Arvind Kejriwal Arrested: ମୁଖ୍ୟମନ୍ତ୍ରୀ ଥାଇ ଗିରଫ ହେବାରେ ପ୍ରଥମ ନେତା କେଜ୍ରିୱାଲ
Arvind Kejriwal Arrested: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ 21 ତାରିଖ ରାତିରେ ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ଗିରଫଦାରୀରୁ ସୁରକ୍ଷା ଦେବା ନେଇ କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ କାରଜ କରିବା ପରେ ଇଡି ଟିମ୍ ଗତକାଲି ସନ୍ଧ୍ୟାରେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇ ଇଡି କାର୍ଯ୍ୟାଳୟରେ ରଖାଯାଇଛି । ଆଜି କୋର୍ଟରେ ହାଜର କରାଯିବ ।

ଏଥି ସହିତ ମୁଖ୍ୟମନ୍ତ୍ରୀ ପଦରେ ଥାଇ ଗିରଫ ହୋଇଥିବା ପ୍ରଥମ ନେତା ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହାପୂର୍ବରୁ ଲାଲୁ ପ୍ରସାଦ ଯାଦବ, ହେମନ୍ତ ସୋରେନ ଗିରଫ ହୋଇଥିଲେ ମଧ୍ୟ ସମସ୍ତେ ଗିରଫ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ସହ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ଆମ୍ ଆଦମୀ ପାର୍ଟିର ତୃତୀୟ ନେତା । ଏହାପୂର୍ବରୁ ଏହି ମାମଲାରେ ସଞ୍ଜୟ ସିଂ ଏବଂ ମନୀଷ ସିସୋଦିଆଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
କେଜ୍ରିୱାଲଙ୍କ ପୂର୍ବରୁ ଇଡି ଝାଡ଼ଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ହେମନ୍ତ ସୋରେନଙ୍କୁ 20 ଜାନୁଆରୀ 2024 ରେ 600 କୋଟି ଟଙ୍କା ଜମି ଦୁର୍ନୀତି ଅଭିଯୋଗରେ ଗିରଫ କରିଥିଲା । ଗିରଫ ପୂର୍ବରୁ ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇସାରିଥିଲେ । ଗିରଫ ବେଳକୁ ହେମନ୍ତ ସୋରେନ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇସାରିଥିଲେ ।
ଏହା ବ୍ୟତୀତ ଜେଲ୍ ଯାଇଥିବା ଦେଶର ଅନ୍ୟ କେତେକ ପୂର୍ବତନ ମୁଖ୍ୟମନ୍ତ୍ରୀ ହେଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଏଆଇଏଡିଏମକେର ସ୍ୱର୍ଗତ ଜେ ଜୟଲଳିତା, ଟିଡିପିର ଚନ୍ଦ୍ରବାବୁ ନାଇଡୁ ଏବଂ ଭାରତୀୟ ଜାତୀୟ ଲୋକସଭା ଦଳର ଓମ ପ୍ରକାଶ ଚୈଟାଲା ଅଛନ୍ତି । କିନ୍ତୁ ଏ ସମସ୍ତଙ୍କୁ ପଦରୁ ହଟିବା ପରେ ଗିରଫ କରାଯାଇ ଥିଲା ।












Click it and Unblock the Notifications