କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବସବରାଜ ବୋମ୍ମଇ
ବହୁ କଳ୍ପନାଜଳ୍ପନା ପରେ କର୍ଣ୍ଣାଟକ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ବସବରାଜ ବୋମ୍ମଇଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି ।
ବେଙ୍ଗାଲୁରୁ : ବହୁ କଳ୍ପନାଜଳ୍ପନା ପରେ କର୍ଣ୍ଣାଟକ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ବସବରାଜ ବୋମ୍ମଇଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି । ଏହା ପୂର୍ବରୁ ବିଏସ୍ ୟେଦ୍ଦୁରପ୍ପା ସୋମବାର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଦୌଡ଼ ତାଲିକାରେ ବିଜେପିର ଲିଙ୍ଗାୟତ ବିଧାୟକଙ୍କ ମଧ୍ୟରେ ସବୁଠାରୁ ଆଗରେ ଥିଲା ବସବରାଜ ବୋମ୍ମଇଙ୍କ ନାମ । ଏହି ସମୟରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ବୈଠକ ପୂର୍ବରୁ ବସବରାଜ ବୋମ୍ମଇ ସନ୍ଧ୍ୟା 7.30 ରେ କୁମାର କ୍ରୁପା ଗେଷ୍ଟ ହାଉସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କିଶନ ରେଡ୍ଡୀ ଏବଂ ଅରୁଣ ସିଂଙ୍କୁ ଭେଟିଥିଲେ । ଏହି ସମୟରେ ବିଜେପି ନେତା ରେଣୁକାଚାର୍ଯ୍ୟ ଏବଂ ଡ କେ ସୁଧାକର ମଧ୍ୟ ବିଜେପି ରାଜ୍ୟ ଦାୟିତ୍ୱରେ ଥିବା ଅରୁଣ ସିଂଙ୍କୁ ଭେଟିଥିଲେ ।
ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଥିବା ବୋମ୍ମଇ, ବିଏସ୍ ୟେଦ୍ଦୁରପ୍ପାଙ୍କ ନିକଟବର୍ତ୍ତୀ ଲୋକ ଭାବରେ ବିବେଚନା କରାଯାଏ ଏବଂ ସେ 'ଜନତା ପାରିବାର' ସହ ଜଡ଼ିତ ଅଛନ୍ତି । ତାଙ୍କ ପିତା ଏସଆର ବୋମ୍ମଇ ମଧ୍ୟ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି ।
ସୂତ୍ରରୁ ପ୍ରକାଶ ଯେ ବସବରାଜ ବୋମ୍ମଇଙ୍କ ନାମ ଉପରେ ମୋହର ଲାଗିସାରିଛି । ଲିଙ୍ଗାୟତ ସମ୍ପ୍ରଦାୟର ବିଧାୟକ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଗରୁ ମଧ୍ୟ ଆକଳନ କରାଯାଉଥିଲା । ବୋମ୍ମଇଙ୍କ ବ୍ୟତୀତ ଅରବିନ୍ଦ ବେଲାଡ (ଲିଙ୍ଗାୟତ) ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି, କିନ୍ତୁ ବୋମ୍ମଇ ସିଏମ ଚେୟାରର ଅତି ନିକଟ ବୋଲି ଜଣାପଡିଛି ।












Click it and Unblock the Notifications