ପିପିଲି ଉପ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ, ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା 30 ଲକ୍ଷ 80 ହଜାର
ପିପିଲି ଉପ ନିର୍ବାଚନର ତାରିଖ ଘୋଷଣା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁକ୍ରବାର ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସର୍ବଦଳୀୟ ବୈଠକ କରିଛନ୍ତି ।
ଭୁବନେଶ୍ୱର : ପିପିଲି ଉପ ନିର୍ବାଚନର ତାରିଖ ଘୋଷଣା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁକ୍ରବାର ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସର୍ବଦଳୀୟ ବୈଠକ କରିଛନ୍ତି । ଏଥିରେ ପିପିଲି ଉପ ନିର୍ବାଚନ ପାଇଁ ଘୋଷଣା ହୋଇଥିବା ତାରିଖ ଏବଂ ଆଚରଣ ବିଧି ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି ।
ସୂଚନା ଯୋଗ୍ୟ, ପିପିଲି ଉପ ନିର୍ବାଚନ ପାଇଁ ଆସନ୍ତା ଅପ୍ରେଲ 17 ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଏନେଇ ମାର୍ଚ୍ଚ 23 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ବ୍ୟତୀତ 30 ମାର୍ଚ୍ଚ ସୁଦ୍ଧା ଆଶାୟୀ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିବାକୁ ନିର୍ବାଚନ କମିଶନର ପୂର୍ବରୁ ଘୋଷଣା କରିସାରିଛନ୍ତି । ମେ 2 ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି ।

ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପିପିଲି ଉପ ନିର୍ବାଚନ ଘୋଷଣା ପର ଠାରୁ ସମ୍ପୃକ୍ତ ଜିଲ୍ଲାରେ ସମଗ୍ର ନିର୍ବାଚନ ମଣ୍ଡଳୀ, ପ୍ରାର୍ଥୀ ଏବଂ ରାଜନୈତିକ ଦଳ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଏହି ଆଚରଣ ବିଧି ଲାଗୁ ହୋଇଛି । ଆଚରଣ ବିଧି ଲାଗୁ ହୋଇଥିବା ଅଞ୍ଚଳରେ ପୂର୍ବରୁ ଚାଲୁ ରହିଥିବା ସମସ୍ତ କାର୍ଯ୍ୟ ପୂର୍ବପରି ଚାଲୁ ରହିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।
ଏହି ବ୍ୟତୀତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ସର୍ବାଧିକ 30 ଲକ୍ଷ 80 ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ନିର୍ବାଚନରେ ଖର୍ଚ୍ଚ ସମ୍ପର୍କରେ ସମସ୍ତ ପ୍ରାର୍ଥୀ ଏବଂ ରାଜନୈତିକ ଦଳ ରେଜିଷ୍ଚରରେ ହିସାବ ରଖିବେ । ପ୍ରାର୍ଥୀମାନେ ଦୈନନ୍ଦିନ ନିର୍ବାଚନ ଖର୍ଚ୍ଚ ରେଜିଷ୍ଟରରେ ଲେଖି ରଖିବେ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଅତି କମରେ ତିନି ଥର ଉକ୍ତ ରେଜିଷ୍ଚରର ତନଖି କରିବେ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
କୋଭିଡ୍ ମହାମାରୀକୁ ନଜରରେ ରଖି ଜାରି କରାଯାଇଥିବା କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯିବ । ଏଥିସହିତ ଉପ-ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଫ୍ରଣ୍ଟଲାଇନ ଓ୍ୱାର୍କର ଭାବରେ କୋଭିଡ୍ ଟୀକାକରଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି ।
80 ବର୍ଷରୁ ଅଧିକ ବୟସର ବରିଷ୍ଠ ଭୋଟର, ଦିବ୍ୟାଙ୍ଗ ଭୋଟର, ସନ୍ଦିଗ୍ଧ କୋଭିଡ୍ ରୋଗୀ ବା କ୍ୱାରେଣ୍ଟିନରେ ଥିବା ଭୋଟରଙ୍କ ପାଇଁ ପୋଷ୍ଟାଲ ବ୍ୟାଲାଟର ବ୍ୟବସ୍ଥା କରାଯିବ । ପୋଷ୍ଚାଲ ବ୍ୟାଲାଟ ପାଇଁ ପସନ୍ଦ କରିଥିବା ବ୍ୟକ୍ତି ମତଦାନ କେନ୍ଦ୍ରକୁ ଯଆଇପାରିବେ ନାହିଁ ବୋଲି କହିଛନ୍ତି ଶ୍ରୀ ଲୋହାନୀ ।
ଅପରାଧ ପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନରେ ଅଂଶ ଗ୍ରହଣ କରୁଥିଲେ ସେମାନେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ଅତିକମରେ ତିନିଥର ସେମାନଙ୍କର ଅପରାଧ ସମ୍ପର୍କରେ ପ୍ରଚାର କରିବେ । ଏଥିସହିତ ସମ୍ପୃକ୍ତ ରାଜନୈତିକ ଦଳ ମାନେ ମଧ୍ୟ ପ୍ରାର୍ଥୀ କରାଇଥିବା ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ ଅପରାଧ ସମ୍ପର୍କରେ ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବା ନେଇ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି ବୋଲି କହିଛନ୍ତି ଶ୍ରୀ ଲୋହାନୀ ।
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି କ୍ରମେ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳମାନେ ଏହି ଉପ ନିର୍ବାଚନରେ ପ୍ରଚାର ନିମନ୍ତେ 30 ଜଣରୁ ଅଧିକ ଓ ଅନ୍ୟାନ୍ୟ ରାଜନୈତିକ ଦଳ ମାନେ ପ୍ରଚାର ପାଇଁ 15ରୁ ଅଧିକ ତାରକା ପ୍ରଚାରକ ଆଣିପାରିବେ ନାହିଁ ବୋଲି କୁହାଯାଇଛି । ଏହା ବ୍ୟତୀତ ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ମାନେ ପୋଷ୍ଚର ଓ ଲିଫଲେଟ୍ ଛପାଇ ପ୍ରଚାର କଲେ ପ୍ରକାଶକ ଓ ମୁଦ୍ରାକରଙ୍କ ନାମ ସେହି ପୋଷ୍ଟର ଓ ଲିଫଲେଟରେ ରହିବା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରାର୍ଥୀ କିମ୍ବା ସମ୍ପୃକ୍ତ ରାଜନୈତିକ ଦଳ ପ୍ରଚାର କଲେ ଏ ବାବଦର ଖର୍ଚ୍ଚ ସେହି ପ୍ରାର୍ଥୀଙ୍କ ଖର୍ଚ୍ଚ ଆକାଉଣ୍ଟ ଓ ଦଳର ନିର୍ବାଚନ ଖର୍ଚ୍ଚ ଆକାଉଣ୍ଟରେ ଉଲ୍ଲେଖ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଚ କରିଛନ୍ତି ।












Click it and Unblock the Notifications