For Quick Alerts
Turn On Notification  
For Daily Alerts
Oneindia App Download

ନିର୍ବାଚନ ଓ ଫଳାଫଳର ରୋଚକ କଥା... ଜାଣନ୍ତୁ, କ'ଣ ରହିବ ପ୍ରଭାବ

ଯଦିଓ ସାରା ଦେଶର ନଜର ଦୁଇ ରାଜ୍ୟ ଗୁଜୁରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ରହିଥିଲା, ତଥାପି ଉପ ନିର୍ବାଚନ ଫଳାଫଳ ରୋଚକ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କିଏ କିପରି ନିର୍ବାଚନ ଲଢେଇରେ ବାଜି ମାରିବା ସହ କାହାର ହୋଇଛି ଫାଇଦା

|

Election Results Highlights : ପ୍ରକାଶ ପାଇଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ଏହା ସହିତ 5 ରାଜ୍ୟର 6 ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ଉପ ନିର୍ବାଚନର ଫଳାଫଳ ମଧ୍ୟ ଜାରି ହୋଇଛି । ଯଦିଓ ସାରା ଦେଶର ନଜର ଦୁଇ ରାଜ୍ୟ ଗୁଜୁରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ରହିଥିଲା, ତଥାପି ଉପ ନିର୍ବାଚନ ଫଳାଫଳ ରୋଚକ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କିଏ କିପରି ନିର୍ବାଚନ ଲଢେଇରେ ବାଜି ମାରିବା ସହ କେଉଁ ଛୋଟ ଦଳକୁ କିପରି ଲାଭ ହୋଇଛି ।

election

ବିଧାନସଭା ନିର୍ବାଚନ ଫଳାଫଳର ବିଶ୍ଳେଷଣ

ଗୃହରାଜ୍ୟରେ ମୋଦୀଙ୍କ ସମ୍ମାନ ରଖିଲା ବିଜେପି

ଗୁଜୁରାଟରେ ସମସ୍ତ ଭୋଟ୍ ରେକର୍ଡ ଭାଙ୍ଗି ବିଜେପି ଇତିହାସ ରଚିଛି । 156 ଆସନ ହାତେଇ ବିଜେପି ଏକାକୀ ରାଜ୍ୟରେ ପୂର୍ଣ୍ଣବହୁମତ ସହ ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ମୋର୍ବି ପୋଲ ଦୁର୍ଘଟଣା ଏବଂ ଟିକେଟ୍ ବଣ୍ଟନ ସମୟରେ ନେତାମାନଙ୍କ ଅସନ୍ତୋଷ ଭଳି ପ୍ରତିବନ୍ଧକ ରାଜ୍ୟ ରାଜନୀତିରେ ପ୍ରଭାବ ପକାଇ ପାରିନାହିଁ । ଜନାଦେଶରେ ବିଜେପି ରାଜ୍ୟରେ ବୃହତ ଦଳ ଭାବେ ପୁଣି ଥରେ ଉଭା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ରାଜ୍ୟରେ ଏହି ନିର୍ବାଚନ ଥିଲା ସମ୍ମାନର ପ୍ରଶ୍ନ । ଏହି ସମ୍ମାନକୁ ବଜାୟ ରଖି ସପ୍ତମଥର ସରକାର ଗଢିବାରେ ସଫଳ ହୋଇଛି ବିଜେପି । 1985 ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ 149 ଆସନ ପାଇଁ ରଚିଥିବା ରେକର୍ଡକୁ ଭାଙ୍ଗି ବିଜେପି ଏକ ନୂଆ ଇତିହାସ ଲେଖିଛି ।

narendra modi

ଅପରପକ୍ଷରେ ବିରୋଧୀ କଂଗ୍ରେସକୁ ଲାଗିଛି ବଡ଼ ଝଟକା । 2017 ନିର୍ବାଚନରେ 77 ଆସନ ହାତେଇ ଦୃଢ ବିରୋଧୀ ଭାବେ ଛିଡ଼ା ହୋଇଥିବା କଂଗ୍ରେସ ପୁରାପୁରି ଦୁର୍ବଳ ହୋଇଯାଇଛି । କଂଗ୍ରେସ ଅତି କଷ୍ଟରେ ମାତ୍ର 17 ଆସନ ଗୋଟାଇବାରେ ସଫଳ ହୋଇଛି ।

ଏହା ବ୍ୟତୀତ ରାଜ୍ୟ ବିଧାନସଭା ନିର୍ବାଚନରେ ନୂଆ କରି ପ୍ରବେଶ କରି ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାକୁ ଦାବି କରୁଥିବା ଆମ୍ ଆଦମୀ ପାର୍ଟି ଦଳ ପାଇଛି ମାତ୍ର 5 ଟି ଆସନ । ମାଗଣା ବିଜୁଳି, ପାଣି ଆଦିର ପ୍ରଚାର ଦଳ ପାଇଁ ରାଜ୍ୟରେ ସେତେଟା ପ୍ରଭାବ ପକାଇ ପାରିନାହିଁ । ତଥାପି 2 ରାଜ୍ୟରେ ସରକାରରେ ମାତ୍ର 10 ବର୍ଷର ଦଳ ଆମ୍ ଆଦମୀ ପାର୍ଟି ଭୋଟରଙ୍କ ମନରେ ଏକ ଆଶାର ସଞ୍ଚାର ପାଲଟିଛି ।

ହିମାଚଳ ପ୍ରଦେଶରେ ଅପରିବର୍ତ୍ତିତ ଢାଞ୍ଚା

congress

ପାହାଡ଼ି ରାଜ୍ୟ ହିମାଚଳରେ ଜାରି ରହିଲା ପୁରୁଣା ଢାଞ୍ଚା । ପ୍ରତି 5 ବର୍ଷରେ ସରକାର ବଦଳାଇବା ଢାଞ୍ଚାକୁ ବଜାୟ ରଖିଛନ୍ତି ହିମାଚଳର ଭୋଟର । ଶାସକ ବିଜେପିକୁ ଏଠି ପରାଜୟର ସାମ୍ନା କରିବାକୁ ପଡ଼ିଛି । ପୁଣି ସତ୍ତାକୁ ଫେରିଛି କଂଗ୍ରେସ । କିନ୍ତୁ ଖୁବ୍ କମ୍ ଭୋଟ୍ ବ୍ୟବଧାନରେ ହାରିଛି ଶାସକ ବିଜେପି । ବିଜେପି 43 ପ୍ରତିଶତ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପାଇଛି 43.9 ପ୍ରତିଶତ ଭୋଟ୍ । ମାତ୍ର 0.9 ପ୍ରତିଶତ ଭୋଟରେ ଆଗୁଆ ରହିଲା କଂଗ୍ରେସ । 68 ଆସନ ବିଶିଷ୍ଟ ଏହି ରାଜ୍ୟରେ କଂଗ୍ରେସ 40 ଆସନ ପାଇଥିବା ବେଳେ ବିଜେପିକୁ ମାତ୍ର 25 ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହା ପରେ ବର୍ତ୍ତମାନ ସରକାର ଗଠନ କରିବାକୁ ପ୍ରସ୍ତୁତିରେ ଲାଗିପଡ଼ିଛି କଂଗ୍ରେସ ।

ବିଧାନସଭା ଉପ ନିର୍ବାଚନରେ ଶାସକ ପଲା ଭାରୀ

5 ରାଜ୍ୟର 6 ଟି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନର ମଧ୍ୟ ଆସିଛି ଫଳାଫଳ । ପ୍ରାୟତଃ ରାଜ୍ୟର ଉପ ନିର୍ବାଚନରେ ଶାସକ ଦଳର ପଲା ଭାରୀ ରହିଛି । ମୋଟ 6 ଟି ଆସନରୁ ଜାତୀୟ ଦଳ ବିଜେପି ଓ କଂଗ୍ରେସ 2 ଟି ଲେଖାଏଁ ଆସନ ହାତେଇଛନ୍ତି । ଏହା ବ୍ୟତୀତ ଓଡ଼ିଶାରେ ଶାସକ ଖାତାକୁ ଯାଇଛି ପଦ୍ମପୁର ଆସନ । କିନ୍ତୁ ଉତ୍ତର ପ୍ରଦେଶ ଖତୌଲି ଆସନ ହାତେଇ ନେଇଛି ଆରଏଲଡି ।

bjd

ଓଡ଼ିଶା

ଓଡ଼ିଶାରେ ପଦ୍ମପୁର ଆସନରେ ହୋଇଥିବା ଉପ ନିର୍ବାଚନ ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ଥିଲା ସମ୍ମାନର ପ୍ରଶ୍ନ । ଶାସକ ବିଜେଡ଼ି ବହୁ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ନିଜ ସମ୍ମାନ ବଜାୟ ରଖିଛି । 42679 ଖଣ୍ଡ ଭୋଟ୍ ଅଧିକା ପାଇ ବିଜେଡ଼ି ପ୍ରାର୍ଥିନୀ ବର୍ଷା ସିଂହ ବରିହା ବିଜେପିର ଟାଣୁଆ ନେତା ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିବା କେନ୍ଦ୍ରମନ୍ତ୍ରୀ ଏବଂ ଅନ୍ୟ ହେଭିୱେଟ୍ ନେତାଙ୍କ ପ୍ରଶ୍ନବାଣ ଭୋଟରଙ୍କ ଉପରେ ସେତେଟା ପ୍ରଭାବ ପକାଇପାରିଲାନି । ବହୁ ବ୍ୟବଧାନରେ ଜିତି ବିଜେଡ଼ି ନିଜର ଗଡ଼ ବଜାୟ ରଖିଲା ।

ଉତ୍ତର ପ୍ରଦେଶ

ଉତ୍ତରପ୍ରଦେଶର ରାମପୁର ସଦର ଓ ବିହାରର କୁରାନୀ ବିଧାନସଭା ଆସନକୁ ହାତେଇବାରେ ସଫଳ ହୋଇଛି ବିଜେପି । ରାମପୁର ସଦର ଆସନରେ ବିଜେପି ପ୍ରାର୍ଥୀ ଆକାଶ ସକ୍ସେନା ସମାଜବାଦୀ ପାର୍ଟିର ଅସିମ୍‌ ରାଜାଙ୍କୁ 33 ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି । ଏହି ରାମପୁର ସଦର ଆସନ ସମାଜବାଦୀ ପାର୍ଟିର ଗଡ଼ ଭାବେ ପରିଚିତ ଥିବା ବେଳେ ବିଜେପି ଉପନିର୍ବାଚନରେ ଏହା ଛଡ଼ାଇ ନେଇଛି ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ଖ‌ତୌଲି ଉପନିର୍ବାଚନରେ ଶାସକ ବିଜେପିକୁ ବଡ଼ ଝଟକା ଲାଗିଛି । ସମାଜବାଦୀ ପାର୍ଟିର ସହଯୋଗୀ ରାଷ୍ଟ୍ରୀୟ ଲୋକ ଦଳର ପ୍ରାର୍ଥୀ ମଦନ ଭୈୟା ବିଜେପି ପ୍ରାର୍ଥିନୀ ରାଜକୁମାରୀ ସୈନିଙ୍କୁ 22 ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି ।

bjp-cong

ବିହାର

ବିହାରର କୁରାନୀ ବିଧାନସଭା ଆସନ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଶାସକ ଦଳ ହାତରୁ ଚାଲିଯାଇଛି । ଏହାକୁ ହାତେଇ ନେଇଛି ବିଜେପି । ବିଜେପି ପ୍ରାର୍ଥୀ କେଦାର ପ୍ରସାଦ ଗୁପ୍ତା ନୀତୀଶ କୁମାରଙ୍କ ଜେଡିୟୁ ପ୍ରାର୍ଥୀ ମନୋଜ ସିଂହ ଖୁସୱାଙ୍କୁ 3645 ଭୋଟ୍‌ରେ ପରାସ୍ତ କରିଛନ୍ତି ।

ଛତିଶଗଡ଼ ଓ ରାଜସ୍ଥାନ

ଉପ ନିର୍ବାଚନରେ କଂଗ୍ରେସ ମଧ୍ୟ 2 ଟି ଆସନ ରଖିବାରେ ସଫଳ ହୋଇଛି । ଛତିଶଗଡ଼ର ଭାନୁପ୍ରତାପପୁର ଓ ରାଜସ୍ଥାନର ସର୍ଦାରସହର ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇଛି । ଯଦିଓ ଏହି ଦୁଇଟି ଆସନ ପୂର୍ବରୁ କଂଗ୍ରେସ ଖାତାରେ ଥିଲା ତଥାପି ଉପନିର୍ବାଚନ ଜିତି କଂଗ୍ରେସ ଏହି ଦୁଇଟି ଆସନ ପୁଣି ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛି ।

ରାଜସ୍ଥାନର ସର୍ଦାରସହର ଆସନରେ କଂଗ୍ରେସର ଅନିଲ ଶର୍ମା ବିଜେପିର ଅଶୋକ କୁମାର ପିଞ୍ଚାଙ୍କୁ 26850 ଭୋଟ୍‌ରେ ହରାଇଛନ୍ତି । ସେହିପରି ଛତିଶଗଡ଼ର ଭାନୁପ୍ରତାପପୁର ଆସନରେ କଂଗ୍ରେସର ସାବିତ୍ରୀ ବିଜେପିର ବ୍ରହ୍ମାନନ୍ଦ ନେତାମ୍‌ଙ୍କୁ 21171 ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଛନ୍ତି ।

AAP

ଆମ୍ ଆଦମୀ ପାର୍ଟିକୁ ଜାତୀୟ ଦଳ ମାନ୍ୟତା

ଗୁଜୁରାଟ ନିର୍ବାଚନରେ ମାତ୍ର 5 ଟି ଆସନ ହାତେଇବା ସହ ହିମାଚଳରେ ଖାତା ଖୋଲି ପାରିନଥିଲେ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ଏହି ବିଧାନସଭା ନିର୍ବାଚନରେ ଅନ୍ୟ ଏକ ସଫଳତା ପାଇଛି । ଦଳକୁ ମିଳିଛି ଜାତୀୟ ଦଳର ମାନ୍ୟତା । ଦଳ ଗୁଜୁରାଟରେ 12.91 ପ୍ରତିଶତ ଭୋଟି ପାଇବା ପରେ ଆମ୍ ଆଦମୀ ପାର୍ଟି ରାଜ୍ୟ ଦଳରୁ ଜାତୀୟ ଦଳର ମାନ୍ୟତା ପାଇଛି । ଏ ନେଇ ଦଳର ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ଦଳ ଗଠନର 10 ବର୍ଷ ମଧ୍ୟରେ ଦଳ ଜାତୀୟ ଦଳର ମାନ୍ୟତା ପାଇବା ଏକ ବଡ଼ ସଫଳତା ।

ଉଲ୍ଲେଖଯୋଗ୍ୟ, ଆମ୍ ଆଦମୀ ପାର୍ଟି ବର୍ତ୍ତମାନ ଦୁଇଟି ରାଜ୍ୟ ଦିଲ୍ଲୀ ଓ ପଞ୍ଜାବରେ ସରକାରରେ ରହିଛି । ନିର୍ବାଚନ ଆୟୋଗଙ୍କ ଜାତୀୟ ଦଳ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ଗୋଟିଏ ରାଜନୈତିକ ଦଳ ଲୋକସଭା ନିର୍ବାଚନରେ ଅତିକମ୍‌ରେ 4ଟି ରାଜ୍ୟରେ 6% ଭୋଟ ପାଇବା ସହିତ 4ଟି ଲୋକସଭା ଆସନରେ ବିଜୟୀ ହେବା ଆବଶ୍ୟକ । ଏହା ବ୍ୟତୀତ 4 ରାଜ୍ୟରେ ରାଜ୍ୟ ଦଳର ମାନ୍ୟତା ପାଇଥିବା ଦରକାର । ଏହି ସମସ୍ତ ମାନଦଣ୍ଡ ପୂରଣ କରିବା ପରେ ଆମ୍ ଆଦମୀ ପାର୍ଟି ବର୍ତ୍ତମାନ ଜାତୀୟ ଦଳର ମାନ୍ୟତା ପାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Assembly And By Election Result Highlights, Effect On 2024 General Election
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X