କଂଗ୍ରେସ ଅଧ୍ୟକ୍ଷ ପଦ ଦୋଡ଼ରୁ ବାଦ୍ ପଡ଼ିଲେ ଗେହଲଟ୍ ! ରାଜସ୍ଥାନରେ ଚାଲିଥିବା ରାଜନୈତିକ ଡ୍ରାମାକୁ ନେଇ ହାଇକମାଣ୍ଡ ଅସନ୍ତୋଷ
ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଅଶୋକ ଗେହଲଟଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ଦୌଡ଼ରୁ ବାହାର କରି ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଅନ୍ୟ ନାମ ସାମିଲ କରାଯାଇଛି । ସେଥିରେ କେସି ଭେନୁଗୋପାଲଙ୍କ ନାମ ପ୍ରମୁଖ ।
ନୂଆଦିଲ୍ଲୀ : ଗତ ରାତିରେ ରାଜସ୍ଥାନ କଂଗ୍ରେସରେ ଆରମ୍ଭ ହୋଇଥିବା ରାଜନୈତିକ ଡ୍ରାମା ଥମିବାର ନାମ ନେଉନାହିଁ । ଗେହଲଟ୍ ଗୋଷ୍ଠୀର ବିଧାୟକଙ୍କ ବିଦ୍ରୋହ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଭାରୀ ପଡ଼ିବା ଦେଖାଯାଉଛି । ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଅଶୋକ ଗେହଲଟଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ଦୌଡ଼ରୁ ବାହାର କରି ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଅନ୍ୟ ନାମ ସାମିଲ କରାଯାଇଛି । ସେଥିରେ କେସି ଭେନୁଗୋପାଲଙ୍କ ନାମ ପ୍ରମୁଖ ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଅଶୋକ ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରୁ ବାହାରିଛନ୍ତି, ବର୍ତ୍ତମାନ ଶଶି ଥରୁରଙ୍କ ବ୍ୟତୀତ ଅନ୍ୟ କଂଗ୍ରେସ ନେତାମାନେ 30 ସେପ୍ଟେମ୍ବର ପୂର୍ବରୁ ନାମାଙ୍କନପତ୍ର ଦାଖଲ କରିବେ । ଏଥିମଧ୍ୟରେ ମୁକୁଲ ୱାସନିକ, ମଲ୍ଲିକାର୍ଜୁନ ଖାଡ଼ଗେ, ଦିଗବିଜୟ ସିଂହ ଏବଂ କେସି ଭେନୁଗୋପାଲଙ୍କ ନାମ ରହିଛି ।
ରିପୋର୍ଟ ଅନୁଯାୟୀ, ଏହି ସୂଚନା ଦେଇଥିବା ବରିଷ୍ଠ କଂଗ୍ରେସ ନେତା ହେଉଛନ୍ତି କଂଗ୍ରେସ ୱାର୍କିଂ କମିଟିର ସଦସ୍ୟ । ସେ କହିଛନ୍ତି ଯେ ଅଶୋକ ଗେହଲଟଙ୍କ ଆଚରଣରେ ଦଳର ନେତୃତ୍ୱ ଗଭୀର ଦୁଃଖିତ, ତେଣୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ତାଙ୍କ ପ୍ରାର୍ଥୀପତ୍ର ବାତିଲ ହୋଇଛି ।
ଆପଣଙ୍କୁ କହିରଖୁଛୁ ଯେ ରାଜସ୍ଥାନର ଏହି କନ୍ଦଳ ମଧ୍ୟରେ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦିଲ୍ଲୀରେ ବରିଷ୍ଠ ନେତାମାନଙ୍କୁ ଡକାଇଛନ୍ତି । ଏହି ନେତାଙ୍କ ସହ ରାଜସ୍ଥାନର ବିବାଦ ସହ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । କେସି ଭେନୁଗୋପାଲ ରାଜସ୍ଥାନ ପର୍ଯ୍ୟବେକ୍ଷକ ଅଜୟ ମାକେନ୍ ଏବଂ ମଲ୍ଲିକାର୍ଜୁନ୍ ଖାଡ଼ଗେ ମଧ୍ୟ ସୋନିଆ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ମଧ୍ୟପ୍ରଦେଶର ପୂର୍ବତନ ସିଏମ କମଲ ନାଥଙ୍କୁ ମଧ୍ୟ ଦିଲ୍ଲୀ ଡକାଯାଇଛି ।












Click it and Unblock the Notifications