Cyclone Montha: ବାତ୍ୟା ଆସିଲେ ମନେପଡେ ମହାବାତ୍ୟା ୧୯୯୯, ଫନି, ଫାଇଲିନ୍ ଆଦି ବାତ୍ୟା, କେମିତି ଥିଲା ଚିତ୍ର ?

Cyclone Montha: ଓଡିଶା ଉପକୂଳରେ ପୁଣି ଏକ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' କୁ ନେଇ ମୁକାବିଲା ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଲାଣି । ତେବେ ପୂର୍ବ-ଭାରତୀୟ ରାଜ୍ୟ ଓଡିଶା ପ୍ରତିବର୍ଷ ଏକାଧିକ ସାମୁଦ୍ରିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ୧୯୯୯ ମହାବାତ୍ୟା ଥିଲା ସର୍ବାଧିକ ପ୍ରଳୟଙ୍କାରୀ । ଛାରଖାର ହୋଇ ଯାଇଥିଲା ଉପକୂଳ, ଦୋହଲି ଯାଇଥିଲା ଓଡିଶାର ସାମାଜିକ ଓ ଆର୍ଥିକ ମେରୁଦଣ୍ଡ । ଆଜି ବି ଓଡିଶା ଉପକୂଳରେ ବାତ୍ୟା ଆସିଲେ, ମନେ ପଡିଯାଏ ୧୯୯୯ ମହାବାତ୍ୟା କଥା ।

ଗତ ୨୦୧୯ ମସିହା ମେ ମାସ ୨ରେ ବାତ୍ୟା 'ଫନି', ୨୦୨୦ ମସିହା ମେ ମାସ ୨୦ରେ ବାତ୍ୟା 'ଅମ୍ଫାନ', ୨୦୨୧ ମସିହା ମେ ମାସ ୨୬ରେ ବାତ୍ୟା 'ୟାସ', ୨୦୨୨ ମସିହା ମେ ମାସ ୭ରେ ବାତ୍ୟା 'ଅସାନୀ', ୨୦୨୩ ରେ ବାତ୍ୟା ଦାନ ଅକ୍ଟୋବର ୨୪ ମଧ୍ୟରାତ୍ରି , ଓଡ଼ିଶାରେ ତାଣ୍ଡବ ରଚିଥିଲେ ।

୧୯୯୯ ମହାବାତ୍ୟାର କରାଳ ରୂପ ଓଡ଼ିଶା କାହିଁକି ସମଗ୍ର ବିଶ୍ୱ ଦେଖିଛି । ୨୦୧୩ ଅକ୍ଟୋବର ୧୩ରେ ରେ ବାତ୍ୟା 'ଫାଇଲିନ', ୨୦୧୪ ଅକ୍ଟୋବର ୧୨ରେ ବାତ୍ୟା 'ହୁଦହୁଦ', ୨୦୧୮ରେ ବାତ୍ୟା 'ତିତଲି', ୨୦୧୯ରେ ବାତ୍ୟା 'ବୁଲବୁଲ', ୨୦୨୧ ସେପ୍ଟେମ୍ବରରେ ବାତ୍ୟା 'ଗୁଲାବ' ଓ ଡିସେମ୍ବରରେ 'ଜୱାଦ' ଆସିଥିଲେ ।

Cyclone Montha

ଅକ୍ଟୋବର ୨୯ କାଳ ରାତି
ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ବଙ୍ଗୋପସାଗରରେ ସୃଷ୍ଟ ଅତିଭୀଷଣ ସାମୁଦ୍ରିକ ଝଡ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଥିଲା । ଏହା ଲ୍ୟାଣ୍ଡଫଲ୍‌ ପଏଣ୍ଟ ଥିଲା ଜଗତସିଂହପୁର । ବନ୍ଦରନଗରୀ ପାରାଦ୍ବୀପ ସମେତ, କୁଜଙ୍ଗ, ଏରସମା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ପାର୍ଶ୍ବବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ, ପୁରୀ ଓ ଖୋର୍ଦ୍ଧା ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ଢେଙ୍କାନାଳ, ନୟାଗଡ ପରି ଆଭ୍ୟନ୍ତରୀଣ ଜିଲ୍ଲା ମଧ୍ୟ ଆଶିଂକ ପ୍ରଭାବିତ ହୋଇଥିଲା ।

ପ୍ରାଣ ହରାଇଥିଲେ ୧୦ ହଜାର ଲୋକ:-
ରାସ୍ତାଘାଟ, ଗ୍ରାମ, ଜନବସତି, ସହର ଓ ଭିତ୍ତିଭୂମିକୁ ପୂରା ଧ୍ବଂସସ୍ତୂପରେ ପରିଣତ କରିଦେଇଥିଲା ଏହି କରାଳ ବାତ୍ୟା । ମୃତ୍ୟୁସଂଖ୍ୟା ଏତେ ଅଧିକ ଥିଲା ଯେ, ସରକାରୀ- ବେସରକାରୀ ସ୍ତରରେ ଏହାକୁ ନେଇ ଦ୍ବନ୍ଦ୍ବ ମଧ୍ୟ ରହିଛି । ତଥାପି ସରକାରୀ ଭାବେ ରାଜ୍ୟରେ ମୋଟ 9 ହଜାର 8 ଶହ 85 ଜଣଙ୍କ ଜୀବନ ଯାଇଥିବା ଦର୍ଶାଯାଏ । ମୋଟ ମୃତ୍ୟୁସଂଖ୍ୟାର ପ୍ରାୟ 8,119 ଜଣ କେବଳ ଜଗତସିଂହପୁର ଜିଲ୍ଲାର ଥିଲେ । ତଥାପି ବର୍ଷ ବର୍ଷ ପର୍ଯ୍ୟନ୍ତ ଶତାଧିକ ନିଖୋଜଙ୍କ ପତ୍ତା ମିଳିନଥିଲା । ଅନେକ ଚିହ୍ନଟ ହୋଇପାରିନଥିବା ମୃତଦେହ ମଧ୍ୟ ଉଦ୍ଧାର ହୋଇଥିଲା । ସରକାରୀ ତଥ୍ୟଠାରୁ ମୃତ୍ୟୁ ସଂଖ୍ୟା ଢେର ଅଧିକ ବୋଲି ମଧ୍ୟ ଚର୍ଚ୍ଚା ହୁଏ ।

ବାତ୍ୟା 'ଫନି'

ଭାରତ ମହାସାଗରରେ ଏପ୍ରିଲ ୨୬ ତାରିଖରେ ସୃଷ୍ଟି ହୋଇଥିଲା ସାମୁଦ୍ରିକ ଝଡ଼ । ୩୦ ତାରିଖରେ ଏହା ରୂପ ଜଣାପଡ଼ିବା ସହ ଆଗକୁ ବଢ଼ିଥିଲା । ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା 'ଫନି' । ପ୍ରଭାବରେ ମେ ୨ ତାରିଖ ରାତିରୁ ପବନ ସହ ବର୍ଷା ଲାଗି ରହିଥିଲା । ମେ ୩ ସକାଳ ଥିଲା 'ଫନି'ର ।

ଆତଙ୍କର ମୁହୂର୍ତ୍ତ

ମେ ୩ ସକାଳୁ ପବନର ବେଗ ବଢ଼ିବା ସହ ବଢ଼ିଥିଲା ବର୍ଷା । ରାଜ୍ୟର ସବୁ ସମୁଦ୍ର କୁଳିଆ ଅଞ୍ଚଳରେ ପବନର ବେଗ ବେଶ୍ ଅଧିକ ଥିଲା । ସକାଳ ପ୍ରାୟ ୮ଟା ୪୦ ମିନିଟରେ ପୁରୀରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା 'ଫନି' । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ସମୁଦ୍ର କୂଳରେ ଥିବା ନୋଳିଆ ବସ୍ତି । ଘଣ୍ଟା ପ୍ରତି ୨୦୦ କିମି ବେଗରେ ବହୁଥିବା ପବନ ନିମିଷକେ ସବୁ କିଛି ଛାରଖାର କରି ଦେଇଥିଲା । ଉଜୁଡ଼ି ଯାଇଥିଲା ହୋଟେଲ ଶିଳ୍ପ, ହରିଣଙ୍କ କୋଳାହଳରେ କମ୍ପୁଥିବା ବାଲୁଖଣ୍ଡ ଅଭୟାରଣ୍ୟ ବି ବାଦ୍ ପଡ଼ିନଥିଲା । ହରିଣ ସବୁ ଗାଏବ ହୋଇଯିବା ସହ ନିଶ୍ଚିହ୍ନ ହୋଇଯାଇଥିଲା ଜଙ୍ଗଲ । ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ବ୍ରହ୍ମଗିରି, ସାତପଡ଼ା ଅଞ୍ଚଳର ଦୃଶ୍ୟ ଥିଲା ବେଶ୍ ହୃଦୟ ବିଦାରକ ।

ପ୍ରଭାବିତ ହୋଇଥିଲା ୧୪ ଜିଲ୍ଲା

ବାତ୍ୟା 'ଫନି' ଯୋଗୁଁ ଅଧା ଓଡ଼ିଶା ପ୍ରଭାବିତ ହୋଇଥିଲା । ପୁରୀ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁର ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲା ବାତ୍ୟାରେ ପ୍ରଭାବିତ ହୋଇଥିଲା ।

କ୍ଷୟକ୍ଷତି

ବାତ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୪୦ ହଜାର ହେକ୍ଟର ଫସଲ ନଷ୍ଟ ହୋଇଥିଲା । ୫ ଲକ୍ଷ ୫୬ ହଜାର ଘର କ୍ଷତିଗ୍ରସ୍ତ ହୋଇଥିଲା । ୬, ୨୮୧ ଗୃହ ପାଳିତ ପଶୁଙ୍କ ଜୀବନ ଯାଇଥିଲା । ୧ ଲକ୍ଷ ୪୮ ହଜାର ୬୬୩ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ ୬ ହଜାର ୪୧୬ ବୋଟ୍, ୮ ହଜାର ୮୨୮ ଜାଲ ନଷ୍ଟ ହୋଇଥିଲା । ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଭିତ୍ତିଭୂମି । ରାସ୍ତା, ବିଦ୍ୟୁତ୍, ରେଲୱେ, ଟେଲି କମ୍ୟୁନିକେସନ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଧାନୀ ପ୍ରାୟ ୧୫ ଦିନ ଅନ୍ଧାରରେ ରହିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ମାସେ ଯାଏଁ ବିଦ୍ୟୁତ୍ ଯୋଗାଣ ସମ୍ଭବ ହୋଇପାରି ନଥିଲା ।

ବାତ୍ୟା ମୁକାବିଲା

'ଫନି' ଆସିବା ସୂଚନା ପାଇବା ପରେ ରାଜ୍ୟ ସରକାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଥିଲା । ପାଣିପାଗ ବିଭାଗର ଅପଡେଟ୍ ଅନୁଯାୟୀ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବିଶେଷ କରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ସରକାର । ସ୍ୱଳ୍ପ ସମୟ ମଧ୍ୟରେ ୧୫ ଲକ୍ଷ ୫୭ ହଜାର ୧୭୦ ଜଣଙ୍କୁ ସ୍ଥାନାନ୍ତର କରି ଓଡ଼ିଶା ରେକର୍ଡ କରିଥିଲା । ବାତ୍ୟାରେ ରାଜ୍ୟରେ ୫,୨୨୭.୬୮ କୋଟି ମୂଲ୍ୟର କ୍ଷତି ହୋଇଥିଲା

ଫାଇଲିନ:
2013 ମସିହା ଅକ୍ଟୋବର 12 ତାରିଖ ଓଡିଶା ଉପକୂଳରେ ତାଣ୍ଡବ ରଚିଥିବା ଅନ୍ୟତମ ବାତ୍ୟା ଥିଲା 'ଫାଇଲିନ' । ପାଣିପାଗ ବିଜ୍ଞାନ ଭାଷାରେ ଏହା ଭାରତର ଦ୍ୱିତୀୟ ଶକ୍ତିଶାଳୀ ଟ୍ରପିକାଲ୍ ସାଇକ୍ଲୋନ ଥିଲା । 1999 ସୁପର ସାଇକ୍ଲୋନନ୍ ତୂଳନାରେ ମୃତ୍ୟୁ ସଂଖ୍ୟା ବେଶ କମ ଥିଲେ ସୁଦ୍ଧା ବ୍ୟାପକ ଭିତ୍ତିଭୂମି ନଷ୍ଟ ହୋଇଥିଲା ।

ହୁଡହୁଡ:
ଫାଇଲିନର ପରବର୍ଷ ଅର୍ଥାତ 2014 ମସିହା ଅକ୍ଟୋବର ୧୨ ତାରିଖରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିଥିଲା । ଏହା ଓଡିଶା ଉପକୂଳରେ ସିଧା ଲ୍ୟାଣ୍ଡଫଲ ନକରି ଆନ୍ଧ୍ରର ଉପକୂଳ ସହର ବିଶାଖାପାଟନମରେ ଲ୍ୟାଣ୍ଡଫଲ କରି ବ୍ୟାପକ କ୍ଷତି ଘଟାଇଥିଲା । ପ୍ରାୟ 400,000 ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା । ଏହାର ପାର୍ଶ୍ବ ପ୍ରଭାବ ମଧ୍ୟ ଦକ୍ଷିଣ ଓଡିଶା ଜିଲ୍ଲାରେ ଦେଖିବାକୁ ମିଳିଥିଲା । କୋରାପୁଟ ଓ ଗଜପତି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ।

ତିତିଲି:
2018 ମସିହା ଅକ୍ଟୋବର 11 ତାରିଖରେ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶାର ଉପକୂଳ ଅତିକ୍ରମ କରି ଅତି ଭୟଙ୍କର ସାଇକ୍ଲୋନିକ ଝଡ ଭାବରେ ତାଣ୍ଡବ ରଚିଥିଲା 'ତିତିଲ' । ଉଭୟ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇବା ସହ ପ୍ରାୟ 6 ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିଲା ଏହି ବାତ୍ୟା । ଏଥିରେ 77 ଜଣଙ୍କର ମୃତ୍ୟୁ ଘଟିଥିଲା । ଲ୍ୟାଣ୍ଡଫଲ ସମୟରେ ଦକ୍ଷିଣ ଓଡିଶାର ଗୋପାଳପୁର ଏବଂ ଉତ୍ତର ଆନ୍ଧ୍ରର କଳିଙ୍ଗପଟ୍ଟନମରେ ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଥିଲା । ଏହା ପରେ ବାତ୍ୟା 'ଅମ୍ଫାନ' ମଧ୍ୟ ଓଡିଶା ଓ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

ଓଡିଶା ଇତିହାସରେ କେତକ ପ୍ରମୁଖ ବାତ୍ୟା;-
ଓଡିଶା ଉପକୂଳରେ 1942, 1967, 1971, 1977, 1990 ରେ ସୃଷ୍ଟି ହୋଇଥିବା ଏକାଧିକ ସାମୁଦ୍ରିକ ଝଡ ବ୍ୟାପକ ଧନ-ଜୀବନ ନଷ୍ଟ କରିଛି । କିନ୍ତୁ 1999 ର ମହାବାତ୍ୟା କେବଳ ଓଡିଶା ନୁହେଁ ସମଗ୍ର ପୂର୍ବ-ଭାରତରେ ପ୍ରକୃତିକ ବିପର୍ଯ୍ୟୟର ସମସ୍ତ ରେକର୍ଡ ଅତିକ୍ରମ କରିଥିଲା । ତେବେ ବାତ୍ୟାର ମୁକାବିଲା ପାଇଁ ଆମେ ସମସ୍ତେ ପ୍ରସ୍ତୁତ ରହିବା ଦରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+