ରାଜ୍ୟସଭା ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ଦେବାଶିଷ-ଶୁଭାଶିଷ, ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ
ରାଜ୍ୟସଭା ନିର୍ବାଚନ: ବିଜେଡ଼ିରୁ ଦୁଇ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ।
ଏହି ସମୟରେ ବିଧାନସଭା ପ୍ରକୋଷ୍ଠରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିକ୍ରମ ଆରୁଖ୍, ନିରଞ୍ଜନ ପୂଜାରୀ, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ଅରୁଣ ସାହୁ, ପ୍ରତାପ ଜେନା, ଉମାକାନ୍ତ ସାମନ୍ତରାୟ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ଗତକାଲି ରାତିରେ ସମସ୍ତଙ୍କୁ ଚକମା ଦେଇ ସମସ୍ତ କଳ୍ପାନାଜଳ୍ପନାକୁ ଭୁଲ୍ ପ୍ରମାଣିତ କରି ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବିଜେଡ଼ି । କଟକର ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ ନେଇ ଘୋଷଣା କରିଥିଲା । ଏହା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇ ଜଣ ନାମାଙ୍କନ ଦାଖଲ କରିଛନ୍ତି ।
ତେବେ ଓଡ଼ିଶାରୁ ତିନୋଟି ଆସନ କାଲି ହେଉଥିବା ବେଳେ ବିଜେଡ଼ି ଦୁଇ ଜଣଙ୍କ ନାଁ ଘୋଷଣା କରିବା ରାଜନୈତିକ ମହଲର୍ ଅନେକ ପ୍ରଶ୍ନ ଛିଡ଼ା କରିଛି । ତୃତୀୟ ପ୍ରାର୍ଥୀ ବିଜେଡ଼ିରୁ ହେବେ ନା ବିଜେପିର କୌଣସି ପ୍ରାର୍ଥୀଙ୍କୁ ବିଜେଡ଼ି ସମର୍ଥନ ଦେବ ସେ ନେଇ ସସପେନ୍ସ ଜାରି ରହିଛି ।
ରାଜ୍ୟସଭା ନିର୍ବାଚନରେ ବିଜେଡିର ତିନି ପ୍ରାର୍ଥୀ ଜିତିବା ଏକ ପ୍ରକାର ସ୍ପଷ୍ଟ ଥିବାରୁ ଦଳର ସଭାପତିଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଥିଲା । ବିଭିନ୍ନ ମହଲରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଭିନ୍ନ ଭିନ୍ନ ଆକଳନ ଚାଲିଥିଲା । କିନ୍ତୁ ଗତକାଲି ଯେଉଁ ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା, ସେମାନଙ୍କ ନାମ ଗତକାଲି ଯାଏ ଆଦୌ ଚର୍ଚ୍ଚାରେ ନଥିଲା ।
ନାମାଙ୍କନ ଭରିବା ପୂର୍ବରୁ ପ୍ରତିକ୍ରିୟା ଦେଇ ଦେବାଶିଷ ସାମନ୍ତରାୟ କହିଥିଲେ, ସଂସଦରେ ରାଜ୍ୟ ହିତ ପ୍ରସଙ୍ଗ ଉଠାଇବେ । ବିଧାନସଭାରୁ ରାଜ୍ୟସଭାକୁ ଯିବା ତାଙ୍କ ପାଇଁ ପ୍ରମୋସନ ବୋଲି କହିଛନ୍ତି ଦେବାଶିଷ । ବିଧାୟକ ହେବି ନା ସାଂସଦ ହେବି ମୋର ପସନ୍ଦ ନୁହେଁ ବରଂ ଏହା ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ। ବାଲିଯାତ୍ରାକୁ ଐତିହାସିକ ମାନ୍ୟତା ଓ କଟକର ଅନ୍ୟାନ୍ୟ ବହୁ ସମସ୍ୟାର ସମାଧାନ ପାଇଁ ରାଜ୍ୟସଭାରେ ସ୍ୱର ଉଠାଇବି । ମୁଁ ରାଜ୍ୟସଭା ଗଲେ ଆଗକୁ ଏହି ଆସନ ବିଜୁ ଜନତା ଦଳର ଗଡ ହୋଇ ରହିବ । କଟକ ମୋ ଘର ଲୋକ ଆଗରୁ ମୁଁ ବିଧାୟକ ଭାବେ ଲୋକଙ୍କ ସହ ଯୋଡ଼ି ହୋଇ ଥିଲି ଏବେ ସାଂସଦ ଭାବେ ମଧ୍ୟ ସେମାନଙ୍କ ସହ ରହିବି । ରାଜ୍ୟ ପ୍ରତି କେନ୍ଦ୍ର ଅବହେଳା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୋର ଆଭିମୁଖ୍ୟ ରାଜ୍ୟସଭାରେ ରହିବ । ମୋ ଉପରେ ଭରସା କରି ଗୁରୁଦାୟିତ୍ୱ ଦେଇ ଦିଲ୍ଲୀ ପଠାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଦେବାଶିଷ ସାମନ୍ତରାୟ ।
ସେହିଭଳି ନାମାଙ୍କନ ଭରିବା ପୂର୍ବରୁ ଶୁଭାଶିଷ ଖୁଣ୍ଟିଆ କହିଥିଲେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀ ମୋତେ ଏହି ଗୁରୁଦାୟିତ୍ୱ ଦେଇଛନ୍ତି । ଦଳ ଯେତେବେଳେ ଯାହା ଦାୟିତ୍ୱ ଦେଇଛି ମୁଁ ତାହାକୁ ପାଳନ କରିଛି । ଏହି ଦାୟିତ୍ୱକୁ ମଧ୍ୟ ପାଳନ କରିବି ବୋଲି କହିଛନ୍ତି ଶୁଭାଶିଷ ।












Click it and Unblock the Notifications