Get Updates
Get notified of breaking news, exclusive insights, and must-see stories!

‘ମନ୍ କି ବାତ୍‌’ରେ କ'ଣ କ'ଣ କହିଲେ ମୋଦୀ ? ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାଟ୍' କାର୍ଯ୍ୟକ୍ରମର ଏହା ହେଉଛି ୧୦୭ ତମ ଏପିସୋଡ୍ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । 'ମନ୍ କି ବାତ୍‌'ରେ ଆପଣଙ୍କୁ ସ୍ୱାଗତ । ଏହି ନଭେମ୍ବର ୨୬କୁ ଆମେ କେବେହେଲେ ଭୁଲିପାରିବାନି । ଆଜିର ଦିନରେ ହିଁ ଦେଶ ଉପରେ ସବୁଠାରୁ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତଙ୍କବାଦୀମାନେ ମୁମ୍ବାଇକୁ, ସମଗ୍ର ଦେଶକୁ ଦୋହଲାଇ ଦେଇଥିଲେ । କିନ୍ତୁ ଏହା ଭାରତର ସାମର୍ଥ୍ୟ ଯେ, ଆମେ ସେହି ଆକ୍ରମଣକୁ ପ୍ରତିହତ କଲୁ ଏବଂ ଏବେ ସମ୍ପୂର୍ଣ୍ଣ ସାହସର ସହିତ ଆତଙ୍କବାଦକୁ ମଧ୍ୟ ଦମନ କରିଚାଲିଛୁ । ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏହି ଆକ୍ରମଣରେ ଆମର ଯେଉଁ ବୀରମାନେ ଶହୀଦ ହୋଇଥିଲେ, ଆଜି ଦେଶ ସେମାନଙ୍କୁ ସ୍ମରଣ କରୁଛି ।

ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।

ବନ୍ଧୁଗଣ, ଆମେ ସମସ୍ତେ ଜାଣୁ ଯେ, ଏହି ସମ୍ବିଧାନ ପ୍ରଣୟନରେ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଶ୍ରୀ ସଚ୍ଚିଦାନନ୍ଦ ସିହ୍ନା ସମ୍ବିଧାନ ସଭାର ସବୁଠାରୁ ବୟସ୍କ ସଭ୍ୟ ଥିଲେ । ୬୦ରୁ ଅଧିକ ଦେଶର ସମ୍ବିଧାନଗୁଡ଼ିକର ଅଧ୍ୟୟନ ଏବଂ ସୁଦୀର୍ଘ ଆଲୋଚନା ପରେ ଆମ ସମ୍ବିଧାରର ଡ୍ରାଫ୍ଟ ତିଆରି ହୋଇଥିଲା । ଡ୍ରାଫ୍ଟ ତିଆରି ହେବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବା ପୂର୍ବରୁ ସେଥିରେ ୨,୦୦୦ ରୁ ଅଧିକ ସଂଶୋଧନ କରାଯାଇଥିଲା । ୧୯୫୦ ମସିହାରେ ସମ୍ବିଧାନ କାର୍ଯ୍ୟକାରୀ ହେବାପରେ ମଧ୍ୟ ଆଜିପର୍ଯ୍ୟନ୍ତ ମୋଟ ୧୦୬ ଥର ସମ୍ବିଧାନରେ ସଂଶୋଧନ କରାଯାଇଛି । ସମୟ, ପରିସ୍ଥିତି, ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାର ଭିନ୍ନ ଭିନ୍ନ ସମୟରେ ଏଥିରେ ସଂଶୋଧନ କଲେ । କିନ୍ତୁ ଏହା ଦୁର୍ଭାଗ୍ୟର ବିଷୟ ଯେ, ସମ୍ବିଧାନରେ ପ୍ରଥମ ସଂଶୋଧନ ଫ୍ରିଡମ୍ ଅଫ୍ ସ୍ପିଚ୍ ଏବଂ ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ ର ଅଧିକାରକୁ ସୀମିତ କରିବା ପାଇଁ କରାଯାଇଥିଲା । ଅନ୍ୟପକ୍ଷରେ ସମ୍ବିଧାନର ୪୪ତମ ସଂଶୋଧନ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯାଇଥିଲା ।

 Mannkibaat

ବନ୍ଧୁଗଣ, ଏହା ମଧ୍ୟ ବହୁତ ପ୍ରେରଣାଦାୟକ ଯେ, ସମ୍ବିଧାନ ସଭାର କିଛି ସଭ୍ୟଙ୍କୁ ମନୋନୀତ କରାଯାଇଥିଲା, ଯେଉଁଥିରେ ୧୫ ଜଣ ମହିଳା ଥଲେ । ସେମାନଙ୍କ ମଧ୍ୟରୁ ଜଣେ ସଦସ୍ୟା ହଂସା ମେହେତା ମହିଳାମାନଙ୍କ ଅଧିକାର ଏବଂ ସେମାନଙ୍କ ପାଇଁ ନ୍ୟାୟ ସପକ୍ଷରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ । ସେତେବେଳେ ଭାରତ ସେଭଳି କିଛି ଦେଶମାନଙ୍କ ସହ ସମକକ୍ଷ ଥିଲା, ଯେଉଁଠି ସମ୍ବିଧାନ ଜରିଆରେ ମହିଳାମାନଙ୍କୁ ମତଦାନର ଅଧିକାର ଦିଆଯାଇଥିଲା । ରାଷ୍ଟ୍ର ଗଠନରେ ଯଦି ସମସ୍ତଙ୍କ ଯୋଗଦାନ ରହିବ, ତେବେ ଯାଇ ସମସ୍ତଙ୍କ ବିକାଶ ହୋଇପାରିବ । ସମ୍ବିଧାନ ନିର୍ମାତାମାନଙ୍କ ସେହି ଦୂରଦୃଷ୍ଟିକୁ ଅନୁସରଣ କରି ଏବେ ଭାରତର ସଂସଦ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ କରିଥିବାରୁ ମୁଁ ସନ୍ତୋଷ ଅନୁଭବ କରୁଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମ ଗଣତନ୍ତ୍ରର ସଂକଳ୍ପ ଶକ୍ତିର ଏକ ଉଦାହରଣ । ଏହା ବିକଶିତ ଭାରତରେ, ଆମର ସଂକଳ୍ପକୁ ଗତିଶୀଳ କରିବାରେ ମଧ୍ୟ ସେତିକି ସହାୟକ ହେବ ।

ମୋର ପରିବାରଜନ, ଜନତା ଯେତେବେଳେ ରାଷ୍ଟ୍ର ଗଠନର ନେତୃତ୍ୱ ଗ୍ରହଣ କରିନିଅନ୍ତି, ସେତେବେଳେ ବିଶ୍ୱର କୌଣସି ଶକ୍ତି ସେହି ଦେଶକୁ ଆଗକୁ ବଢ଼ିବାରେ ବାଧା ସୃଷ୍ଟି କରିପାରେନି । ଆଜି ଭାରତରେ ମଧ୍ୟ ଅନେକ ପରିବର୍ତ୍ତନର ନେତୃତ୍ୱ ୧୪୦ କୋଟି ଜନତା ହିଁ କରୁଥିବା ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହେଉଛି । ଏହାର ଗୋଟିଏ ପ୍ରତ୍ୟକ୍ଷ ଉଦାହରଣ ଆମେ ଏହି ପାର୍ବଣ ଋତୁରେ ଦେଖିବାକୁ ପାଇଲୁ । ଗତ ମାସରେ 'ମନ୍ କି ବାତ୍‌'ରେ ମୁଁ ଭୋକାଲ୍ ଫର୍ ଲୋକାଲ୍ ଅର୍ଥାତ ସ୍ଥାନୀୟ ଉତ୍ପାଦିତ ବସ୍ତୁଗୁଡ଼ିକ କ୍ରୟ କରିବା ଉପରେ ଗୁରୁତ୍ୱ ଦେଇଥିଲି । ବିଗତ କିଛିଦିନ ମଧ୍ୟରେ ହିଁ ଦୀପାବଳୀ, ଭ୍ରାତୃଦ୍ୱିତୀୟା ଏବଂ ଛଟ୍ ପର୍ବରେ ଦେଶରେ ଚାରି ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱର କାରବାର ହୋଇଛି ଏବଂ ଏହି ସମୟରେ ଭାରତରେ ନିର୍ମିତ ବସ୍ତୁଗୁଡ଼ିକ କିଣିବାରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏବେ ତ ପିଲାମାନେ ମଧ୍ୟ ଦୋକାନରେ କିଛି କିଣିବା ସମୟରେ ଦେଖୁଛନ୍ତି ଯେ ଏହା ଉପରେ ମେଡ୍ ଇନ୍ ଇଣ୍ଡିଆ ଲେଖା ହୋଇଛି କି ନାହିଁ । କେବଳ ସେତିକି ନୁହେଁ, ଅନ୍‌ଲାଇନ୍ ଜିନିଷ କ୍ରୟ ସମୟରେ ମଧ୍ୟ ଲୋକେ ସେଥିରେ କଂଟ୍ରି ଅଫ୍ ଅରିଜିନ୍ ଦେଖିବା ଭୁଲୁନାହାନ୍ତି ।

ବନ୍ଧୁଗଣ, ଯେମିତି ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ହିଁ ଏହାର ପ୍ରେରଣା ପାଲଟିଛି, ସେହିଭଳି ଭୋକାଲ୍ ଫର୍ ଲୋକାଲ୍ ର ସଫଳତା ବିକଶିତ ଭାରତ - ସମୃଦ୍ଧ ଭାରତର ଦ୍ୱାର ଉନ୍ମୁକ୍ତ କରୁଛି । ଭୋକାଲ୍ ଫର୍ ଲୋକାଲ୍ ର ଏହି ଅଭିଯାନ ସାରା ଦେଶର ଅର୍ଥନୀତିକୁ ଦୃଢ଼ତା ପ୍ରଦାନ କରୁଛି । ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ହେଉଛି ରୋଜଗାରର ଗ୍ୟାରେଂଟି । ଏହା ହେଉଛି ବିକାଶର ଗ୍ୟାରେଣ୍ଟି, ଏହି ଦେଶର ସନ୍ତୁଳିତ ବିକାଶର ଗ୍ୟାରେଣ୍ଟି । ଏହାଦ୍ୱାରା ସହରୀ ଏବଂ ଗ୍ରାମାଞ୍ଚଳର ଲୋକେ ଉଭୟେ ସମାନ ସୁଯୋଗ ପାଉଛନ୍ତି । ଏହାଦ୍ୱାରା ସ୍ଥାନୀୟ ଉତ୍ପାଦିତ ବସ୍ତୁଗୁଡ଼ିକ ମୂଲ୍ୟଯୁକ୍ତ ହେବାର ମାର୍ଗ ମଧ୍ୟ ପ୍ରଶସ୍ତ ହେଉଛି । ଆଉ, ଯଦି ବିଶ୍ୱ ଅର୍ଥନୀତିରେ କିଛି ପରିବର୍ତ୍ତନ ହେଉଛି, ସେତେବେଳେ ଭୋକାଲ୍ ଫର୍ ଲୋକାଲ୍ ର ମନ୍ତ୍ର ଆମ ଅର୍ଥନୀତିକୁ ସୁରକ୍ଷା ମଧ୍ୟ ପ୍ରଦାନ କରୁଛି ।

ବନ୍ଧୁଗଣ, ଭାରତରେ ନିର୍ମିତ ବସ୍ତୁଗୁଡ଼ିକ ପ୍ରତି ଏହି ଭାବନା କେବଳ ପର୍ବପର୍ବାଣୀ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ । ବାହାଘର ଋତୁ ଆରମ୍ଭ ହୋଇସାରିଛି । କିଛି ବ୍ୟବସାୟ ସଂଗଠନ ଏହା ଅନୁମାନ କରୁଛନ୍ତି ଯେ, ଏହି ସମୟରେ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇପାରେ । ବାହାଘର ପାଇଁ କିଣାକିଣି ସମୟରେ ମଧ୍ୟ ଆପଣମାନେ ଭାରତରେ ତିଆରି ଜିନିଷ କିଣିବା ଉପରେ ହିଁ ଗୁରୁତ୍ୱ ଦିଅନ୍ତୁ । ଆଉ ହଁ, ବାହାଘର କଥା ଯେତେବେଳେ ପଡ଼ିଛି, ସେତେବେଳେ କହୁଛି ଯେ, ଗୋଟିଏ କଥା ଅନେକ ଦିନରୁ ମୋତେ ବହୁତ ବ୍ୟଥିତ କରୁଛି । ମୋ ମନର ବେଦନା କଥା ମୋ ପରିବାରଜନଙ୍କୁ କହିବିନି ତ ଆଉ କାହାକୁ କହିବି? ଆପଣ ଚିନ୍ତା କରନ୍ତୁ, ଆଜିକାଲି କିଛି ପରିବାର ଦ୍ୱାରା ବିଦେଶକୁ ଯାଇ ବିବାହ କରିବାର ପରମ୍ପରା ସୃଷ୍ଟି ହୋଇଚାଲିଛି । ଏଭଳି କରିବା କ'ଣ ନିହାତି ଜରୁରୀ? ଭାରତ ମାଟିରେ, ଭାରତର ଲୋକଙ୍କ ଗହଣରେ ଯଦି ଆମେ ବିବାହ ଉତ୍ସବ ପାଳନ କରିବା, ତାହେଲେ ଦେଶର ଧନ ଦେଶ ଭିତରେ ହିଁ ରହିବ । ଦେଶର ଲୋକେ ଆପଣଙ୍କ ବିବାହୋତ୍ସବରେ କିଛି ନା କିଛି ସେବା କରିବାର ସୁଯୋଗ ପାଇବେ । କ୍ଷୁଦ୍ର, ଗରିବ ଲୋକେ ମଧ୍ୟ ଆପଣଙ୍କ ବିବାହୋତ୍ସବ କଥା ନିଜ ପିଲାମାନଙ୍କୁ କହିବେ । ଭୋକାଲ୍ ଫର୍ ଲୋକାଲ୍ ର ଏହି ମିଶନ୍‌କୁ ଆପଣ ଆହୁରି ଗତିଶୀଳ କରିପାରିବେ କି? ବିବାହାଦି ଉତ୍ସବ ଆମେ ଆମରି ଦେଶରେ କାହିଁକି ପାଳନ ନ କରିବା? ହୁଏତ, ଆଜି ଆପଣ ଚାହୁଁଥିବା ଭଳି ବ୍ୟବସ୍ଥା ଆପଣଙ୍କୁ ମିଳି ନ ପାରେ, କିନ୍ତୁ ଏଭଳି ଆୟୋଜନ କରିଚାଲିଲେ ସେହିଭଳି ବ୍ୟବସ୍ଥା ମଧ୍ୟ ଦେଶରେ ବିକଶିତ ହେବାରେ ଲାଗିବ । ଏହା ବହୁତ ବଡ଼ ପରିବାର ସହିତ ଜଡ଼ିତ ବିଷୟ । ମୁଁ ଆଶା କରୁଛି ଯେ, ମୋ ମନର ଏହି ବେଦନା ସେହି ବଡ଼ ବଡ଼ ପରିବାର ନିକଟରେ ନିଶ୍ଚିତ ଭାବେ ପହଂଚିବ ।

ମୋର ପରିବାରଜନ, ଏହି ପାର୍ବଣ ଋତୁରେ ଆଉ ଗୋଟିଏ ବଡ଼ ଟ୍ରେଣ୍ଡ ଦେଖିବାକୁ ମିଳିଲା । କ୍ରମାଗତ ଭାବେ ଦ୍ୱିତୀୟ ବର୍ଷରେ ମଧ୍ୟ ଦୀପାବଳୀ ସମୟରେ ଟଙ୍କା ଦିଆନିଆ କରି ଜିନିଷ କ୍ରୟ କରିବାର ପରମ୍ପରା ଧିରେ ଧିରେ ହ୍ରାସ ପାଇ ଚାଲିଛି । ଅର୍ଥାତ୍‌, ଲୋକେ ଏବେ ଅଧିକରୁ ଅଧିକ ଡିଜିଟାଲ୍ ପେମେଣ୍ଟ କରୁଛନ୍ତି । ଏକଥା ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ । ଆପଣ ଆଉ ଗୋଟିଏ କାମ କରିପାରିବେ । ଆପଣ ସ୍ଥିର କରନ୍ତୁ ଯେ, ମାସେ ପର୍ଯ୍ୟନ୍ତ ଆପଣ କେବଳ ୟୁପିଆଇ କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ମାଧ୍ୟମରେ ହିଁ ଟଙ୍କା ପ୍ରଦାନ କରିବେ, ନଗଦ କାରବାର କରିବେ ନାହିଁ । ଭାରତରେ ଡିଜିଟାଲ ବିପ୍ଳବ ଏହାକୁ ସମ୍ଭବ କରିସାରିଛି । ଆଉ, ମାସେ ପରେ ଆପଣମାନେ ମୋତେ ଏ ସମ୍ପର୍କରେ ନିଜର ଅନୁଭୂତି ଏବଂ ନିଜର ଫଟୋଟିଏ ନିଶ୍ଚୟ ପଠାନ୍ତୁ । ମୁଁ ଆପଣମାନଙ୍କୁ ଆଗୁଆ ଶୁଭେଚ୍ଛା ଜଣାଉଛି ।

ମୋର ପରିବାରଜନ, ଆମର ଯୁବବନ୍ଧୁମାନେ ଦେଶକୁ ଆଉ ଗୋଟିଏ ବଡ଼ ଖୁସି ଖବର ପ୍ରଦାନ କରିଛନ୍ତି, ଯାହା ଆମ ସମସ୍ତଙ୍କୁ ଗର୍ବିତ କରୁଛି । ଇଣ୍ଟେଲିଜେନ୍ସ, ଆଇଡିଆ ଓ ଇନ୍ନୋଭେସନ୍ - ଆଜି ଭାରତୀୟ ଯୁବବର୍ଗର ପରିଚୟ ପାଲଟିଛି । ତା'ସହିତ ଟେକ୍ନୋଲଜି ଯୋଗହେବା ଫଳରେ ଲୋକମାନଙ୍କର ବୌଦ୍ଧିକ କ୍ଷମତା ନିରନ୍ତର ଭାବେ ବୃଦ୍ଧି ପାଇଚାଲିଛି । ଏହା ଦେଶର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏକଥା ଜାଣି ଆପଣଙ୍କୁ ଖୁସି ଲାଗିବ ଯେ, ୨୦୨୨ରେ ଭାରତୀୟମାନଙ୍କ ପ୍ୟାଟେଂଟ ଆବେଦନରେ ୩୧ ପ୍ରତିଶତରୁ ଊର୍ଦ୍ଧ୍ୱ ବୃଦ୍ଧି ଘଟିଛି। ୱାର୍ଲଡ୍ ଇଂଟେଲେକ୍‌ଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ୍ ଗୋଟିଏ ଅତି କୌତୂହଳପ୍ରଦ ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ଅନୁସାରେ, ପ୍ୟାଟେଣ୍ଟ ଫାଇଲ୍ କରିବାରେ ଅଗ୍ରଣୀ ୧୦ଟି ଦେଶମାନଙ୍କ କ୍ଷେତ୍ରରେ ମଧ୍ୟ ଆଗରୁ ଏଭଳି ଦେଖାଯାଇନାହିଁ । ଏହି ସୁନ୍ଦର ଉପଲବ୍ଧି ପାଇଁ ମୁଁ ମୋର ଯୁବବନ୍ଧୁମାନଙ୍କୁ ଅନେକ ଅଭିନନ୍ଦନ ଜଣାଉଛି ।

ମୁଁ ମୋର ଯୁବବନ୍ଧୁମାନଙ୍କୁ ଭରସା ଦେବାକୁ ଚାହୁଁଛି ଯେ, ଦେଶ ପ୍ରତି ମୁହୁର୍ତ୍ତରେ ଆପଣମାନଙ୍କ ସହିତ ରହିଛି । ସରକାର ଯେଉଁ ପ୍ରାଶାସନିକ ଏବଂ ଆଇନଗତ ସଂଶୋଧନ କରିଛନ୍ତି, ଏହା ପରେ ଆଜି ଆମ ଯୁବବର୍ଗ ଏକ ନୂତନ ଶକ୍ତି ସହ ବିରାଟ ସ୍ତରରେ ଇନ୍ନୋଭେସନ୍ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ୧୦ ବର୍ଷ ପୂର୍ବର ପରିସଂଖ୍ୟାନ ସହ ତୁଳନା କଲେ, ଆଜି ଆମ ପ୍ୟାଟେଣ୍ଟକୁ ୧୦ ଗୁଣ ଅଧିକ ମଞ୍ଜୁରୀ ମିଳୁଛି। ଆମେ ସମସ୍ତେ ଜାଣୁ ଯେ, ପ୍ୟାଟେଣ୍ଟ ଯୋଗୁଁ କେବଳ ଦେଶର ଇଂଟେଲେକଚୁଆଲ୍ ପ୍ରପର୍ଟି ବୃଦ୍ଧି ପାଏ, ତାହା ନୁହେଁ, ବରଂ ଏହାଦ୍ୱାରା ନୂଆ ନୂଆ ସୁଯୋଗର ଦ୍ୱାର ମଧ୍ୟ ଉନ୍ମୁକ୍ତ ହୋଇଥାଏ । କେବଳ ସେତିକି ନୁହେଁ, ଏହା ଆମର ଷ୍ଟାର୍ଟ-ଅପ୍ ଗୁଡ଼ିକର ଶକ୍ତି ଏବଂ କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ । ଆଜି ଆମ ସ୍କୁଲ ପିଲାମାନଙ୍କ ମଧ୍ୟରେ ବି ଇନ୍ନୋଭେସନ୍‌ର ଚିନ୍ତାଧାରା ବୃଦ୍ଧି ପାଇଚାଲିଛି । ଅଟଲ୍ ଟିଂକରିଂ ଲ୍ୟାବ୍‌, ଅଟଲ୍ ଇନ୍ନୋଭେସନ୍ ମିଶନ୍‌, କଲେଜଗୁଡ଼ିକ ମଧ୍ୟରେ ଇନ୍‌କ୍ୟୁବେଶନ୍ ସେଣ୍ଟର, ଷ୍ଟାର୍ଟ-ଅପ୍ ଇଣ୍ଡିଆ ଅଭିଯାନ, ଏଭଳି ନିରନ୍ତର ପ୍ରଚେଷ୍ଟାଗୁଡ଼ିକର ପରିଣାମ ଆଜି ଦେଶବାସୀମାନଙ୍କ ସମ୍ମୁଖରେ ରହିଛି । ଏହା ମଧ୍ୟ ଭାରତର ଯୁବଶକ୍ତି, ଭାରତର ଇନ୍ନୋଭେସନ୍ କ୍ଷମତାର ପ୍ରତ୍ୟକ୍ଷ ଉଦାହରଣ । ଏହି ଉତ୍ସାହର ସହିତ ଅଗ୍ରସର ହେବାଦ୍ୱାରା ହିଁ ଆମେ ବିକଶିତ ଭାରତର ସଂକଳ୍ପକୁ ପ୍ରାପ୍ତ କରି ଦେଖାଇବୁ । ତେଣୁ ମୁଁ ବାରମ୍ବାର କହୁଛି ଜୟ ଯବାନ୍‌, ଜୟ କିସାନ୍‌, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ ।

ମୋର ପ୍ରିୟ ଦେଶବାସୀଗଣ, ଆପଣଙ୍କର ମନେଥିବ ଯେ କିଛିଦିନ ତଳେ "ମନ୍‍ କି ବାତ୍‍"ରେ ମୁଁ ଭାରତର କେତେକ ବଡ଼ ବଡ଼ ମେଳା ଉପରେ ଆଲୋଚନା କରିଥିଲି । ସେତେବେଳେ ଏପରି ଏକ ପ୍ରତିଯୋଗିତାର ବିଚାର ମନକୁ ଆସିଥିଲା, ଯେଉଁଥିରେ ଲୋକେ ମେଳା ସହିତ ସଂପୃକ୍ତ ଫଟୋଗୁଡ଼ିକୁ ଅନ୍ୟମାନଙ୍କୁ ଦେଖାଇବେ। ସଂସ୍କୃତି ମନ୍ତ୍ରଣାଳୟ ଏହାକୁ ନେଇ ମେଳା ମୋମେଣ୍ଟ୍‍ସ କଣ୍ଟେଷ୍ଟ୍‍ର ଆୟୋଜନ କରିଥିଲେ । ଆପଣ ଜାଣି ଖୁସିହେବେ ଯେ ଏଥିରେ ହଜାର ହଜାର ଲୋକ ଭାଗ ନେଇଥିଲେ ଏବଂ ବହୁତ ଲୋକ ପୁରସ୍କାର ମଧ୍ୟ ଜିତିଥିଲେ । କୋଲକାତାରେ ରହୁଥିବା ରାଜେଶ ଧର ଜୀ "ଚରକ ମେଳା"ରେ ବେଲୁନ ଓ ଖେଳଣା ବିକାଳିର ଅଦ୍‌ଭୁତ ଫଟୋ ପାଇଁ ପୁରସ୍କାର ଜିତିଥିଲେ । ଏହି ମେଳା ବଙ୍ଗଳାର ଗ୍ରାମାଞ୍ଚଳରେ ବହୁତ ଲୋକପ୍ରିୟ। ବାରାଣସୀର ହୋଲିକୁ Showcase କରିବା ପାଇଁ ଅନୁପମ ସିଂହ ଜୀଙ୍କୁ ମେଳା ପୋଟ୍ରେଟ୍‍ସର ପୁରସ୍କାର ମିଳିଥିଲା । ଅରୁଣ କୁମାର ନଲିମେଲା ଜୀ କୁଲସାଇ ଦଶହରା ସହିତ ସଂପୃକ୍ତ ଏକ ଆକର୍ଷଣୀୟ ଦିଗକୁ ଦେଖାଇଥିବାରୁ ପୁରସ୍କୃତ ହୋଇଥିଲେ । ସେହିପରି ପଣ୍ଢର୍‍ପୁରର ଭକ୍ତିଭାବକୁ ଦେଖାଉଥିବା ଫଟୋ ସବୁଠୁ ଅଧିକ ପସନ୍ଦ କରାଯାଇଥିବା ଫଟୋ ଭିତରେ ଅନ୍ତର୍ଭୁକ୍ତ ଥିଲା, ଯାହାକୁ ମହାରାଷ୍ଟ୍ରର ହିଁ ଜଣେ ଭଦ୍ରବ୍ୟକ୍ତି ଶ୍ରୀମାନ ରାହୁଲ ଜୀ ପଠାଇଥିଲେ । ଏହି ପ୍ରତିଯୋଗିତାରେ ବହୁତ ଚିତ୍ର, ମେଳାରେ ମିଳୁଥିବା ସ୍ଥାନୀୟ ବ୍ୟଞ୍ଜନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏଥିରେ ପୁରୁଲିଆରେ ରହୁଥିବା ଆଲୋକ ଅବିନାଶ ଜୀଙ୍କ ଫଟୋ ପୁରସ୍କାର ଜିତିଥିଲା । ସେ ଗୋଟିଏ ମେଳା ସମୟରେ ବଙ୍ଗଳାର ଗ୍ରାମାଞ୍ଚଳର ଖାଦ୍ୟପାନୀୟକୁ ଦେଖାଇଥିଲେ । ପ୍ରନବ ବସାକ ଜୀଙ୍କ ସେହି ଫଟୋ ମଧ୍ୟ ପୁରସ୍କୃତ ହୋଇଥିଲା, ଯେଉଁଥିରେ ଭଗୋରିୟା ମହୋତ୍ସବ ସମୟରେ ମହିଳାମାନେ କୁଲ୍‍ଫି ଖାଇବାର ଆନନ୍ଦ ନେଉଥିଲେ । ରୁମେଲା ଜୀ ଛତିଶଗଡ଼ର ଜଗଦଲପୁରରେ ଗୋଟିଏ ଗାଁର ମେଳାରେ ଭଜିୟା ଖାଉଥିବା ମହିଳାମାନଙ୍କର ଫଟୋ ପଠାଇଥିଲେ, ଏହାକୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ବନ୍ଧୁଗଣ, "ମନ୍‍ କି ବାତ୍‍" ମାଧ୍ୟମରେ ଆଜି ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସ୍କୁଲ୍‍, ପ୍ରତ୍ୟେକ ପଞ୍ଚାୟତକୁ, ମୁଁ ଆହ୍ୱାନ ଦେଉଛି ନିରନ୍ତର ସେମାନେ ଏହିପରି ପ୍ରତିଯୋଗିତାମାନ ଆୟୋଜନ କରନ୍ତୁ । ଆଜିକାଲି ତ ସୋସିଆଲ୍‍ ମିଡ଼ିଆର ଏତେ ଶକ୍ତି ଯେ ଟେକ୍ନୋଲୋଜି ଓ ମୋବାଇଲ ଘରେ ଘରେ ରହିଛି । ଆପଣଙ୍କ ଲୋକାଲ୍‍ ପର୍ବ ହେଉ ବା ଜିନିଷ, ସେଗୁଡ଼ିକୁ ଆପଣ ଏହି ଉପାୟରେ ଗ୍ଲୋବାଲ୍‍ ମଧ୍ୟ କରିପାରିବେ ।

ବନ୍ଧୁଗଣ, ଗାଁ ଗାଁରେ ହେଉଥିବା ମେଳା ଭଳି ଆମର ଏଠି ବିଭିନ୍ନ ନୃତ୍ୟର ମଧ୍ୟ ନିଜର ଐତିହ୍ୟ ରହିଛି । ଝାଡ଼ଖଣ୍ଡ, ଓଡ଼ିଶା, ବଙ୍ଗଳାର ଆଦିବାସୀବହୁଳ ଅଞ୍ଚଳରେ ଏକ ବହୁତ ପ୍ରସିଦ୍ଧ ନୃତ୍ୟ ଅଛି, ଯାହାକୁ ଛଉ ବୋଲି କୁହାଯାଏ । ୧୫ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ "ଏକ୍‍ ଭାରତ ଶ୍ରେଷ୍ଠ୍‍ ଭାରତ"ର ଭାବନା ସହିତ ଶ୍ରୀନଗରରେ ଛଉ ପର୍ବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତେ ଛଉ ନୃତ୍ୟକୁ ଉପଭୋଗ କରିଥିଲେ । ଶ୍ରୀନଗରର ଯୁବପିଢ଼ିଙ୍କୁ ଛଉ ନୃତ୍ୟର ତାଲିମ ଦେବାପାଇଁ ଏକ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଥିଲା । ସେହିପରି କିଛି ସପ୍ତାହ ତଳେ କଠୁଆ ଜିଲ୍ଲାରେ "ବସୋହଲି ଉତ୍ସବ" ଆୟୋଜିତ ହୋଇଥିଲା । ଏହି ସ୍ଥାନଟି ଜାମ୍ମୁଠାରୁ ଦେଢ଼ ଶହ କିଲୋମିଟର ଦୂର । ଏହି ଉତ୍ସବରେ ସ୍ଥାନୀୟ କଳା, ଲୋକନୃତ୍ୟ ଓ ପାରମ୍ପରିକ ରାମଲୀଳାର ଆୟୋଜନ କରାଯାଇଥିଲା ।

ବନ୍ଧୁଗଣ, ଭାରତୀୟ ସଂସ୍କୃତିର ସୌନ୍ଦର୍ଯ୍ୟକୁ ସାଉଦି ଆରବରେ ମଧ୍ୟ ଅନୁଭବ କରାଯାଇଛି । ଏହି ମାସରେ ସାଉଦି ଆରବରେ "ସଂସ୍କୃତ ଉତ୍ସବ" ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହା ସ୍ୱୟଂ ଏକ ବହୁତ ନିଆରା କାର୍ଯ୍ୟକ୍ରମ ଥିଲା, କାରଣ ଏହି ସମଗ୍ର କାର୍ଯ୍ୟକ୍ରମଟି ସଂସ୍କୃତରେ ହୋଇଥିଲା । ଆଲୋଚନା, ସଂଗୀତ, ନୃତ୍ୟ, ସବୁକିଛି ସଂସ୍କୃତରେ, ଏଥିରେ ସେଠାକାର ସ୍ଥାନୀୟ ଲୋକ ମଧ୍ୟ ଭାଗ ନେଇଥିବା ଦେଖାଯାଇଥିଲା ।

ମୋର ପରିବାରଜନ, "ସ୍ୱଚ୍ଛ ଭାରତ" ଏବେ ସମଗ୍ର ଦେଶର ପ୍ରିୟ ବିଷୟ ହୋଇଯାଇଛି । ମୋର ତ ପ୍ରିୟ ବିଷୟ ସର୍ବଦା ହୋଇ ରହିଆସିଛି ଏବଂ ଏ ସମ୍ପର୍କରେ ମୁଁ ଯେତେବେଳେ ବି କିଛି ଖବର ପାଏ ମୋ ମନ ସେହି ଆଡ଼କୁ ଚାଲିଯାଏ ଆଉ ସ୍ୱାଭାବିକ ଭାବେ ତାହା "ମନ୍‍ କି ବାତ୍‍"ରେ ସ୍ଥାନ ପାଏ । ସ୍ୱଚ୍ଛ ଭାରତ ଅଭିଯାନ ପରିଷ୍କାର ପରିଚ୍ଛନ୍ନତା ଓ ସାର୍ବଜନୀନ ସ୍ୱଚ୍ଛତାକୁ ନେଇ ଲୋକଙ୍କର ଭାବନାକୁ ବଦଳାଇ ଦେଇଛି । ଏହି ଉଦ୍ୟମ ଆଜି ଜାତୀୟ ଭାବନାର ପ୍ରତୀକ ହୋଇସାରିଛି, ଯାହା କୋଟି କୋଟି ଦେଶବାସୀଙ୍କ ଜୀବନକୁ ଉତ୍ତମ କରିପାରିଛି । ଏହି ଅଭିଯାନ ଭିନ୍ନ ଭିନ୍ନ ଅଞ୍ଚଳର ଲୋକ, ବିଶେଷକରି ଯୁବପିଢ଼ିକୁ ସାମୂହିକ ଭାଗୀଦାରିତା ପାଇଁ ପ୍ରେରଣା ଦେଇଛି । ଏହିପରି ଏକ ପ୍ରଶଂସନୀୟ ପ୍ରୟାସ ସୁରତରେ ଦେଖିବାକୁ ମିଳିଛି । ଯୁବକଯୁବତୀଙ୍କର ଏକ ଦଳ ଏଠାରେ "ପ୍ରୋଜେକ୍ଟ ସୁରତ" ଆରମ୍ଭ କରିଛନ୍ତି । ଏହାର ଲକ୍ଷ୍ୟ ସୁରତକୁ ଏପରି ଏକ ମଡେଲ୍‍ ସହର ଭାବେ ବିକଶିତ କରିବା, ଯାହା ପରିଷ୍କାର ପରିଚ୍ଛନ୍ନତା ଓ ସ୍ଥାୟୀ ବିକାଶର ସବୁଠୁ ଭଲ ଉଦାହରଣ ହୋଇପାରିବ। "ସଫାଇ ସନ୍‍ଡେ" ନାମରେ ଆରମ୍ଭ ହୋଇଥିବା ଏହି ପ୍ରୟାସରେ ସୁରତର ଯୁବକଯୁବତୀ ପ୍ରଥମେ ସର୍ବସାଧାରଣ ସ୍ଥାନ ଓ ଡୁମାସ୍‍ ବେଳାଭୂମିର ସଫେଇ କରୁଥିଲେ । ପରେ ସେମାନେ ତାପୀ ନଦୀ କୂଳରେ ସଫେଇ କାର୍ଯ୍ୟରେ ମନୋନିବେଶ କଲେ ଓ ଆପଣ ଜାଣି ଖୁସିହେବେ ଯେ ଦେଖୁଦେଖୁ ଏଥିରେ ସଂପୃକ୍ତ ଲୋକଙ୍କ ସଂଖ୍ୟା ୫୦ ହଜାରକୁ ଟପିଯାଇଛି । ଲୋକଙ୍କଠାରୁ ମିଳୁଥିବା ସମର୍ଥନ ଦ୍ୱାରା ଦଳର ଆତ୍ମବିଶ୍ୱାସ ବଢ଼ିଛି । ଏହାପରେ ସେମାନେ ଅଳିଆ ଆବର୍ଜନା ଏକତ୍ର କରିବାର କାର୍ଯ୍ୟ ମଧ୍ୟ ଆରମ୍ଭ କଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଦଳ ଲକ୍ଷ ଲକ୍ଷ କିଲୋ ଅଳିଆ ହଟାଇଛନ୍ତି । ସର୍ବନିମ୍ନ ସ୍ତରରେ କରାଯାଉଥିବା ଏହିଭଳି ପ୍ରୟାସ ବହୁତ ବଡ଼ ପରିବର୍ତ୍ତନକାରୀ ହୋଇଥାଏ ।

ବନ୍ଧୁଗଣ, ଗୁଜରାଟରୁ ଆଉ ଏକ ସୂଚନା ଆସିଛି । କିଛି ସପ୍ତାହ ତଳେ ସେଠାକାର ଅମ୍ବାଜୀରେ "ଭାଦରବୀ ପୂନମ୍‍ ମେଳା"ର ଆୟୋଜନ କରାଯାଇଥିଲା । ଏହି ମେଳାକୁ ୫୦ ଲକ୍ଷରୁ ଅଧିକ ଲୋକ ଆସିଥିଲେ । ଏହି ମେଳା ପ୍ରତିବର୍ଷ ହୋଇଥାଏ । ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଲା ଯେ ମେଳାକୁ ଆସିଥିବା ଲୋକେ ଗବ୍‌ବର ପାହାଡ଼ର ଏକ ବଡ଼ ଅଞ୍ଚଳରେ ସଫେଇ ଅଭିଯାନ ଚଳାଇଥିଲେ । ମନ୍ଦିର ଆଖପାଖର ସମଗ୍ର ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏହି ଅଭିଯାନ ବହୁତ ପ୍ରେରଣାଦାୟକ ।

କର୍ଣ୍ଣାଟକର ଚାମରାଜନଗରର ବର୍ଷାଜୀଙ୍କ କଥା ଯିଏ କି 'ମନ୍ କି ବାତ୍‌' ଦ୍ୱାରା ପ୍ରେରିତ ହୋଇ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି । କାର୍ଯ୍ୟକ୍ରମର ଗୋଟିଏ ଅଧ୍ୟାୟ ଦ୍ୱାରା ପ୍ରେରିତ ହୋଇ ସେ କଦଳୀରୁ ଜୈବିକ ସାର ତିଆରି କରିବାର କାମ ଆରମ୍ଭ କଲେ । ପ୍ରକୃତି ପ୍ରତି ବହୁତ ଆକର୍ଷିତ ଥିବା ବର୍ଷାଜୀଙ୍କର ଏ ଉଦ୍ୟମ ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ରୋଜଗାରର ସୁଯୋଗ ନେଇ ଆସିଛି।

ମୋର ପରିବାରଜନ, ଆସନ୍ତାକାଲି ୨୭ ନଭେମ୍ବର ଦିନ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । ଏହି ଦିନ ଦେବ ଦୀପାବଳୀ ମଧ୍ୟ ପାଳନ କରାଯାଏ । ମୋର ତ ଇଚ୍ଛା ହୁଏ ଯେ ମୁଁ କାଶୀର ଦେବ ଦୀପାବଳୀ ଉତ୍ସବ ନିଶ୍ଚୟ ଦେଖନ୍ତି । କିନ୍ତୁ ଏଥର ତ ମୁଁ ବନାରସ୍ ଯାଇପାରୁନି, ହେଲେ 'ମନ୍ କି ବାତ୍‌' ମାଧ୍ୟମରେ ମୁଁ ବନାରସ୍‌ର ଲୋକମାନଙ୍କୁ ଶୁଭକାମନା ଜଣାଉଛି । ଏଥର ମଧ୍ୟ କାଶୀର ଘାଟମାନଙ୍କରେ ଲକ୍ଷ ଲକ୍ଷ ଦୀପ ଜଳାହେବ, ଭବ୍ୟ ଆରତି ହେବ, 'ଲେଜର ସୋ' ହେବ, ଦେଶବିଦେଶରୁ ଲକ୍ଷ ଲକ୍ଷ ଲୋକ 'ଦେବ ଦୀପାବଳୀ'ର ଆନନ୍ଦ ଅନୁଭବ କରିବେ ।

ସାଥିଗଣ, କାଲି ପୂର୍ଣ୍ଣିମା ଦିନ ହିଁ ଗୁରୁନାନକ ଦେବଙ୍କର ପ୍ରକାଶ ପର୍ବ । ଗୁରୁ ନାନକଜୀଙ୍କ ଅମୂଲ୍ୟ ସନ୍ଦେଶ ଖାଲି ଭାରତ ନୁହେଁ ସାରା ଦୁନିଆ ପାଇଁ ଆଜି ମଧ୍ୟ ପ୍ରେରଣାର ଉତ୍ସ ଏବଂ ପ୍ରାସଙ୍ଗିକ ମଧ୍ୟ । ଏହା ଆମକୁ ସାତ୍ୱିକତା, ସଦ୍‌ଭାବନା ସହିତ ଦୁନିଆ ପ୍ରତି ସମର୍ପିତ ହେବାପାଇଁ ମଧ୍ୟ ପ୍ରେରଣା ଦେଇଥାଏ । ଗୁରୁନାନକ ଦେବଜୀ ସେବା ଭାବନା, ସେବା କାର୍ଯ୍ୟର ଯେଉଁ ଶିକ୍ଷା ଦେଇଛନ୍ତି, ଆମର ଶିଖ୍ ଭାଇ ଭଉଣୀମାନେ ସାରା ବିଶ୍ୱରେ ତା'ର ପାଳନ କରୁଥିବାର ଦେଖାଯାଏ । ମୁଁ 'ମନ୍ କି ବାତ୍‌'ର ସମସ୍ତ ଶ୍ରୋତାମାନଙ୍କୁ ଗୁରୁନାନକ ଦେବଙ୍କର ପ୍ରକାଶ ପର୍ବ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି ।

ମୋର ପରିବାରଜନ, 'ମନ୍ କି ବାତ୍‌'ରେ ମୋ ସହିତ ଏଥର ଏତିକି । ଦେଖୁ ଦେଖୁ ୨୦୨୩ ସମାପ୍ତ ହେବାକୁ ଯାଉଛି, ଆଉ ଆମ୍ଭେମାନେ ସବୁଥର ଭଳି ଏଥର ମଧ୍ୟ ଭାବୁଛୁ ଯେ, ଆରେ ଏତେ ବଡ଼ ବର୍ଷଟା ଏତେ ଶୀଘ୍ର ସରିଗଲା । କିନ୍ତୁ ଏକଥା ମଧ୍ୟ ସତ୍ୟ ଯେ ଏ ବର୍ଷଟି ଭାରତ ପାଇଁ ଅସୀମ ଉପଲବଧିର ବର୍ଷ ଥିଲା । ଭାରତର ଉପଲବଧି ହେଉଛି ପ୍ରତ୍ୟେକ ଭାରତୀୟର ଉପଲବଧି । ମୁଁ ଖୁସି ଯେ 'ମନ୍ କି ବାତ୍‌' ଏହି ଉପଲବଧିଗୁଡ଼ିକୁ ସମସ୍ତଙ୍କ ଆଗକୁ ନେଇଯିବାର ଗୋଟିଏ ସଶକ୍ତ ମାଧ୍ୟମ ହୋଇଛି । ଆସନ୍ତାଥର ଦେଶବାସୀମାନଙ୍କର ବହୁତ ସଫଳତାଗୁଡ଼ିକ ବିଷୟରେ ଆପଣମାନଙ୍କ ସହିତ ଚର୍ଚ୍ଚା ହେବ । ସେପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ । ବହୁତ୍ ବହୁତ୍ ଧନ୍ୟବାଦ, ନମସ୍କାର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+