ବିଜେଡ଼ିକୁ ଫେରିଲେ ଦାମ ! ହଟିଲା ବହିଷ୍କାର ଆଦେଶ
ଭୁବନେଶ୍ୱର: ନୂଆ ବର୍ଷରେ ବିଜେଡ଼ିର ବଡ଼ ନିଷ୍ପତ୍ତି । ବରିଷ୍ଠ ରାଜନେତା ଦାମ ରାଉତ ପୁଣି ବିଜେଡ଼ିକୁ ଫେରିଛନ୍ତି । ତାଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ।

2018 ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମୋଦର ରାଉତ । ପରେ 2019 ରେ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ବିଜେପିରୁ ପରାଜିତ ହେବା ପରେ ଦାମ ବିଜେପି ଛାଡି ପୁଣିଥରେ ବିଜେଡିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏପରିକି ବିଜେପିରେ ଯୋଗ ଦେଇ ଭୁଲ କରିଥିଲି ବୋଲି ଖୋଲାଖୋଲି କହିଥିଲେ । ବିଜେଡିରେ ଯୋଗ ଦେବାକୁ ଦାମ ଚାହିଁଥିଲେ ମଧ୍ୟ ସବୁଜ ସଂକେତ ଦେଇନଥିଲେ ନବୀନ । ତେବେ ନିର୍ବାଚନ ପୂର୍ବରୁ ଦାମଙ୍କୁ ପୁଣିଥରେ ଦଳରେ ଲୋଡିଛନ୍ତି ବିଜେଡି ସୁପ୍ରିମୋ ।
ଆଗକୁ ନିର୍ବାଚନ ରହିଛି । ପାରାଦୀପରେ ଦାମ ଜଣେ ଟାଣୁଆ ନେତା । ଯଦିଓ ଅନ୍ତିମ ବିଧାନସଭା ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ସେ ହାରିଯାଇଥିଲେ ଏବଂ ପରେ ବିଜେପିରୁ ଇସ୍ତଫା ଦେଇଥିଲେ କିନ୍ତୁ ଏହାରି ଭିତରେ ତାଙ୍କର ଅନେକ ବୟାନ ଶାସକ ଦଳକୁ ସମର୍ଥନ କରିଲା ଭଳି ରହୁଥିଲା । ସେହିପରି ତାଙ୍କ ପୁଅ ମଧ୍ୟ ବିଜେଡିରୁ ବିଧାୟକ ଅଛନ୍ତି । ବିଷ୍ଣୁ ସେଠୀଙ୍କ ଅବର୍ତ୍ତମାନ ପରେ ଜିଲ୍ଲାରେ ବିଜେଡିର ବରିଷ୍ଠ ନେତାଙ୍କ ଅଭାବ ରହିଥିଲା । ଏବେ କିନ୍ତୁ ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟାଇ ବିଜେଡି ଗୋଟିଏ ବଡ ଗୋଟି ଚଳାଇଥିବା କୁହାଯାଉଛି ।
ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ପୁଅ ସମ୍ବିତ ରାଉତରାୟ କହିଛନ୍ତି, ବାପାଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ମୁଁ ବହୁତ ଖୁସି । ପୂରା ଅଞ୍ଚଳବାସୀ ଏହି ନିଷ୍ପତିକୁ ନେଇ ବହୁତ ଖୁସି । ଯଦି ତାଙ୍କ ସ୍ୱାସ୍ଥ୍ୟ ସାଥ୍ ଦିଏ ଏବଂ ମୁଖ୍ୟମନ୍ତ୍ରୀ ଚାହାନ୍ତି ତେବେ 2024 ନିର୍ବାଚନରେ ବାପା ଦଳ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି ସମ୍ବିତ ରାଉତରାୟ ।












Click it and Unblock the Notifications