ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଲିଖିତ ଅଭିଯୋଗ
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିବା ସହ ମକର ସଂକ୍ରାନ୍ତିରେ ଦିଅଁଙ୍କୁ ଅପୂଜା ଓ ଉପବାଦ ରଖିବା ଘଟଣାରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତିଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ହୋଇଛି । ଏହାସହିତ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, କମିସନରେଟ୍ ପୁଲିସ ଆୟୁକ୍ତ ଓ ଉପାୟୁକ୍ତଙ୍କୁ ଅଭିଯୋଗ କରାଯାଇଛି । ପୁରୁଣା ଭୁବନେଶ୍ୱର ଡାକବଙ୍ଗଳା ନିବାସୀ ଅମରେନ୍ଦ୍ର ଗରାବଡୁ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୧୩ ତାରିଖ ସନ୍ଧ୍ୟାରୁ ୧୫ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ହିନ୍ଦୁ ସମାଜର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଭୋଗ ଉପବାସରେ ରଖାଯାଇଛି । ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି ତାଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଏଭଳି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ମିଳିବା ପରେ ଷ୍ଟେସନ ଡାଇରୀ କରାଯାଇଥିବା ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ମହାପ୍ରଭୁ ଶ୍ରୀଲିଙ୍ଗରାଜ ଅପୂଜା ରହିବାର ୩୪ଘଣ୍ଟା ପରେ ସ୍ବାଭାବିକ ହୋଇଛି ନୀତିକାନ୍ତି। ଗୁରୁବାର ଭୋର ୬ଟାରେ ମନ୍ଦିର ପହଡ଼ ଖୋଲି ମଙ୍ଗଳଆଳତି ଅବକାଶ ନୀତି ହୋଇ ସାଢ଼େ ୬ଟାରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଏହାପରେ ଦିଅଁଙ୍କ ଅନ୍ୟାନ୍ୟ ନୀତି ହୋଇଥିଲା। ସମସ୍ତ ପାଳିଆ ସେବାୟତ ସେମାନଙ୍କ କାର୍ଯ୍ୟରେ ସାମିଲ ହୋଇ ନୀତିକାନ୍ତି ସ୍ବାଭାବିକ କରିଥିଲେ।
ମକର ସଂକ୍ରାନ୍ତିର ନବାଙ୍କବେଢ଼ା ଉପରେ ଜିଲାପାଳ ଦେଇଥିବା ଆଦେଶକୁ ଉଚ୍ଚ ନ୍ୟାୟାଳୟ ସ୍ଥଗିତ ରଖିବା ସହ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନର ଧାରା ୪୧ରେ ଦେବୋତ୍ତର ସହକାରୀ ଆୟୁକ୍ତ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ କରିବାକୁ କହିଥିଲେ। ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନା ଉଚ୍ଚ ନ୍ୟାୟାଳୟଙ୍କ ସ୍ଥଗିତ ଆଦେଶ ପାଇବା ମାତ୍ରେ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ କରିବାକୁ ଟ୍ରଷ୍ଟବୋର୍ଡ, ବଡୁ ଓ ବ୍ରାହ୍ମଣ ନିଯୋଗ ମିଳିତ ଭାବେ ପଦକ୍ଷେପ ନେବାକୁ କହିଥିଲେ। ହେଲେ ମନ୍ଦିର ପ୍ରଶାସନ ଆୟୁକ୍ତଙ୍କ ଆଦେଶ ଉପରେ କୌଣସି ଆପୋସ ଆଲୋଚନା କରିନଥିଲା। ଅନ୍ୟପକ୍ଷରେ ମକର ସଂକ୍ରାନ୍ତିରେ ଦିଅଁଙ୍କ ଘୃତ କମଳ ଲାଗି ହୋଇଥାଏ। ଏଥିପାଇଁ ମକର ସଂକ୍ରାନ୍ତି ପୂର୍ବ ଦିନ ନବାଙ୍କବେଢ଼ାରେ କ୍ଷୀର ଆଉଟା ଯାଇ ସେଥିରୁ ଘୃତ ପ୍ରସ୍ତୁତ ହୋଇଥାଏ।












Click it and Unblock the Notifications