'ମୋଦୀ ଏସଆଇଟି ସମ୍ମୁଖରେ ହାଜର ହୋଇଥିଲେ, କିନ୍ତୁ ନାଟକ କରି ନଥିଲେ'- ରାହୁଲଙ୍କ ସତ୍ୟାଗ୍ରହ ଉପରେ ଶାହା
ଶାହା କହିଛନ୍ତି ଯେ ଗୋଦରା ପରବର୍ତ୍ତୀ ହିଂସା ଘଟଣାର ତଦନ୍ତ ସଂପର୍କରେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଏସଆଇଟି ସମ୍ମୁଖରେ ହାଜର ହୋଇଥିଲେ । କିନ୍ତୁ ପଚରାଉଚରା ବେଳେ ବିଜେପି 'ଡ୍ରାମା' କିମ୍ବା 'ଧାରଣା' ର ସାହାର ନେଇ ନଥିଲା ।
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ କଂଗ୍ରେସ ଦଳର 'ସତ୍ୟଗ୍ରହ' ଆନ୍ଦୋଳନକୁ ଟାର୍ଗେଟ୍ କରି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି । ଗତ କିଛିଦିନ ହେ ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପଚରାଉଚରା କରୁଛି । ଶାହା କହିଛନ୍ତି ଯେ ଗୋଦରା ପରବର୍ତ୍ତୀ ହିଂସା ଘଟଣାର ତଦନ୍ତ ସଂପର୍କରେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଏସଆଇଟି ସମ୍ମୁଖରେ ହାଜର ହୋଇଥିଲେ । କିନ୍ତୁ ପଚରାଉଚରା ବେଳେ ବିଜେପି 'ଡ୍ରାମା' କିମ୍ବା 'ଧାରଣା' ର ସାହାର ନେଇ ନଥିଲା ।

2002 ଗୁଜୁରାଟ ଦଙ୍ଗା ସହ ଜାକିଆ ଜାଫ୍ରି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଲିନ୍ ଚିଟ୍ ମିଳିବା ପରେ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ନିରବତା ଭାଙ୍ଗିଛନ୍ତି । ଏକ ସାକ୍ଷାତକାରରେ ଶାହା ଏହି ମନ୍ତବ୍ୟ ଦେଇଛନ୍ତି । ଏହି ସମୟରେ ଅମିତ ଶାହା ସୋହରାବୁଦ୍ଦିନ ଶେଖଙ୍କ ନକଲି ଏନକାଉଣ୍ଟର ମାମଲାରେ ତାଙ୍କ ଗିରଫଦାରୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ସେତେବେଳେ ମଧ୍ୟ କୌଣସି ଧାରଣା ପ୍ରଦର୍ଶନ କରାଯାଇ ନଥିଲା । ତେବେ ଶାହ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଶାହା ଏହି ସମୟରେ କହିଛନ୍ତି ଯେ ସମସ୍ତ ରାଜନୈତିକ ବ୍ୟକ୍ତିଙ୍କ ଦ୍ୱାରା ସମ୍ବିଧାନକୁ କିପରି ସମ୍ମାନ ଦିଆଯିବା ଉଚିତ ସେନେଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ପ୍ରକୃଷ୍ଟ ଉଦାହରଣ ଦେଇଛନ୍ତି ।
ମୋଦୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା, କିନ୍ତୁ କେହି (ବିଜେପି କର୍ମୀ) ଏହାକୁ ବିରୋଧ କରିନଥିଲେ । ସାରା ଦେଶରେ କର୍ମୀମାନେ ମୋଦୀଙ୍କ ସହ ଏକତା ମଧ୍ୟରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଆମେ ଆଇନ ସହିତ ସହଯୋଗ କରିଥିଲୁ । ମୋତେ ମଧ୍ୟ ଗିରଫ କରାଯାଇଥିଲା ସେଠାରେ କୌଣସି ବିରୋଧ କିମ୍ବା ପ୍ରଦର୍ଶନ ନଥିଲା । ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏହା ପ୍ରଥମ ଥର ନୁହେଁ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଲିନ୍ ଚିଟ୍ ମିଳିଛି । ନାନାବତୀ ଆୟୋଗ ମଧ୍ୟ କ୍ଲିନ୍ ଚିଟ୍ ଦେଇଛନ୍ତି । ତଥାପି ଏସଆଇଟି ଗଠନ କରାଯାଇଥିଲା ଏବଂ ପିଏମ ମୋଦୀ ଏସଆଇଟି ସମ୍ମୁଖରେ ଉପସ୍ଥିତ ରହି ପ୍ରଶ୍ନର ଉତ୍ତର ଦେଇଥିଲେ ।
ଗୃହମନ୍ତ୍ରୀ ଆହୁର କହିଛନ୍ତି "ଆମେ ବିଶ୍ୱାସ କରୁ ଯେ ନ୍ୟାୟିକ ପ୍ରକ୍ରିୟାରେ ଆମେ ସହଯୋଗ କରିବା ଉଚିତ୍ । ଯଦି ଏସଆଇଟି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାକୁ ଚାହାଁନ୍ତି, ତେବେ ସେ ନିଜେ କହିଛନ୍ତି ଯେ ସେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି । କାହିଁକି ବିରୋଧ ପ୍ରଦର୍ଶନ କରିବୁ ? କୌଣସି ବ୍ୟକ୍ତି ଆଇନର ବାହାରେ ନୁହଁନ୍ତି ।" ନ୍ୟାୟିକ ପ୍ରକ୍ରିୟା ବିରୋଧରେ ବିରୋଧର ଯଥାର୍ଥତା ହୋଇପାରିବ ନାହିଁ ବୋଲି ସେ କହିଛନ୍ତି ।












Click it and Unblock the Notifications