2024 ନିର୍ବାଚନରେ କେତେ ଦୂର ମାଇଲେଜ୍ ଦେବ ଶ୍ରୀମନ୍ଦିର ଓ ରାମ ମନ୍ଦିର ପ୍ରସଙ୍ଗ, ଫାଇଦାରେ ରହିବେ କି ବିଜେପି-ବିଜେଡ଼ି
2024 Elections: ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏଥି ସହ ନିର୍ବାଚନରେ ଲୋକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବା ଲାଗି ରଣନୀତି ପ୍ରସ୍ତୁତି କରୁଛନ୍ତି ଦଳ । ଶାସନ ଗାଦିରେ ବସିଥିବା ଦଳ ଆଉ ଥରେ ସତ୍ତା ବଜାୟ ରଖିବା ଲକ୍ଷ୍ୟରେ ଥିବା ବେଳେ ବିରୋଧୀ ଶାସନ ହାତେଇବାକୁ ଚେଷ୍ଟାରେ ଲାଗିପଡ଼ିଛନ୍ତି ।

କେନ୍ଦ୍ରରେ ବିଜେପି ତୃତୀୟ ଥର ପାଇଁ ସରକାରରେ ରହିବା ସହ 400 ଆସନ ଲକ୍ଷ୍ୟରେ ରହିଛି । ନିକଟରେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ନିର୍ବାଚନରେ ସତ୍ତା ହାସଲ କରିବା ପରେ ଦଳ ଅନ୍ୟ ରାଜ୍ୟରେ ମଧ୍ୟ ନିଜର ପତିଆରା ବୃଦ୍ଧି କରିବାର ମନୋବଳ ଦୃଢ ହୋଇଛି । ବିଶେଷ କରି ଓଡ଼ିଶା ଉପରେ ରହିଛି ବିଜେପିର ନଜର । ଓଡ଼ିଶାରେ 15 ଲୋକସଭା ଆସନରେ ଜିତିବା ନେଇ ବାରମ୍ବାର ଦୃଢୋକ୍ତି ପ୍ରକାଶ କରୁଛନ୍ତି ଦଳର ନେତୃବୃନ୍ଦ ।
ଅପରପକ୍ଷରେ ରାଜ୍ୟରେ ଆଗକୁ ରହିଛି ବିଧାନସଭା ନିର୍ବାଚନ । ଲଗାତାର ପାଞ୍ଚ ଥର ଶାସନ ଗାଦିରେ ବସିଥିବା ବିଜେଡ଼ି ମଧ୍ୟ ଷଷ୍ଠ ଥର ପାଇଁ ରାଜ୍ୟର କମାଣ ନିଜ ହାତରେ ରଖିବାକୁ ଜୋରଦାର ପ୍ରୟାସ କରୁଛି । ଯଦିଓ ବିଜେଡ଼ିର ବିକଳ୍ପ ଭାବରେ ବିଜେପି ନିଜକୁ ପ୍ରସ୍ତୁତ କରୁଥିବା ନେଇ କୁହାଯାଉଥିଲେ ମଧ୍ୟ ସରକାର ବହୁମତ ହାସଲ କରିବାରେ ଦଳ କେତେ ଦୂର ସଫଳ ହେବ ସେ ନେଇ ଅନେକ ଦ୍ୱନ୍ଦ ରହିଛି ।
କଣ ରହିବ ପ୍ରସଙ୍ଗ ?
ନିର୍ବାଚନ ପୂର୍ବରୁ ଏଥର କେଉଁ ପ୍ରସଙ୍ଗ ଉପରେ ଦଳମାନେ ଭୋଟ୍ ମାଗିବେ ସେ ତାହା ଏକ ରୋଚକ ପ୍ରଶ୍ନ । ରାଜ୍ୟରେ ବିଜେଡ଼ି ନିଜର ସ୍ଥିର ସରକାର ସହ ବିକାଶମୁଖୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବା ଆରମ୍ଭ କରିଦେଇଛି । ସେହିପରି ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଭ୍ରଷ୍ଟାଚାର ଓ ଅରାଜକତା ଭଳି କିଛି ପ୍ରସଙ୍ଗକୁ ନେଇ ପ୍ରଚାର କରୁଛନ୍ତି ।
ସେପଟେ କେନ୍ଦ୍ରରେ ମଧ୍ୟ ବିଜେପି 2 ଥର ମୋଦୀ ସରକାରର ସଫଳତା ବଖାଣିବା ସହ ମୋଦୀ ଗ୍ୟାରେଣ୍ଟିକୁ ନେଇ ନିର୍ବାଚନ ଜିତିବାକୁ ପ୍ରୟାସ କରୁଛି । ଯେତେବେଳେ କି ବିରୋଧୀ ଇଣ୍ଡିଆ ମେଣ୍ଟ ଜାତି ଭିତ୍ତିକ ଜନଗଣନାକୁ ପ୍ରସଙ୍ଗ କରିଛନ୍ତି । ତେବେ ଭୋଟର କେଉଁ ପ୍ରସଙ୍ଗ ଉପରେ ବେଶୀ ଜୋର୍ ଦେବେ ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ ।
ରାମ ମନ୍ଦିର ଓ ଶ୍ରୀମନ୍ଦିର ପ୍ରସଙ୍ଗ
କିନ୍ତୁ ନିର୍ବାଚନ ଆଗରୁ ବିଜେପିର ସ୍ୱପ୍ନ ରାମମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେବା ଏବଂ ଏହାର ଲୋକାର୍ପଣ କରାଯିବା ଏକ ପ୍ରସଙ୍ଗ ହୋଇପାରେ । ଦଳ ଗଠନ ପର ଠାରୁ ରାମ ମନ୍ଦିର ନିର୍ମାଣ ପାଇଁ ଜୋର୍ ଦେଇଆସୁଥିବା ବିଜେପିର ସ୍ୱପ୍ନ ପୂରଣ ହୋଇଛି । ଏହା ସହ କୋଟି କୋଟି ରାମପ୍ରେମୀଙ୍କ ଆଶା ପୂର୍ଣ ହୋଇଛି । ଏହାକୁ ନେଇ ବିଜେପି ଆଗାମୀ ନିର୍ବାଚନର ପ୍ରସଙ୍ଗ କରିପାରେ ବୋଲି କଳ୍ପନା କରାଯାଉଛି । ଯଦି ଏହି ଏପରି ହୁଏ, ତେବେ ନିର୍ବାଚନରେ ରେକର୍ଡ ସଂଖ୍ୟକ ଆସନ ହାତେଇ ସରକାର ଗଠନ କରିବାରେ ବିଜେପିକୁ ରାମ ମନ୍ଦିର ବେଶ୍ ସହାୟକ ହୋଇପାରେ ।
ସେହିପରି ପୂରୀରେ ଶ୍ରୀମନ୍ଦିର ପ୍ରକଳ୍ପର ଲୋକାର୍ପଣ ଜାନୁଆରୀ 17 ତାରିଖରେ ହେବ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏହା ଏକ ଆନନ୍ଦର ବିଷୟ । ପୁରୀ କୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ଏବଂ ମନ୍ଦିରର ସୌନ୍ଦର୍ଯ୍ୟକରଣ କରି ନବୀନ ସରକାର ଚାରିଆଡ଼ୁ ପ୍ରଶଂସା ସାଉଁଟୁଛନ୍ତି । କିନ୍ତୁ ଆଗାମୀ ବିଧାନସଭା ନିର୍ବାଚନରେ ଏହାକୁ ଏକ ପ୍ରସଙ୍ଗ କରିବ କି ବିଜେଡ଼ି । ରାଜ୍ୟର ବିଭିନ୍ନ ମନ୍ଦିର ଓ ଐତିହ୍ୟର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ପର୍ଯ୍ୟଟନ କ୍ଷେତ୍ରକୁ ମଜବୁତ କରୁଛି । ଏଥି ମଧ୍ୟରେ ଶ୍ରୀମନ୍ଦିର ପ୍ରକଳ୍ପକୁ ଯଦି ବିଜେଡ଼ି ନିଜର ଏକ ସଫଳତା ନେଇ ପ୍ରସଙ୍ଗ କରେ ତେବେ ନିର୍ବାଚନୀ ବୈତରଣୀ ପାର୍ ହେବାରେ ଏହା ସହାୟକ ହୋଇପାରେ ।












Click it and Unblock the Notifications