ଇସ୍ତଫା ଦେଲେଣି ୧୦୧ ଟିଏମ୍ସି କାଉନସିଲର
ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଫାଟ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି। ବିଧାନସଭା ନିର୍ବାଚନରେ ପରାଜୟ ପରେ ଏକାଧିକ ଟିଏମ୍ସି ନେତା ଦଳ ଛାଡି ସାରିଥିବାବେଳେ ବର୍ତ୍ତମାନ ଏହି ସଂକ୍ରମଣ ଦଳୀୟ କାଉନସିଲରଙ୍କୁ ବ୍ୟାପିବାରେ ଲାଗିଛି। ବିଗତ କିଛି ଦିନ ମଧ୍ୟରେ ବିଭିନ୍ନ ମ୍ୟୁନିସିପାଲିଟିର ୧୦୧ କାଉନସିଲର ନଜ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି। କେତେକ ମ୍ୟୁନିସିପାଲିଟିରେ ଅବସ୍ଥା ଏଭଳି ଶୋଚନୀୟ ହୋଇପଡିଛି ଯେ ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ପୂର୍ବରୁ ଏଗୁଡିକୁ ଭଙ୍ଗ କରାଯାଇପାରେ ବୋଲିି କୁହାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତାଙ୍କ ଅତ୍ୟନ୍ତ ଅନୁଗତ କୁହାଯାଉଥିବା ଫିରହାଦ ହକିମ କଲକାତା ମେୟର ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିସାରିଛନ୍ତି। ବିଜେପି କ୍ଷମତାକୁ ଆସିବା ପରେ କେତେକ ମ୍ୟୁନିସିପାଲିଟିର ଟିଏମ୍ସି କାଉନସିଲରମାନେ ଅଫିସ ଆସୁନାହାନ୍ତିି। ଫଳରେ ସେଠାରେ ସରକାରଙ୍କ ତରଫରୁ ପ୍ରଶାସକ ନିଯୁକ୍ତ କରାଯାଇଛି। ଇତିମଧ୍ୟରେ ବଟି ଆଦାୟ ଓ ଧମକ ଚମକ ଦେଉଥିବା ଅଭିଯୋଗରେ ଟିଏମ୍ସିର ୩ ଜଣ କାଉନସିଲର ଗିରଫ ହୋଇସାରିଛନ୍ତି। ମେ' ୨୩ରେ ଦମ୍ଦମ୍ (ସାଉଥ) କାଉନସିଲର ସଞ୍ଜୟ ଦାସଙ୍କ ଆତ୍ମହତ୍ୟା ଘଟଣା ଟିଏମ୍ସି କାଉନସିଲର ମହଲରେ ଆତଙ୍କ ସୃଷ୍ଟି କରିସାରିଛି। ଭାତପାଡା ମ୍ୟୁନିସିପାଲିଟିର ୩୫ କାଉନସିଲରଙ୍କ ମଧ୍ୟରୁ ୩୦ ଜଣ ଇସ୍ତଫା ଦେଇସାରିଥିବାବେଳେ ହାଲିସହର ମ୍ୟୁନିସିପାଲିଟିର ୧୬, କାଞ୍ଚରାପାଡା ମ୍ୟୁନିସିପାଲିଟିର ୧୪ ଜଣ କାଉନସିଲର ଇସ୍ତଫା ଦେଇସାରିଛନ୍ତି। କେତେକ ମ୍ୟୁନିସିପାଲିଟିର କର୍ମଚାରୀମାନେ ଟିଏମ୍ସି କାଉନସିଲରଙ୍କ ନିର୍ଦେଶ ମାନୁନଥିବା ଅଭିଯୋଗ ହୋଇଛି।













Click it and Unblock the Notifications