦଖଲ କଲା । 2000 ମସିହା ତୁଳନାରେ ସିଟ୍ ସଂଖ୍ୟା କମିଥିଲେ ବିଧାନସଭାରେ ବିଜେଡିର ଆସନ ଥିଲା ସର୍ବାଧିକ । ପୁଣି ଥରେ ଶାସନର ମଙ୍ଗ ଧରିଲେ ନବୀନ । ତେବେ 2009 ରେ ମେଣ୍ଟ ନୁହେଁ ଏକାକୀ 147 ଆସନରେ ଲଢ଼ିଲା ବିଜେଡି । ଫଳାଫଳ ବି ଥିଲା ଆଶାତୀତ । 107 ସିଟ୍ ଦଖଲ କରି ଏକକ ବୃହତ ଦଳରେ ପରିଣତ ହେଲା । ପୁଣି ଓଡ଼ିଶା ବିକାଶକୁ ଆଗକୁ ନେବାକୁ ଶପଥ ନେଇ ମଙ୍ଗ ଧରିଥିଲେ ନବୀନ । ଏହା ପର ଠାରୁ ଅପରାଜେୟ ରହି ଆସିଛି ବିଜେଡି ।

ଏହା ପରଠାରୁ ସବୁ ନିର୍ବାଚନରେ ବିଜେଡିର ସଫଳତା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ପଞ୍ଚାୟତ, ପୌର ଠାରୁ ଆରମ୍ଭ କରି ଲୋକସଭା ଓ ବିଧାନସଭା ଯାଏଁ, ସବୁଥିରେ ନବୀନଙ୍କ ରଣନୀତି ସଫଳତା ପାଉଛି । ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି, ସରଳତା ଓ ଦୁର୍ନୀତି ବିରୋଧୀ କଡ଼ା ଆଭିମୁଖ୍ୟ ହିଁ ବିଜେଡି ପାଇଁ ସବୁଠାରୁ ବଡ଼ ପୁଞ୍ଜି ପାଲଟିଯାଇଛି । ପ୍ରତ୍ୟେକ ନିର୍ବାଚନରେ ନବୀନଙ୍କ ଭାବମୂର୍ତ୍ତିକୁ ଆଗରେ ରଖି ବିଜେଡି ନେତାମାନେ ନିର୍ବାଚନ ଲଢ଼ୁଛନ୍ତି । ଆଉ ସାଧାରଣ ଜନତା ଗଭୀର ଆସ୍ଥା ସ୍ଥାପନ କରୁଛନ୍ତି ।

2024 ନିର୍ବାଚନ ପ୍ରସ୍ତୁତି ପାଇଁ ବିଶେଷ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡ଼ି । ମିଶନ 130ରେ କାମ କରୁଛି ଦଳ । ଓଡ଼ିଶାକୁ ନିଜ ପରିବାର ନଜରରେ ଦେଖୁଥିବା ନବୀନ ବାବୁଙ୍କ ବଳିଷ୍ଠ ନେତୃତ୍ୱ ଆଗାମୀ ବର୍ଷମାନଙ୍କରେ ଦଳକୁ ସଠିକ ମାର୍ଗରେ ପରିଚାଳିତ କରିବାକୁ ଦିଗ୍‌‌ଦର୍ଶନ ଦେବା ଇତିମଧ୍ୟରେ ଆରମ୍ଭ କରିଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+