୧୨ହଜାର କୋଟି ଟଙ୍କାର ସାର କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ଆସାମ ଏବଂ ଏହାର ପଡୋଶୀ ରାଜ୍ୟ ଗୁଡ଼ିକରେ ସାରର ଆବଶ୍ୟକତା ପୂରଣ କରିବା ଏବଂ ସାର ଉପରେ ଆମଦାନୀ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଦିବ୍ରୁଗଡ ଜିଲ୍ଲାସ୍ଥିତ ନାମରୂପଠାରେ ୧୨ହଜାର କୋଟି ଟଙ୍କାର ଏକ ସାର କାରଖାନାର ଶିଳାନ୍ୟାସ କରିଛନ୍ତି । ସଂପୃକ୍ତ ଅଞ୍ଚଳରେ ସାର ଉତ୍ପାଦନ ଏବଂ କୃଷିର ବିକାଶ କରିବା ଉଦ୍ଦେଶ୍ୟରେ ଏହି ସାର କାରଖାନା ସ୍ଥାପନ କରାଯାଉଛି । ଏହି ସାର କାରଖାନାରୁ ବାର୍ଷିକ ୧୨ ଦଶମିକ ୭ଲକ୍ଷ ମେଟ୍ରିକ ଟନ୍ ୟୁରିୟା ଉତ୍ପାଦନ କରିବା ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକଙ୍କ ହିତପାଇଁ ସରକାର ସବୁବେଳେ କାର୍ଯ୍ୟ କରୁଛନ୍ତି । ଚାଷୀମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ଆସାମ ଗସ୍ତର ଆଜି ଦ୍ଵିତୀୟ ଦିନରେ ଶ୍ରୀ ମୋଦି ବ୍ରହ୍ମପୁତ୍ର ନଦୀରେ ଏକ କ୍ରୁଜ୍ ଜାହାଜରେ ଯାତ୍ରା କରିବା ସମୟରେ ପରୀକ୍ଷା ପେ ଚର୍ଚ୍ଚାରେ ଭାଗ ନେଉଥିବା ୨୫ ଜଣ ଛାତ୍ରଛାତ୍ରୀଙ୍କ ସହ ବାର୍ତାଳାପ କରିବେ । ଆଜି ସକାଳେ ପ୍ରଧାନମନ୍ତ୍ରୀ ପଶ୍ଚିମ ବୋରାଗାଓଁରେ ଆସାମ ଆନ୍ଦୋଳନରେ ସହିଦ ହୋଇଥିବା ୮୬୦ ଜଣ ଯବାନଙ୍କ ସ୍ମୃତିରେ ନିର୍ମିତ ସ୍ଵାହିଦ୍ ସ୍ମାରକ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଗତକାଲି ପ୍ରଧାନମନ୍ତ୍ରୀ ଆସାମ ଗସ୍ତର ପ୍ରଥମ ଦିନରେ ଗୁଆହାଟୀଠାରେ ଗୋପୀନାଥ ବୋଡ଼ୋଲୋଇ ଅନ୍ତର୍ଜାଜାତୀୟ ବିମାନ ବନ୍ଦରର ଅତ୍ୟାଧୁନିକ ବାଉଁଶ ଅର୍କିଡ୍ ଟର୍ମିନାଲ କୋଠାର ଉଦ୍ଘାଟନ କରିଥିଲେ । ସେଠାରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ବୋଡୋଲୋଇଙ୍କର ଏକ ୮୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ସମ୍ପୃକ୍ତ ବିମାନ ବନ୍ଦରର ନୂଆ ଟର୍ମିନାଲ ୧ ଦଶମିକ ୪ ଲକ୍ଷ ବର୍ଗମିଟର ଅଞ୍ଚଳରେ ନିର୍ମିତ ହୋଇଥିବାବେଳେ ଏହା ବାର୍ଷିକ ୧ କୋଟି ୩୦ ଲକ୍ଷ ଯାତ୍ରୀ ପରିଚାଳନା କରିବାର ଦକ୍ଷତା ରଖୁଛି | ସେଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଆସାମର ବିକାଶ ଲାଗି ପ୍ରତିବଦ୍ଧ ଅଛନ୍ତି । ସେ କହିଛନ୍ତି, ଗତ ୧୧ ବର୍ଷରେ ଆସାମରେ ଅନେକଗୁଡ଼ିଏ ବୃହତ ଐତିହାସିକ ପ୍ରକଳ୍ପ ନିର୍ମାଣ କରାଯାଇଛି ।












Click it and Unblock the Notifications