ସରକାରୀ ଯୋଜନାର ପରିପୂର୍ଣ୍ଣତା ସରକାରଙ୍କର ମୂଳମନ୍ତ୍ର ଏବଂ ନାଗରିକମାନେ ଏହାର ସୁଫଳ ପାଉଛନ୍ତି;ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗତ ୧୧ ବର୍ଷ ଧରି ତାଙ୍କ ସରକାର ପ୍ରତ୍ୟେକ ନାଗରିକଙ୍କ ଉନ୍ନତି ପାଇଁ କଠିନ ପରିଶ୍ରମ କରୁଛନ୍ତି ଏବଂ ସେମାନଙ୍କୁ କୌଣସି ଭେଦଭାବ ବିନା ଯୋଜନାର ସମସ୍ତ ପ୍ରକାର ଲାଭ ପ୍ରଦାନ କରୁଛି । ଯାହା ପ୍ରକୃତ ଶାସନ ଓ ପ୍ରକୃତ ନିରପେକ୍ଷତା । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ ଅବସରରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସେ ସ୍ୱାଧୀନ ଭାରତର ଜନନାୟକମାନଙ୍କ ଐତିହ୍ୟକୁ ସମ୍ମାନ ଜଣାଇ ଲକ୍ଷ୍ନୌରେ ରାଷ୍ଟ୍ର ପ୍ରେରଣା ସ୍ଥଳର ଉଦ୍ଘାଟନ କରିଛନ୍ତି । ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାରୀ ଯୋଜନାର ପରିପୂର୍ଣ୍ଣତା ତାଙ୍କ ସରକାରଙ୍କ ମୂଳମନ୍ତ୍ର ଏବଂ ଏବେ କୋଟି କୋଟି ଗରିବ ନାଗରିକ ଏହାର ଲାଭ ପାଉଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମରଣ କରି କହିଛନ୍ତି, ସେ ଅନେକ ପଦକ୍ଷେପ ନେଇଥିଲେ, ଯାହା ଦେଶର ବିକାଶ ପରିସ୍ଥିତିକୁ ପରିବର୍ତ୍ତନ କରିଥିଲା । ବିଶେଷ ଭାବେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ୨୦୦୦ ମସିହା ପରେ ଏହି ଯୋଜନା ଅଧୀନରେ ୮ ଲକ୍ଷ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯାଇଥିଲା । ସେଥିମଧ୍ୟରୁ କେବଳ ୧୧ ବର୍ଷ ମଧ୍ୟରେ ୪ ଲକ୍ଷ କିଲୋମିଟର ନିର୍ମାଣ ହୋଇଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ କ୍ୟାବିନେଟ୍ର ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଏବଂ ସ୍ଥାନୀୟ ସାଂସଦ ରାଜନାଥ ସିଂହ କହିଥିଲେ, ଅଟଳ ଜୀ ସଂସ୍କୃତି, ସମାଜ ଏବଂ ରାଜନୀତିରେ ଅନେକ ଅବଦାନ ରଖିଛନ୍ତି ।
ରାଷ୍ଟ୍ର ପ୍ରେରଣା ସ୍ଥଳକୁ ଏକ ଐତିହାସିକ ଜାତୀୟ ସ୍ମାରକୀ ଏବଂ ସ୍ଥାୟୀ ଜାତୀୟ ମହତ୍ୱର ପ୍ରେରଣାଦାୟକ ସଂକଳନ ଭାବେ ବିକଶିତ କରାଯାଇଥିବା ନେଇ ଆମ ଲକ୍ଷ୍ନୌ ସମ୍ବାଦଦାତା ଜଣାଇଛନ୍ତି । ୬୫ ଏକର ପରିବ୍ୟାପ୍ତ ଏହି ସ୍ଥଳୀ ନିର୍ମାଣ ପାଇଁ ପ୍ରାୟ ୨୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ନେତୃତ୍ୱ, ମୂଲ୍ୟବୋଧ, ଜାତୀୟ ସେବା, ସାଂସ୍କୃତିକ ଚେତନା ଓ ସାର୍ବଜନୀନ ପ୍ରେରଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ସ୍ଥଳୀକୁ ଏକ ଜାତୀୟ ସମ୍ପତ୍ତି ଭାବେ ଉତ୍ସର୍ଗ କରାଯିବ । ଏହି ସ୍ଥଳୀରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ୬୫ ଫୁଟ ଉଚ୍ଚତାର ବ୍ରୋଞ୍ଜ ପ୍ରତିମୂର୍ତ୍ତ ି ରହିଛି । ପ୍ରାୟ ୯୮ ହଜାର ବର୍ଗଫୁଟ ଅଞ୍ଚଳରେ ପଦ୍ମ ଆକୃତିରେ ଗଠନ କରାଯାଇଥିବା ଏହି ସ୍ଥଳୀରେ ଏକ ଅତ୍ୟାଧୁନିକ ସଂଗ୍୍ରହାଳୟ ରହିଛି । ଦେଶର ଯାତ୍ରା ଏବଂ ଦୂରଦୃଷ୍ଟି ସଂପନ୍ନ ନେତାଙ୍କ ଅବଦାନକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସେଠାରେ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା ରହିଛି ।












Click it and Unblock the Notifications