ଜାତିସଂଘରେ ଭାରତ ରଖିଲା ଜାମ୍ମୁ ବାୟୁସେନା ଷ୍ଟେସନ ଉପରେ ଡ୍ରୋନ୍ ଆକ୍ରମଣ ପ୍ରସଙ୍ଗ
ଜାତିସଂଘ ସାଧାରଣ ସଭାରେ ଏହି ପ୍ରସଙ୍ଗ ଉଠାଇ ଭାରତ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ରଣନୈତିକ ତଥା ବ୍ୟବସାୟିକ ଲକ୍ଷ୍ୟକୁ ଟାର୍ଗେଟ କରିବା ପାଇଁ ସଶସ୍ତ୍ର ଡ୍ରୋନ୍ ବ୍ୟବହାର କରାଯାଉଛି ।
ନୂଆଦିଲ୍ଲୀ : ଜାମ୍ମୁରେ ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପ୍ରସଙ୍ଗକୁ ଭାରତ ମିଳିତ ଜାତିସଂଘରେ ଉଠାଇଛି । ଜାତିସଂଘ ସାଧାରଣ ସଭାରେ ଏହି ପ୍ରସଙ୍ଗ ଉଠାଇ ଭାରତ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ରଣନୈତିକ ତଥା ବ୍ୟବସାୟିକ ଲକ୍ଷ୍ୟକୁ ଟାର୍ଗେଟ କରିବା ପାଇଁ ସଶସ୍ତ୍ର ଡ୍ରୋନ୍ ବ୍ୟବହାର କରାଯାଉଛି ।

ଜୁନ୍ 27 ରେ ଜାମ୍ମୁର ବାୟୁସେନା ଷ୍ଟେସନରେ ଡ୍ରୋନ୍ ଦ୍ୱାରା ଦୁଇଟି ବିସ୍ଫୋରଣ ହୋଇଥିଲା । ଗୋଟିଏ ବିସ୍ଫୋରଣ କୋଠାର ଛାତ ଉପରେ ହୋଇଥିବାବେଳେ ଦ୍ୱିତୀୟ ବିସ୍ଫୋରଣ ଖୋଲା ପଡିଆରେ ଘଟିଥିବା ବେଳେ ଏହି ଆକ୍ରମଣରେ ଦୁଇଜଣ ସୁରକ୍ଷା କର୍ମୀ ସାମାନ୍ୟ ଆହତ ହୋଇଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଲଗାତାର ଅନେକ ଡ୍ରୋନ୍ ଦେଖିବା ପରେ ସୁରକ୍ଷା କର୍ମୀମାନେ ସତର୍କ ଅଛନ୍ତି ।
ଏହା ପ୍ରଥମ ଥର ପାଇଁ ଡ୍ରୋନ୍ ଦ୍ୱାରା ଭାରତୀୟ ବାୟୁସେନା ଉପରେ ଆକ୍ରମଣ ହୋଇଛି । ଡ୍ରୋନ୍ ମାଧ୍ୟମରେ ଦେଶର ଗୁରୁତ୍ୱପୂର୍ଣ୍ଣ ସାମରିକ ବେସକୁ ଟାର୍ଗେଟ କରୁଥିବା ଏହି ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀମାନେ ଅଛନ୍ତି ବୋଲି ଆଶଙ୍କା କରାଯାଉଛି ।
ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ବିଏସକେ କୌମୁଦି ଜାତିସଂଘରେ କହିଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ତଥା ପ୍ରଚାର ପାଇଁ ସୋସିଆଲ ମିଡିଆ, ଇଣ୍ଟରନେଟର ଅପବ୍ୟବହାର କରାଯାଉଛି । ଏହା ବ୍ୟତୀତ ସେ ଡ୍ରୋନ୍ ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି ଡ୍ରୋନ୍ଗୁଡ଼ିକ କମ୍ ମୂଲ୍ୟରେ ଏବଂ ସହଜରେ ଉପଲବ୍ଧ, ସେଥିପାଇଁ ଆତଙ୍କବାଦୀମାନେ ଗୁପ୍ତ ଖବର ପାଇବା ପାଇଁ ଏହାକୁ ବ୍ୟବହାର କରୁଛନ୍ତି । ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କୁ ସେ ଏହି ପ୍ରକାରର ଡ୍ରୋନ୍ ଆକ୍ରମଣକୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।
ଆତଙ୍କବାଦ ବିରୋଧରେ ଏକଜୁଟ ହେବାକୁ ଭାରତ ସମସ୍ତ ଦେଶଙ୍କୁ ଆହ୍ୱାନ କରିଛି । କୌମୁଦି କହିଛନ୍ତି ଯେ ଯଦି ବିଭିନ୍ନ ଦେଶ ଆତଙ୍କବାଦ ବିରୋଧରେ ଭିନ୍ନ ରଣନୀତି ରଖନ୍ତି, ତେବେ ଏହା ଆମକୁ ବିଭାଜନ କରିବ ଏବଂ ଆତଙ୍କବାଦ ବିରୋଧରେ ଲଢେଇକୁ ଦୁର୍ବଳ କରିବ ।
ସୂଚନାଯୋଗ୍ୟ ଯେ ଆଜି ପୁଣି ଥରେ ଜାମ୍ମୁରେ ଡ୍ରୋନ୍ ଦେଖିବାକୁ ମିଳିଛି, ଯାହା ପରେ ସୁରକ୍ଷା କର୍ମୀମାନେ ସତର୍କ ଅଛନ୍ତି । ଗୃହ ମନ୍ତ୍ରଣାଳୟ ମଧ୍ୟ ବାୟୁସେନା ଷ୍ଟେସନରେ ଡ୍ରୋନ୍ ଆକ୍ରମଣର ତଦନ୍ତକୁ ଏନଆଇଏକୁ ହସ୍ତାନ୍ତର କରିଛି ।












Click it and Unblock the Notifications