ଏମିତି ଏକ ନିର୍ବାଚନ, ସମସ୍ତେ ଖୁସି; ଇଭିଏମ୍କୁ କେହି କଲେନାହିଁ ଦାୟୀ
ଗୁଜରାଟ, ହିମାଚଳ ଓ ଦିଲ୍ଲୀ ନଗର ନିଗମ ନିର୍ବାଚନର ଫଳାଫଳ ପ୍ରକାଶନ ପରେ ପ୍ରଥମ ଥର ପାଇଁ ଇଭିଏମ୍କୁ କୌଣସି ଦଳ ନିନ୍ଦା କରି ନାହାନ୍ତି । ଏହିସବୁ ନିର୍ବାଚନରେ ପ୍ରମୁଖ ଦାବିଦାର ଥିଲେ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ।
ନୂଆଦିଲ୍ଲୀ: ଗୁଜରାଟ, ହିମାଚଳ ଓ ଦିଲ୍ଲୀ ନଗର ନିଗମ ନିର୍ବାଚନର ଫଳାଫଳ ପ୍ରକାଶନ ପରେ ପ୍ରଥମ ଥର ପାଇଁ ଇଭିଏମ୍କୁ କୌଣସି ଦଳ ନିନ୍ଦା କରି ନାହାନ୍ତି । ଏହିସବୁ ନିର୍ବାଚନରେ ପ୍ରମୁଖ ଦାବିଦାର ଥିଲେ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି । ଦିଲ୍ଲୀରେ ଆପ୍, ହିମାଚଳରେ କଂଗ୍ରେସ ଏବଂ ଗୁଜରାଟରେ ବିଜେପି ଶାସନ ଅକ୍ତିଆର କରି ଆପାତତଃ ସୁବିଧା ସ୍ଥିତିରେ ଅଛନ୍ତି । ଗୁଜରାଟରେ ପ୍ରଚଣ୍ଡ ବହୁମତ ପାଇ ବିଜେପି ଖୁସି ଥିବା ବେଳେ ରାଜ୍ୟରେ ୧୨ ପ୍ରତିଶତ ଭୋଟ ପାଇ ଆମ୍ ଆଦମୀ ପାର୍ଟି ଜାତୀୟ ଦଳ ମାନ୍ୟତା ପାଇବାକୁ ହକଦାର ହୋଇଛି । ସେହିପରି ହିମାଚଳରେ କଂଗ୍ରେସ ବହୁମତ ହାସଲ କରି ଶାସନ ଅକ୍ତିଆର କରିବାରେ ସକ୍ଷମ ହୋଇଛି । ଗୁଜରାଟରେ ଅଧିକ ସଫଳ ନପାଇଥିଲେ ହେଁ, ନୂଆ ରାଜ୍ୟକୁ ହାତେଇବା ନିଶ୍ଚିତ ଭାବରେ ଆମ୍ ଆଦମୀ ପାର୍ଟି ପାଇଁ ଏକ ବଡ ସଫଳତା ।

ବିଜେପିର ସଫଳତା
ହିମାଚଳରେ କେବଳ ଏକ ପ୍ରତିଶତ ଭୋଟ ବ୍ୟବଧାନରେ ବିଜେପି କ୍ଷମତା ହରାଇଲା । କଂଗ୍ରେସକୁ ୪୩.୯୦ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ୪୩ ପ୍ରତିଶତ ଭୋଟ୍ ମିଳିଛି । ବିଜେପିର କିଛି ବିଦ୍ରୋହୀ ବିଧାୟକ ୧୦ ପ୍ରତିଶତ ଭୋଟ ନେଇ ଯାଇଛନ୍ତି । ଏକ୍ଜିଟ୍ ପୋଲ୍ ଏବଂ ପୂର୍ବ ସର୍ଭେ ଗୁଡିକରେ ବିଜେପି ଦିଲ୍ଲୀ ନଗର ନିଗମରେ ବ୍ୟାପକ ବିଫଳତା ପାଇବ ବୋଲି ପ୍ରକାଶ ପାଇଥିଲା । ତେବେ ନିର୍ବାଚନର ଫଳାଫଳ ଏହାକୁ ଭୁଲ୍ ପ୍ରମାଣିତ କରିଛି । ୨୫୦ ଆସନ ବିଶିଷ୍ଟ ଦିଲ୍ଲୀ ମହାନଗର ନିଗମରେ ଦଳ ୪୦ ପ୍ରତିଶତ ଭୋଟ ଅପେକ୍ଷାକୃତ ଭଲ କରିଛି । ଆମ୍ ଆଦମୀ ପାର୍ଟି ଦିଲ୍ଲୀ ବିଧାନସଭା ନିର୍ବାଚନରେ ୫୩ ପ୍ରତିଶତ ଭୋଟ ପାଇଥିବା ବେଳେ ନଗରନିଗମ ନିର୍ବାଚନରେ ୧୨ ପ୍ରତିଶତ କମ୍ ଭୋଟ ପାଇଛି ।
ଆମ୍ ଆଦମୀ ପାର୍ଟିର ସଫଳତା
ଆମ୍ ଆଦମୀ ପାର୍ଟି ଦେଶର ନୂତନ ଜାତୀୟ ଦଳ ଭାବରେ ମାନ୍ୟତା ହାସଲ କରିବାକୁ ଯାଉଛି । ଦଳ ଏଥିପାଇଁ ବହୁ ପୂର୍ବରୁ ଚେଷ୍ଟା କରିଥିଲା । ଗୁଜୁରାଟରେ ୧୨ ପ୍ରତିଶତ ଭୋଟ ପାଇବା ସହିତ ଦଳ ପକ୍ଷରୁ ଜାତୀୟ ଦଳର ମାନ୍ୟତା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଖୁବ ଶୀଘ୍ର ଦାବି କରାଯିବ । ଦିଲ୍ଲୀ ନଗର ନିଗମ ଦଖଲ କରି ଦେଶର ରାଜଧାନୀକୁ ପୁରା କବ୍ଜା କରିବାରେ ସକ୍ଷମ ହୋଇଛି ଆପ୍ । ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର କ୍ଷମତା ହାସଲ କରି ଦଳ ନିଜର ଭାବମୂର୍ତ୍ତିକୁ ଅଧିକ ଉଜ୍ଜ୍ବଳ କରିବାରେ ସକ୍ଷମ ହୋଇଛି ।
ଏଥର ଇଭିଏମ୍ ଠିକ୍ ଥିଲା
ମତଦାନ ନିମନ୍ତେ ଇଭିଏମ୍ ମେସିନ କାର୍ଯ୍ୟକାରୀ ହେବା ପରେ ଯେତେ ସବୁ ନିର୍ବାଚନ ହୋଇଛି ସେଥିରେ ବିଫଳତା ପାଇଥିବା ଦଳଗୁଡିକ ପକ୍ଷରୁ ଇଭିଏମ୍ ଉପରେ ଦୋଷ ଲଦିବାର ଡ୍ରାମା ଆରମ୍ଭ ହୋଇଥାଏ । ଏପରିକି ଦେଶର କିଛି ତୁଙ୍ଗ ନେତା ଲଣ୍ଡନରେ ଇଭିଏମ୍ ଟ୍ୟାମ୍ପରିଂ ସମ୍ବନ୍ଧୀତ କର୍ମଶାଳାରେ ଯୋଗଦେଇ ଭାରତକୁ ଅପମାନିତ କରିବାକୁ ପଛାଇ ନାହାଁନ୍ତି । ଗତ ଲୋକସଭା ନିର୍ବାଚନ, ୟୁପି ବିଧାନସଭା ଏବଂ ବିଜେପି ଜିଣିଥିବା ନିର୍ବାଚନ ଗୁଡିକରେ ବିପକ୍ଷ ଦଳଗୁଡିକ ପକ୍ଷରୁ ଇଭିଏମ୍ ହ୍ୟାକ୍ ହେବା ତଥା ପେପର୍ ବାଲଟ୍ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହୋଇଥିଲା । ସମସ୍ତ ପ୍ରମୁଖ ଦଳ କିଛି ନା କିଛି ହାତେଇବା ଯୋଗୁଁ, ଚଳିତ ନିର୍ବାଚନ ଫଳାଫଳ ପରେ ଦଳଗୁଡିକ ଆଉ ଇଭିଏମ୍ କଥା ଉଠାଇ ନାହାଁନ୍ତି ।












Click it and Unblock the Notifications